ତୁର୍କୀ ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୨,୦୦୦ ଟପିଲା

0

ଦକ୍ଷିଣ-ପୂର୍ବ ତୁର୍କୀ ଓ ଉତ୍ତର ସିରିୟାରେ ହୋଇଥିବା ଭୂମିକମ୍ପ ମୃତ୍ୟୁସଂଖ୍ୟା ବୁଧବାର ସୁଦ୍ଧା ୧୨ ହଜାର ଅତିକ୍ରମ କରିଛି। ଭୂମିକମ୍ପ ଭଗ୍ନାବଶେଷ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି। ତୁର୍କୀ ବିପର୍ଯ୍ୟୟ ଓ ଜରୁରୀକାଳୀନ ପରିଚାଳନା ପ୍ରେସିଡେନ୍ସି (ଏଏଫ୍ଏଡି)ର କହିବା ଅନୁଯାୟୀ ଦେଶରେ ମୃତ୍ୟୁସଂଖ୍ୟା ୯ହଜାର ଅତିକ୍ରମ କରିଥିବାବେଳେ ୪୦,୯୧୦ଜଣ ଆହତ ହୋଇଛନ୍ତି। ଭୂମିକମ୍ପରେ ୮କୋଟି ୫୦ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ସେହିପରି ସିରିୟା ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଭୂକମ୍ପ ୩୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୧୦ହଜାର ଆହତ ହୋଇଛନ୍ତି। ପ୍ରାୟ ୩ଲକ୍ଷ ଲୋକ ବାସହରା ହୋଇଛନ୍ତି। ବାସହରା ଲୋକଙ୍କୁ ୧୮୦ଟି ରିଲିଫ ଶିବିରରେ ରଖାଯାଇଛି। ଭାରତ ସମେତ ବିଭିନ୍ନ ରାଷ୍ଟ୍ର ଉଭୟ ତୁର୍କୀ ଓ ସିରିଆରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଉଦ୍ଧାର କାର୍ଯ୍ୟ ସହିତ ବିଦେଶୀ ରାଷ୍ଟ୍ର ଔଷଧ, ଖାଦ୍ୟପେୟ, ପୋଷାକ ଆଦି ରିଲିଫ ସାମଗ୍ରୀ ପଠାଇବା ଜାରି ରଖିଛନ୍ତି। ତେବେ ଶୀତ ଓ ତୁଷାରପାତ ଉଦ୍ଧାର କାର୍ଯ୍ୟରେ ପ୍ରତିବନ୍ଧକ ସାଜିଛି। ଭାରତ ସରକାର ଉଭୟ ତୁର୍କୀ ଓ ସିରିୟାକୁ ଉଦ୍ଧାରକାରୀ ଦଳ ଓ ରିଲିଫ ପଠାଇଛନ୍ତି। ତୁର୍କୀ ଓ ସିରିୟା ଭୂକମ୍ପ ପ୍ରଭାବିତ ଅଞ୍ଚଳକୁ ଭାରତ ଯୋଗାଇ ଦେଉଥିବା ମାନବିକ ସହାୟତାକୁ ‘ଅପରେସନ ଦୋସ୍ତ’ ରଖାଯାଇଛି। ଅପରେସନ ଦୋସ୍ତ ଅଭିଯାନରେ ଭାରତ ତୁର୍କୀକୁ ତୃତୀୟ ଉଦ୍ଧାରକାରୀ ଦଳ ପଠାଇଛି। ଏନଡିଆରଏଫ୍ ପ୍ରଥମ କରି ଏହାର ବିଦେଶୀ ଅଭିଯାନରେ ମହିଳା ଯବାନଙ୍କୁ ସାମିଲ କରିଛି। ତୁର୍କୀ ଯାଇଥିବା ଏନଡିଆରଏଫ୍‌ ଟିମ୍‌ରେ କେତେକ ମହିଳା ଯବାନଙ୍କୁ ସାମିଲ କରାଯାଇଛି। ଏନଡିଆରଏଫ୍ ମହାନିର୍ଦେଶକ ଜେନେରାଲ ଅତୁଲ କରୱାଲ କହିଛନ୍ତି ଯେ ତୁର୍କୀରେ ଏନଡିଆରଏଫ୍‌ର ଦୁଇଟି ଦଳ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିସାରିଛନ୍ତି। ତୃତୀୟ ଦଳ ବୁଧବାର ତୁର୍କୀ ଅଭିମୁଖେ ଯାତ୍ରା କରିଛି। ବାୟୁସେନାର ଏକ ବିମାନ ଯୋଗେ ସିରିୟାକୁ ଔଷଧ ଓ ରିଲିଫ ସାମଗ୍ରୀ ପଠାଇଛି ଭାରତ। ସିରିୟାକୁ ଭୂକମ୍ପ ସହାୟତା ଲାଗି ଚୀନ ୪୪ ନିୟୁତ ଡଲାର ଦେଇଛି।
ତୁର୍କୀ ଭୂମିକମ୍ପରେ ଜଣେ ଭାରତୀୟ ନିଖୋଜ ହୋଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାର ସହିତ ଯୋଗାଯୋଗ ଚଳାଇଛି। ତେବେ ୧୦ଜଣ ଭାରତୀୟ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ଫସି ରହିଥିବା ଭାରତୀୟମାନେ ସୁରକ୍ଷିତ ଅଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ସଚିବ ସଞ୍ଜୟ ବର୍ମା କହିଛନ୍ତି ତୁର୍କୀରେ ୩୦୦୦ ଭାରତୀୟ ରହୁଥିବାବେଳେ ୭୫ଜଣ ସହାୟତା ଲାଗି ଦୂତାବାସକୁ ନିବେଦନ କରିଛନ୍ତି। ତୁର୍କୀ ସରକାରଙ୍କ କହିବା ଅନୁଯାୟୀ ଭୂମିକମ୍ପରେ ୧୦ଟି ପ୍ରଦେଶ କ୍ଷତିଗ୍ରସ୍ତ ହୋଇଥିବାବେଳେ ୩ହଜାର ଘର ଭାଙ୍ଗିଛି। ତୁର୍କୀ ରାଷ୍ଟ୍ରପତି ତାଇପେ ଏର୍ଦେଗାନ ବୁଧବାର ଭୂମିକମ୍ପ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଦକ୍ଷିଣ ତୁର୍କୀରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ବିଳମ୍ବିତ ହୋଇଥିବାରୁ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବୁଧବାର ମଧ୍ୟ ତୁର୍କୀରେ ଭୂମିକମ୍ପ ଅନୁଭୂତ ହୋଇଛି। ନୁରଡାଗି ଅଞ୍ଚଳରେ ୪.୩ ତୀବ୍ରତାର ଭୂମିକମ୍ପ ହୋଇଛି। ତୁର୍କୀର ଖାରମାନମାରାସ ପ୍ରଦେଶରୁ ୫୭ ଘଣ୍ଟା ପରେ ଏକ ୪ମାସର ଶିଶୁକୁ ଉଦ୍ଧାର କରାଯାଇଛି।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More