କୋହଲିଙ୍କ ଶତକ ଭାରତକୁ ବିଜୟ ଆଶା ଦେଲା

0

ଟେଷ୍ଟ କ୍ରିକେଟ୍‌ରେ ବିରାଟଙ୍କ ଶତକ ଓ ଅକ୍ଷର ପଟେଲଙ୍କ ୭୯ ରନ୍‌ର ଇନିଂସ ଚଳିତ ୪ର୍ଥ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ରେ ଭାରତର ବିଜୟ ଆଶା ଜାଗ୍ରତ କରିଛି। ରବିବାର ମ୍ୟାଚ୍‌ର ୪ର୍ଥ ଦିନରେ ଭାରତର ଲମ୍ବା ବ୍ୟାଟିଂ ଲାଇନ୍‌ଅପ୍‌ ୯ ୱିକେଟରେ ୫୭୧ ରନ୍‌ କରିବା ସୋମବାର ଅନ୍ତିମ ଦିନରେ ଅଷ୍ଟ୍ରେଲିଆକୁ ମ୍ୟାଚ୍‌ ବଞ୍ଚାଇବା ଲାଗି ଖେଳିବାକୁ ବାଧ୍ୟକରିବ। କୋହଲିଙ୍କ ୧୮୬ ଓ ଅକ୍ଷରଙ୍କ ୭୯ ରନ୍‌ ଭାରତକୁ ପ୍ରଥମ ଇନିଂସରେ ୯୧ ରନ୍‌ରେ ଆଗୁଆ କରିଛି। ମ୍ୟାଚ୍‌ରେ ଭାରତ ପ୍ରଥମ ୬ଟି ୱିକେଟ ପାଇଁ ୫୦ କିମ୍ବା ଅଧିକ ରନ୍‌ର ଭାଗିଦାରୀ କରିଥିଲା। ତେବେ ଶ୍ରେୟାସ ଆୟର ଆହତ ହୋଇ ମ୍ୟାଚ୍‌ରୁ ବାଦ୍‌ ପଡ଼ିନଥିଲେ ଏହି ସଂଖ୍ୟା ଅଧିକ ହୋଇଥାଆନ୍ତା। ଅଷ୍ଟ୍ରେଲିଆ ଇନିଂସରେ ଶତକ ହାସଲ କରିଥିବା ଉସ୍‌ମାନ ଖାୱାଜା ବାଉଣ୍ଡରୀରେ କ୍ୟାଚ୍‌ ନେବା ପ୍ରୟାସରେ ପଡ଼ିଯାଇ ଆହତ ହୋଇଥିଲେ। ଫଳରେ ସେ ପଡ଼ିଆ ଛାଡ଼ିଥିଲେ। ତାଙ୍କ ଆଘାତ କେତେ ଗୁରୁତର; ତାହା ଜଣା ପଡ଼ିନାହିଁ। ହେଲେ ୨ୟ ଇନିଂସରେ ଖାୱାଜା ବ୍ୟାଟିଂ କରିବାକୁ ଆସିନଥିଲେ। ଟ୍ରାଭିସ୍‌ ହେଡ୍‌ ଓ ମ୍ୟାଟ୍‌ କୁହ୍ନେମାନ୍‌ ଷ୍ଟମ୍ପ୍ ଅପସାରଣ ପର୍ଯ୍ୟନ୍ତ ୬ ଓଭର ଖେଳି ମାତ୍ର ୩ ରନ୍‌ କରିଛନ୍ତି।
ଟେଷ୍ଟ ଶତକ ହାସଲ କରିବାକୁ ବିରାଟ କୋହଲିଙ୍କୁ ୧୨୦୫ ଦିନ ଅପେକ୍ଷା କରିବାକୁ ପଡ଼ିଥିଲା। ହେଲେ ଏପରି ସମୟରେ ସେ ଶତକ ହାସଲ କରିଥିଲେ; ଯେତେବେଳେ ତାଙ୍କଠାରୁ ଦଳ ବଡ଼ ସ୍କୋର୍‌ ଆଶା କରୁଥିଲା। ୩ୟ ଦିନରେ ଭାରତ ୩ ୱିକେଟରେ ୨୮୯ ରନ୍‌ କରିଥିଲା। ୪ର୍ଥ ୱିକେଟ ପାଇଁ ୬୪ ରନ୍‌ର ଭାଗିଦାରୀ ପରେ ରବୀନ୍ଦ୍ର ଜାଡ଼େଜା ଆଉଟ୍‌ ହୋଇଥିଲେ। ଏହି ବାମହାତି ଗୋଟିଏ ଛକା ଓ ୨ଟି ଚୌକା ସହ ୨୮ ରନ୍‌ କରିଥିଲେ। ଶ୍ରୀକର ଭରତ ଭଲ ବ୍ୟାଟିଂକରି ଜୀବନର ସର୍ବାଧିକ ଟେଷ୍ଟ ସ୍କୋର୍ ହାସଲ କରିଥିଲେ। ବିରାଟ କୋହଲିଙ୍କ ସହ ଭରତ ୫ମ ୱିକେଟ ପାଇଁ ୮୪ ରନ୍‌ ଯୋଡ଼ିଥିଲେ। ଭରତ ୮୮ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୪୪ ରନ୍‌ କରିଥିଲେ। ୩୯୩ ରନ୍‌ରେ ୫ଟି ୱିକେଟ ପଡ଼ିବା