ଚେତିଲା ଟିପିସିଓଡିଏଲ୍‌; ଏଣିକି ନିର୍ଦ୍ଦିଷ୍ଟ ତାରିଖରେ ଆସିବ ବିଲ୍‌!

0

ଭୁବନେଶ୍ବର : ମାସର ନିର୍ଦ୍ଦିଷ୍ଟ ତାରିଖରେ ବିଦ୍ୟୁତ ବିଲ୍ ନ ଦେଇ ଉପଭୋକ୍ତାଙ୍କ ଠାରୁ ଯୋଜନାବଦ୍ଧ ଭାବେ ବିଦ୍ୟୁତ ବିତରଣ ସଂସ୍ଥା କୋଟିକୋଟି ଟଙ୍କା ଲୁଟି ନେଉଛି । ଏ ନେଇ ‘ସମ୍ବାଦ’ରେ ଅନୁସନ୍ଧାନମୂଳକ ଖବର ପ୍ରକାଶ ପାଇବା ପରେ ରାଜ୍ୟବ୍ୟାପୀ ବିଭିନ୍ନ ଉପଭୋକ୍ତାଙ୍କଠାରୁ ପୁଳାପୁଳା ଅଭିଯୋଗ ଆସିବାରେ ଲାଗିଛି । ଭୁବନେଶ୍ବର, ପୁରୀ, କାକଟପୁର, ଜଗତସିଂହପୁର ପ୍ରଭୃତି ଅଞ୍ଚଳରେ ଶତାଧିକ ଉପଭୋକ୍ତା ମାସ ମାସ ଧରି ଏଭଳି ଠକେଇର ଶିକାର ହେଉଥିବା କହିଛନ୍ତି। ଏପରିକି ସଂସ୍ଥା ବିଳମ୍ବରେ ବିଲ୍‌ ଦେବା ସହ ୟୁନିଟ୍‌ ପିଛା କରାଯାଇଥିବା ହିସାବରେ ମଧ୍ୟ ତ୍ରୁଟି ରହିଥିବା ସେମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ତନାଘନା ହେବା ପରେ ଟିପିସିଓଡିଏଲ୍‌(ଟାଟା ପାୱାର ସେଣ୍ଟ୍ରାଲ ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌) ଉପଭୋକ୍ତାଙ୍କୁ ବିଳମ୍ବରେ ବିଲ୍‌ ପ୍ରଦାନ ଅଭିଯୋଗର ସମୀକ୍ଷା କରିଛି ଏବଂ ଉପଭୋକ୍ତାଙ୍କୁ ନିର୍ଦ୍ଧାରିତ ସମୟରେ ବିଲ୍‌ ଦେବା ପାଇଁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ମାତ୍ର ଏ ନେଇ ଏଯାଏ ସଂସ୍ଥା ପକ୍ଷରୁ ବିଧିବଦ୍ଧ ଭାବେ କିଛି ଘୋଷଣା କରାଯାଇ ନାହିଁ । ଜାଣିଜାଣି ବିଳମ୍ବରେ ବିଦ୍ୟୁତ ବିଲ୍‌ ଦେଇ କୋଟିକୋଟି ଟଙ୍କା ହରିଲୁଟ୍‌ ପଛରେ ଥିବା ସତ୍ୟତା ପ୍ରମାଣିତ ହେବା ପରେ ଅଡ଼ୁଆରେ ପଡ଼ିଯାଇଛି ଟିପିସିଓଡିଏଲ୍‌ । କର୍ମଚାରୀ ଅଭାବ ଓ କରୋନାକୁ ଆଳ କରି ସଂସ୍ଥା ଖସିଯିବାକୁ ବସିଥିଲେ ମଧ୍ୟ ଏହା ଭିତରେ ଥିବା କାରସାଦି ଜଳଜଳ ଦିଶୁଛି । ବିଳମ୍ବରେ ବିଲ୍‌ ଦିଆଯିବାକୁ ନେଇ ବରିଷ୍ଠ ଅଧିକାରୀମାନେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଯଦି ଏଥିରେ କିଛି କାରସାଦି ନାହିଁ; ତେବେ ଉପଭୋକ୍ତାଙ୍କୁ ପ୍ରତ୍ୟେକ ମାସରେ ଗୋଟିଏ ତାରିଖରେ କାହିଁକି ବିଲ୍‌ ଦିଆଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଜଣେ ବରିଷ୍ଠ ସରକାରୀ ଅଧିକାରୀ ନାମ ଗୋପନ ରଖି କହିଛନ୍ତି, ବିଦ୍ୟୁତ ଯୋଗାଣ ବ୍ୟବସ୍ଥାକୁ ଘରୋଇକରଣ କରିବା ବେଳ‌େ ସରକାରୀ ୪୯ ପ୍ରତିଶତ ଭାଗିଦାର ହୋଇ ନିଜ ହାତରୁ ନିୟନ୍ତ୍ରଣ ହରାଇଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶକ୍ତି ସଚିବ ଥିବା ବେଳେ ବିଲ୍‌ ପ୍ରସ୍ତୁତିରେ ବିଳମ୍ବ ହେଲେ ଉପଭୋକ୍ତା ଠକେଇର ଶିକା‌ର ହେବା ଆଶଙ୍କା କରିଥିଲେ । ଏଣୁ ନିର୍ଦ୍ଧାରିତ ସମୟ କିମ୍ବା ଧାର୍ଯ୍ୟ ତାରିଖର ଦୁଇଦିନ ପୂର୍ବରୁ ବା ପରେ ବିଲ୍‌ ଦେବାପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ହେଲେ ଏବେ ସାରକାରଙ୍କର ନିୟନ୍ତ୍ରଣ ନଥିବାରୁ ସଂସ୍ଥା ମନମୁଖୀ କାର୍ଯ୍ୟ କରୁଥିବା କହିଛନ୍ତି । ଅନ୍ୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସେସୁ ବିତରଣ ଦାୟିତ୍ବରେ ଥିବା ବେଳେ ଏକ ଆପ୍‌ ତିଆରି ହୋଇଥିଲା । ଏହି ଆପ୍‌ ଜରିଆରେ ଉପଭୋକ୍ତା ନିଜର ବିଲ୍‌ ସମ୍ବନ୍ଧରେ ସମସ୍ତ ସୂଚନା ପାଇବା ସହ ମିଟର ସ୍କାନ୍‌ କରି ନିର୍ଦ୍ଧାରିତ ତାରିଖରେ ବିଲ୍‌ ମଧ୍ୟ ପ୍ରସ୍ତୁତ କରି ପାରୁଥିଲେ । ଆପ୍‌ରେ ଦେଖାଉଥିବା ଦେୟ ଦାଖଲ କରି ରିବେଟ୍‌ ବି ପାଉଥିଲେ। ହେଲେ ପ୍ରଚାର ପ୍ରସାର ଅଭାବାରୁ ଏହି ବ୍ୟବସ୍ଥା ଲୋକାଭିମୁଖୀ ହେଲା ନାହିଁ । ଫଳରେ ‌ଉପଭୋକ୍ତା ବିଳମ୍ବରେ ବିଲ୍‌ ପାଇଲେ ଓ ଠକାମିର ଶିକାର ହେବା ସୁଯୋଗ ରହିଲା ବୋଲି ସେ କହିଛନ୍ତି।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More