କାର୍ଯ୍ୟରୁ ବହିଷ୍କୃତ ହେଲେ ଅଭିଯୁକ୍ତ : ସେବା ସମବାୟ ସମିତିରେ ହୋଇଛି ଆର୍ଥିକ ଅନିୟମିତତା ଓ ବେଆଇନ କାରବାର

0

ଭୁବନେଶ୍ୱର : କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଆଠଗଡ଼ ଶାଖା ଅଧୀନରେ ଥିବା ଗୁରୁଡ଼ିଝାଟିଆ ସେବା ସମବାୟ ସମିତିରେ ହୋଇଥିବା ଆର୍ଥିକ ଅନିୟମିତତା ଓ ବେଆଇନ କାରବାରରେ ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୂର୍ବରୁ ନିଲମ୍ବିତ ହୋଇଥିବା ସମିତିର ସଂପାଦକ ବିଜୟ କୁମାର ଦାସ ଓ ନିଲମ୍ବିତ ପିଅନ ପ୍ରବୋଧ ରଂଜନ ପରିଡ଼ାଙ୍କୁ ସମିତିର ପରିଚାଳନା ପରିଷଦ ବହିଷ୍କାର କରିଛନ୍ତି ।
ସେହିପରି ଜିଲ୍ଲାପାଳ, କଟକ ତଥା କେନ୍ଦ୍ର ସମବାୟ ବ୍ୟାଙ୍କର ପ୍ରଶାସକଙ୍କ ଅନୁମୋଦନ କ୍ରମେ ଆଠଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାର ପୂର୍ବତନ ଶାଖା ପରିଚାଳକ ପ୍ରମୋଦ କୁମାର ଦାସ, ପୂର୍ବତନ ସହକାରୀ ପରିଚାଳକ ନଳିନୀକାନ୍ତ ଆଚାର୍ଯ୍ୟଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି । ସେହିପରି ଚୌଦ୍ୱାର କେନ୍ଦ୍ର ସମବାୟ ଶାଖାର ପୂର୍ବତନ ସହକାରୀ ପରିଚଳାକ ଜିତେନ୍ଦ୍ର କୁମାର ମହାନ୍ତିଙ୍କୁ ବ୍ୟାଙ୍କିଂ ସହାୟକ ପଦକୁ ପଦାବନତ କରାଯାଇଛି ।
ଆଠଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାର ପୂର୍ବତନ ସହକାରୀ ପରିଚଳାକ ତଥା କୋଷାଧ୍ୟକ୍ଷ ବାବାଜୀ ଚରଣ ପ୍ରଧାନ ଓ ଆଠଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାର ପୂର୍ବତନ ବ୍ୟାଙ୍କ ସହାୟକ ନିରଞ୍ଜନ ପରିଡ଼ା ତଦନ୍ତ ମଧ୍ୟରେ ଚାକିରିରୁ ଅବସର ନେଇଛନ୍ତି । ସମସ୍ତ ପାଞ୍ଚଜଣ ଅଭିଯୁକ୍ତଙ୍କଠାରୁ ଅନିୟମିତତା ଅର୍ଥ ଆଦାୟ କରିବା ପାଇଁ ଆଦେଶ ହୋଇଛି ।
ସୂଚନାଯୋଗ୍ୟ ଯେ ଗୁରୁଡ଼ିଝାଟିଆ ସେବା ସମବାୟ ସମିତିରେ ଆର୍ଥିକ ଅନିୟମିତତା ଓ ବେଆଇନ କାରବାର ବିଷୟରେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତୁରନ୍ତ ନିବନ୍ଧକ ସମବାୟ ସମିତି ସମୂହ, ମହାସମୀକ୍ଷକ, ସମବାୟ ସମିତି ସମୂହଙ୍କ ତା.୧୨/୦୩/୨୦୨୦ରିଖ ନିର୍ଦ୍ଦେଶ କ୍ରମେ ଏକ ୧୧ ଜଣିଆ ତଦନ୍ତକାରୀ ଦଳ ଗଠନ କରାଯାଇଥିଲା । ତା.