ପୁରି ବଡଦାଣ୍ଡରେ ଥିବା ମଠଗୁଡିକର ସେବାପୁଜାକୁ ସୁରକ୍ଷିତ ରଖାଯିବା ପାଇଁ ବସିଛି ବୈଠକ । ଶ୍ରୀ କ୍ଷେତ୍ର ବଡଦାଣ୍ଡକୁ ଐତିହ୍ୟ ପଥ ରୁପେ ପରିଣତ କରାଯିବ ବୋଲି ଶ୍ରୀମନ୍ଦିର ପରିଚାଳନାର କର୍ତ୍ତୃପକ୍ଷ କହିଛନ୍ତି । ଅଦିନରେ ହେଉଥିବା ରଥ ଯାତ୍ରାକୁ ବନ୍ଦ କରିବା ସହିତ ଦେଶ-ବିଦେଶରେ ମହାପ୍ରଭୁଙ୍କ ରଥ ଯାତ୍ରା ଆୟୋଜନ ପାଇଁ ପରିଚାଳନା କମିଟି ଓ ରାଜ୍ୟ ସରକାର ଉଦ୍ୟମ କରିବେ । ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଉଚ୍ଛେଦ ଲୋକଙ୍କୁ କ୍ଷତିପୁରଣ,ସରକାରଙ୍କ ଜମି ଅଧିଗ୍ରହଣ,ପୁନଃନିର୍ମାଣ ଏବଂ ପୁନର୍ବାସ ଯୋଜନା ମୁତାବକ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ସୁଚନା ଅନୁଯାୟୀ, ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଦେଶର ବିଭିନ୍ନ ପ୍ରାନ୍ତରେ ଅଦିନରେ ମହାପ୍ରଭୁଙ୍କ ରଥ ଯାତ୍ରା ହେଉଥିବା ନେଇ ଉଦବେଗ ପ୍ରକାଶ ପାଇଥିଲା । ଏହି ପ୍ରସଙ୍ଗରେ କମିଟି ନିଷ୍ପତ୍ତି ନେଇଥିଲା ଯେ,ଅଦିନରେ ହେଉଥିବା ରଥ ଯାତ୍ରାକୁ ବନ୍ଦ କରିବା ପାଇଁ ଶ୍ରୀମନ୍ଦିରର ପ୍ରଶାସନ ସମସ୍ତ ରାଜ୍ୟ କୁ ଚିଠି ଲେଖିବ । ଶ୍ରୀମନ୍ଦିର ଚତୁଃପାର୍ଶ୍ଵର୍ ବିକାଶ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ପ୍ରସ୍ତୁତ କରିଥିବା ସମସ୍ତ ଯୋଜନାକୁ ରାଜ୍ୟ ସରକାର ‘ଐତିହ ସହର’ ବିକାଶ ମେଗା ଯୋଜନାରେ ସାମିଲ କରିବାକୁ କମିଟି ମତ ଦେଇଛି । ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ.କ୍ରିଷନ୍ କୁମାର ସୁଚନା ଦେଇଛନ୍ତି, ଗୁରୁକୁଳ ନିର୍ମାଣ ପାଇଁ ପୂର୍ବରୁ ଚିହ୍ନଟ ଜମି ବଦଳିବ । ମାଟି ତୋଟା ଇଲାକାରେ ୧୦ରୁ୧୨ଏକର ଜମିରେ ଏହି ଗୁରୁକୁଳ ନିର୍ମାଣ ହେବ । ସେବାୟତ ପରିବାର ବିଦ୍ୟାର୍ଥୀଙ୍କ ଉଚ୍ଚ ଶିକ୍ଷା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମେଧା ବୃତ୍ତି ତଥା ସ୍ୱତନ୍ତ୍ର ସହାୟତା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସୁପ୍ରିମକୋର୍ଟଙ୍କ ରାୟ କ୍ରମେ,ମଠ ସମ୍ପତ୍ତିଏବଂ ମଠ ଜାଗା ସବୁ ଶ୍ରୀମନ୍ଦିର ପରିଚାଳନା କମିଟି ମାର୍ଫତକୁ ଆସିଯାଇଛି । ମଠ ଏବଂ ଘରୋଇ ଜାଗାର କ୍ଷତିପୂରଣ ଟଙ୍କା ଏବେ ମନ୍ଦିର ପ୍ରଶାସନ ପାଇବାକୁ ହକଦାର ବୋଲି ସଦସ୍ୟମାନେ ମତ ଦେଇଛନ୍ତି । ତେବେ ଏହି ପ୍ରସଙ୍ଗ ଉପରେ ଆଉ ଏକ ସବ୍ କମିଟି ଗଠନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ପୁରୀ ଜିଲ୍ଲାପାଳ,ଏସ୍ପି,ଦେବୋତ୍ତର ବିଭାଗ କମିସନର, ପରିଚାଳନା କମିଟି ସଦସ୍ୟ ଏବଂ ମଠ ମହନ୍ତଙ୍କୁ ନେଇ ଏହି ସବକମିଟି ଗଠନ କରାଯିବ । ପରିଚାଳନା କମିଟି ବୈଠକରେ ସଦସ୍ୟମାନେ ଜଷ୍ଟିସ ବି.ପି ଦାସ କମିଶନରଙ୍କ ସୁପାରିସ ଆଧାରରେ ଶ୍ରୀମନ୍ଦିର ଚୈହଦିରୁ ୭୫ମିଟର ଉଚ୍ଛେଦ ହେଉଥିବା ପ୍ରସଙ୍ଗ ଉଠିଥିଲା । ଏନେଇ ଜଷ୍ଟିସ ବି.ପି ଦାସଙ୍କ ରିପୋର୍ଟ ଆଧାରରେ ପ୍ରଶାସନ ଶ୍ରୀମନ୍ଦିର ଚୌହଦିର ୭୫ମିଟର ଇଲାକାରେ ଉଚ୍ଛେଦ କରୁଛି । ଆଗାମୀ ଦିନରେ ଏହି ଇଲାକା ବଢିବ ନାହିଁ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେବାକୁ କମିଟି ଦାବି କରିଛି । ଏନେଇ ଯୁକ୍ତିତର୍କ ଏଏସଆଇର ଅଧୀକ୍ଷଣ ଯନ୍ତ୍ରୀ କହିଥିଲେ, ଶ୍ରୀମନ୍ଦିର ଏବେ ଜାତୀୟ ଐତିହ୍ୟର ମାନ୍ୟତା ପାଇଛି ।ତେଣୁ ଜାତୀୟ ଐତିହ୍ୟ ସଂରକ୍ଷଣ ଆଇନ ମୁତାବକ ମେଘନାଦ ପାଚେରି ଠାରୁ ୧୦୦ ମିଟର ଦୂରରେ ସମସ୍ତ ପ୍ରକାର ନିର୍ମାଣ ନିଷେଧ କରାଯାଇଛି ।