ଦାଦନର ଦୁଃଖ

0

ଭୁବନେଶ୍ୱର :ଦିନେ ଭୋକ ପାଇଁ ସହର ଯାଇଥିଲେ । ଆଉ ଆଜି ଭୋକ ପାଇଁ ଗାଁକୁ ଫେରୁଛନ୍ତି । ଆଉ ଦିନ ରାତି ରାଜ ରାସ୍ତାରେ ମାଇଲ ମାଇଲ ପାଦରେ ଚାଲୁଛନ୍ତି । ସାରା ରାସ୍ତାରେ ଭୋକିଲା ଚେହେରା । ଛଳ ଛଳ ସଭିଙ୍କ ଆଖି । ଘରକୁ ପହଂଚିବାର ଲକ୍ଷ ଆଗରେ ଯେମିତି ହାର ମାନିଯାଇଛି ପେଟର ଭୋକ । ଏମିତି ଭୋକ ସହ ଲଢେ଼ଇ କରି ଗାଁକୁ ଫେରୁଛନ୍ତି ଲକ୍ଷ ଲକ୍ଷ ପ୍ରବାସୀ ଭାଇ । କିଏ ଘରେ ପହଞ୍ଚୁଛି ତ ! କିଏ ମଝି ରାସ୍ତାରେ ମଧ୍ୟ ଟଳି ପଡୁଛି । ବାସ୍ ଇଏ ହେଉଛି କରୋନା ଯୁଦ୍ଧର କରୁଣା କାହାଣୀ ।
ନିଜ ରାଜ୍ୟ ବାହାରେ ଏବେ ଲକ୍ଷ ଲକ୍ଷ ଲୋକ ଫସି ରହିଛନ୍ତି । ଲକ୍ ଡାଉନରେ ସାରା ଦେଶ ଏବେ ବନ୍ଦ । ସେଥିପାଇଁ ତ ଆଉ କାମ ବି ମିଳୁନି । ପାଖରେ ସଞ୍ଚୟ କରି ରଖିଥିବା ଟଙ୍କା ପାଇସା ବି ସରିଲାଣି । ଏବେ ସମସ୍ତେ ଖାଇବେ କଣ ? ବାସ୍ ବଂଚିବାର ଏକ ମାତ୍ର ସାହାରା ହେଉଛି । ନିଜର ଗାଁ । କିନ୍ତୁ ଏବେ ଦେଶରେ ଟ୍ରେନ୍, ବସ୍ ସବୁ ବନ୍ଦ । ଆଉ ଘରକୁ ଯିବେ କେମିତି । ହେଲେ ଭୋକର ଜ୍ୱାଳା ଏତେ ବଢିଗଲା ଯେ ଘରକୁ ଆସିବାକୁ ଆଉ ଯାନ ବାହାନକୁ ଅପେକ୍ଷା କରିବା ସମ୍ଭବ ହେଲା ନି । ଆଉ ଶେଷରେ ଶହ ଶହ ମାଇଲ ଚାଲି ଚାଲି ଘରକୁ ଫେରୁଛନ୍ତି ପ୍ରବାସୀ ।
ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଥିବା ଚିତ୍ରଗୁଡିକ ବେଶ ହୃଦୟ ବିଦାରକ । ଛୋଟ ଛୁଆ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ରାସ୍ତାରେ ପାଦରେ ଚାଲୁଛନ୍ତି । ଏମିତି ଆଉ ଏକ ଦୃଶ୍ୟ ଯାହାକି ଯିଏ ବି ଦେଖୁଛି ଆପେ ଆପେ ଆଖିରୁ ଲୁହ ବାହାରି ଆସୁଛି । ଜଣେ ମା’ ପ୍ରବାସୀ ଶ୍ରମିକଙ୍କ ସହିତ ମିଶି ପଞ୍ଜାବରୁ ବାହାରି ଝାନ୍‌ସୀ ଅଭିମୁଖେ ଯାତ୍ରା କରି ଘରକୁ ଫେରୁଛନ୍ତି । ଏହି ସମୟରେ ଚାଲିଚାଲି ଥକି ପଡ଼ିଥିବା ଶିଶୁ ମା’ ଧରିଥିବା ସୁଟ୍‌କେସ୍‌ ଉପରେ ଶୋଇ ପଡ଼ିଛି । ଥକି ପଡ଼ିଥିବା ଶିଶୁୁକୁ ସୁଟକେସ୍‌ ଉପରୁ ମା’ ଚାହିଁଲେ ବି ଉଠାଇ ପାରୁ ନାହିଁ । କାରଣ ସେ ବି ତାର ଶିଶୁର ଯନ୍ତ୍ରଣାକୁ ଅନୁଭବ କରି ପାରୁଛି । କିଛି ଉପାୟ ନପାଇ ଶିଶୁଟି ସେମିତି ସୁଟକେସ୍‌ ଉପରେ ଶୋଇଥିବା ଅବସ୍ଥାରେ ହିଁ ମା’ ତାକୁ ଟାଣିଟାଣି ଘର ଅଭିମୁଖେ ଯାତ୍ରା କରୁଛି ।
ଏହାସହ ମହାରାଷ୍ଟ୍ରର ଔରଙ୍ଗାବାଦ ଠାରେ ହୋଇଥିବା ରେଳ ଦୁର୍ଘଟଣା ବେଶ ଚିନ୍ତାର ବିଷୟ । ମଧ୍ୟପ୍ରଦେଶରୁ ଆରମ୍ଭ ହୋଇଥିବା ପଦ ଯାତ୍ରା ରେଳଧାରଣାରେ ଶେଷ ହୋଉଗଲା । ଚାଲି ଚାଲି ଥକି ଯାଇଥିବା ପାଦ ରେଳ ଧାରଣା ଉପରେ ଅଟକି ଯାଇଥିଲା । ଆଉ କିଛି ସମୟ ବିଶ୍ରାମ ନେଇଥିଲା । ୧୫ ଜଣ ଲୋକ ଶୋଇଥିବାବେଳେ ଲୁହାର ଇଞ୍ଜିନଟା ତାଙ୍କ ଉପରେ ଚଢ଼ିଗଲା । ଆଉ ଅଧା ରହିଗଲା ତାଙ୍କ ଘର ବାହୁଡା । ବୟସର ଅନ୍ତିମ ଚରଣରେ ପହଞ୍ଚିଥିବା ବୁଢ଼ୀ ମାଆ ବି ଏଥିରୁ ବାଦ ପଡିନି । ଭୋକର ଦାଉ ସହି ନ ପାରି ଘରକୁ ଫେରୁଛି । ଗୋଡ଼ରୁ ତାର ଫାଟି ସାରିଲାଣି । ଚାଲି ଚାଲି ରକ୍ତ ବାହାରିଲାଣି । ତଥାପି ଘରକୁ ଭୋକର ଦାଉ ସହି ନ ପାରି ନିଜର ଭିଟା ମାଟିକୁ ଯିବାକୁ ବାହାରିଛି । ପାଖରେ ଖାଇବାକୁ ଖାଦ୍ୟ ନାଇ। ପିଇବାକୁ ପାଣି ନାଇ । ଏମିତି ଲକ୍ଷ ଲକ୍ଷ ଲୋକ ଚାଲି ଚାଲି ଘରକୁ ଫେରୁଛନ୍ତି । ଯାହାକି ବହୁତ ଦୁଃଖ ଦାୟକ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More