ପରେ ବିରାଟ କୋହଲି ଏବଂ ଫର୍ମରେ ଥିବା ଅକ୍ଷର ପଟେଲ କ୍ରିଜ୍‌ରେ ଏକାଠି ହୋଇଥିଲେ। ଘରୋଇ ପଡ଼ିଆରେ ଅକ୍ଷର ଚଳିତ ଶୃଙ୍ଖଳାରେ ୩ୟ ଅର୍ଦ୍ଧଶତକ ହାସଲ କରିଥିଲେ। କୋହଲିଙ୍କ ସହ ବାମହାତି ଅକ୍ଷର ୧୬୨ ରନ୍‌ ଯୋଡ଼ିଥିଲେ। ଦର୍ଶନୀୟ ବ୍ୟାଟିଂ କରୁଥିବା ଅକ୍ଷର ବାମହାତି ପେସର ମିଚେଲ ଷ୍ଟାର୍କଙ୍କୁ ପ୍ରଥମ ୱିକେଟ ଦେବା ପୂର୍ବରୁ ୧୧୩ ବଲ୍‌ରୁ ୪ଟି ଛକା ଓ ୫ଟି ଚୌକା ସହ ୭୯ ରନ୍‌ କରିଥିଲେ। ବିରାଟ କୋହଲି ଦ୍ବିଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନ (୭) ଓ ଉମେଶ ଯାଦବ (୦) ଆଉଟ୍‌ ହୋଇଯିବା କୋହଲିଙ୍କୁ ନିରାଶ କରିଥିଲା। ଶେଷ ଭାରତୀୟ ଯୋଡ଼ି କ୍ରିଜ୍‌ରେ ଥିବା ବେଳେ ଛକାମାରିବା ପ୍ରୟାସରେ କୋହଲି ଆଉଟ୍‌ ହୋଇଥିଲେ। ୧୮୬ ରନ୍‌ ଅଷ୍ଟ୍ରେଲିଆ ବିପକ୍ଷରେ କୋହଲିଙ୍କ ସର୍ବାଧିକ ଟେଷ୍ଟ ସ୍କୋର୍‌। ଏହା ପୂର୍ବରୁ ୨୦୧୪ରେ ମେଲ୍‌ବୋର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ କୋହଲି ୧୬୯ ରନ୍‌ କରିଥିଲେ।
କୋହଲି ୩୬୪ ବଲ୍‌ରୁ ୧୫ଟି ଚୌକା ସହ ୧୮୬ ରନ୍‌ କରିଥିଲେ। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୮୦ ରନ୍‌ କରିଥିବା ବେଳେ ଭାରତ ପାଇଁ ଶୁବ୍‌ମାନ ଗିଲ୍‌ ଶତକ ହାସଲ କରିବା ଯଥେଷ୍ଟ ନଥିଲା। ଆଉ ଜଣଙ୍କଠାରୁ ଘରୋଇ ଦଳ ବଡ଼ ସ୍କୋର୍‌ର ଆଶା ରଖିଥିବା ବେଳେ କୋହଲି ଏହା କରି ପାରିଥିଲେ। ଅଷ୍ଟ୍ରେଲିଆର ୩ ସ୍ପିନର ଶୃଙ୍ଖଳିତ ବୋଲିଂ କରିଥିବାରୁ କୋହଲି ଅତ୍ୟନ୍ତ ଧୈର୍ଯ୍ୟର ସହ ଖେଳିଥିଲେ। ୨୪୧ ବଲ୍‌ରେ କୋହଲି ଶତକ ପୂରଣ କରିଥିଲେ। ଏହା ତାଙ୍କ ଜୀବନର ୨ୟ ସବୁଠାରୁ ଧିମା ଟେଷ୍ଟ ଶତକ। ପୁଣି ମାତ୍ର ୫ଟି ଚୌକାମାରି କୋହଲି ଶତକ ପୂରଣ କରିଥିଲେ। ପ୍ରଥମ ଅଧିବେଶନରେ କୋହଲି ଗୋଟିଏ ବି ଚୌକା ମାରିନଥିଲେ। ଶତକ ପୂରଣ ପରେ ଅବଶ୍ୟ ସେ ୧୦ଟି ଚୌକା ମାରିଥିଲେ। ଏହା କୋହଲିଙ୍କ ୨୮ତମ ଟେଷ୍ଟ ଶତକ ଏବଂ ୩ଟି ଫର୍ମାଟକୁ ମିଶାଇ ୭୫ତମ ଆନ୍ତର୍ଜାତିକ ଶତକ। ଦୁଇ ଅଫ୍‌ସ୍ପିନର ନାଥାନ୍ ଲାୟନ୍ ୬୫ ଓ ଟଡ୍‌ ମର୍ଫି ୪୫.୫ ଓଭର ବୋଲିଂକରି ୩ଟି ଲେଖାଏଁ ୱିକେଟ ପାଇଥିଲେ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More