୦୩/୦୬/୨୦୨୦ରେ ତଦନ୍ତକାରୀ ଦଳ ସମିତିରେ ହୋଇଥିବା ଧାନକ୍ରୟ ତଥା ଫସଲ ଋଣ କାରବାରରେ ଅର୍ଥ ହେରଫେର ହୋଇଥିବା ଦର୍ଶାଇଥିଲେ । ତଦନ୍ତ ରିପୋର୍ଟରେ ଦର୍ଶାଯାଇଥିବା ଦୋଷୀ କର୍ମଚାରୀ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ୬ ଜଣ କର୍ମଚାରୀ ଯଥା ଶାଖା ପରିଚାଳକ ପ୍ରମୋଦ କୁମାର ଦାଶ, ସହକାରୀ ପରିଚାଳକ ନଳିନୀକାନ୍ତ ଆଚାର୍ଯ୍ୟ, ସହ-ପରିଚାଳକ ଚିତ୍ରାନନ୍ଦ ଜେନା, ସହ-ପରିଚାଳକ ବାବାଜୀ ପ୍ରଧାନ, ବ୍ୟାଙ୍କ ସହାୟକ ନିରଞ୍ଜନ ପରିଡ଼ା ଓ ଚୌଦ୍ୱାର ବ୍ୟାଙ୍କ ଶାଖାର ସହ ପରିଚଳାକ ଜିତେନ୍ଦ୍ର ମହାନ୍ତିଙ୍କ ସମେତ ଗୁରୁଡ଼ିଝାଟିଆ ସେବା ସମିତିରେ କାର୍ଯ୍ୟରତ ୩ ଜଣ କର୍ମଚାରୀ ଯଥା ସଂପାଦକ ବିଜୟ କୁମାର ଦାସ, ସହ-ସଂପାଦକ ସଂଗ୍ରାମ କେଶରୀ ସାହୁ ଓ ପିଅନ ପ୍ରବୋଧ ରଂଜନ ପରିଡ଼ାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା ।
ଗୁରୁଡିଝାଟିଆ ସେବା ସମିତିରେ ହୋଇଥିବା ଆର୍ଥିକ ଅନିୟମିତତା ଓ ହେରଫେର ଉପଯୁକ୍ତ ତଦନ୍ତ ଓ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସିଆଇଡି, କ୍ରାଇମ ବ୍ରାଞ୍ଚ, ଅର୍ଥନୈତିକ ଅପରାଧ ଶାଖା, ଭୁବନେଶ୍ୱରର ଏସ୍‌ପିଙ୍କୁ ନିବନ୍ଧକ ସମବାୟ ସମିତି ସମୂହ ଗତ ତା. ୧୦/୦୬/୨୦୨୦ ଓ ତା. ୦୬/୧୦/୨୦୨୦ରିଖରେ ଅନୁରୋଧ କରିଥିଲେ ଏବଂ ଏହି ତଦନ୍ତ ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଛି । ଏହି ତଦନ୍ତ ଆଧାରରେ ଯେଉଁ ଚାଷୀ ସଭ୍ୟଙ୍କର ଋଣ ଅର୍ଥ ପ୍ରଦାନରେ ହେରଫେର ପ୍ରମାଣିତ ହେବ, ଉକ୍ତ ଅର୍ଥ ଦାୟୀ କର୍ମଚାରୀମାନଙ୍କଠାରୁ ଆଦାୟ କରାଯିବ । ଅନିୟମିତତାରେ ସଂପୃକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆର୍ଥିକ ଅନିୟମିତତାରେ କ୍ଷତିଗ୍ରସ୍ତ ଋଣୀ ଚାଷୀମାନଙ୍କ ସ୍ୱାର୍ଥକୁ ଆଇନମତେ ସୁରକ୍ଷା ପ୍ରଦାନ କରାଯିବ ।
ସମବାୟ ସମିତି ମହାସମୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ୨୦୧୮-୧୯ ଓ ୨୦୧୯-୨୦ ବର୍ଷର ସମୀକ୍ଷା କରାଯାଉଅଛି ଓ ଇତି ମଧ୍ୟରେ ୨୦୧୮-୧୯ ବର୍ଷର ସମୀକ୍ଷା ଶେଷ ହୋଇଛି ଓ ୨୦୧୯-୨୦ର ସମୀକ୍ଷା ଚାଲୁ ରହିଛି । ସମୀକ୍ଷା ରିପୋର୍ଟ ହସ୍ତଗତ ହେଲାପରେ ସମବାୟ ସମିତି ଆଇନ-୧୯୬୨ ଧାରା ୬୭ ପ୍ରକାରେ ଦାୟୀ କର୍ମଚାରୀଙ୍କ ବିରୁଦ୍ଧରେ ସରଚାର୍ଜ ପ୍ରୋସିଡିଙ୍ଗ୍‌ ହୋଇ ଅର୍ଥ ଆଦାୟ ପାଇଁ ବ୍ୟବସ୍ଥା କରାଯିବ ବୋଲି ନିବନ୍ଧକ ସମବାୟ ସମିତି କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।
ତାପସ କୁମାର ସାହା
ସୂଚନା ଅଧିକାରୀ

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More