ଭାରତର କଡ଼ା ଜବାବ

କାଶ୍ମୀର ପ୍ରସଙ୍ଗ

0

ନୂଆଦିଲ୍ଲୀ : ଜାତିସଂଘ ସାଧାରଣ ପରିଷଦ ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହୱାଜ ସରିଫ୍‌ କାଶ୍ମୀର ପ୍ରସଙ୍ଗ ଉଠାଇବାରୁ ଏହାର କଡ଼ା ଜବାବ ଦେଇଛି ଭାରତ।
ନିଜ ଉଦ୍‌ବୋଧନରେ ସେହୱାଜ କାଶ୍ମୀର ପ୍ରସଙ୍ଗ ଉଠାଇବା ସହ ଭାରତ ବିରୋଧୀ ମନ୍ତବ୍ୟ ଦେଇଥିଲେ। ଜବାବରେ ଜାତିସଂଘରେ ଅବସ୍ଥାପିତ ଭାରତର ପ୍ରଥମ ସଚିବ ମିଜିଟୋ ଭିନିଟୋ କହିଥ​‌ିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇବା ଦୁର୍ଭାଗ୍ୟଜନକ। ସେହିପରି ସେହୱାଜ ଭାରତ ବିରୋଧୀ ମନ୍ତବ୍ୟ ଦେଇଥିବାରୁ ମିଜିଟୋ ଏହାର ନିନ୍ଦା କରିଥିଲେ। ଭାରତ ବିରୋଧରେ ପାକିସ୍ତାନ ଛାୟା ଯୁଦ୍ଧ ଚଳାଇ ଆସୁଥିବା ବେଳେ ଏହାକୁ ବିଶ୍ବବ୍ୟାପୀ ନିନ୍ଦା କରାଯାଉଛି। ଅନ୍ୟପକ୍ଷରେ ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇ ପାକିସ୍ତାନ ନିଜ ଭୁଲ୍‌ କାମକୁ ଠିକ୍‌ ବୋଲି ଦର୍ଶାଇବାକୁ ଅପଚେଷ୍ଟା କରୁଥିବା ମିଜିଟୋ ମତ ଦେଇଥିଲେ।
ସୂଚନାଥାଉ କି ଜାତିସଂଘରେ ଉଦ୍‌ବୋଧନ ଦେବା ସମୟରେ ସେହୱାଜ ୧୦ରୁ ଅଧିକ ଥର କାଶ୍ମୀର ଓ ୯ରୁ ଅଧିକ ଥର ଭାରତର ନାମ ନେଇଥିଲେ। ପୂର୍ବରୁ ପାକିସ୍ତାନର ଅନେକ ପ୍ରଧାନମନ୍ତ୍ରୀ ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ବଦନାମ୍‌ କରିବାକୁ ପ୍ରୟାସ କରିଥିବା ନଜିର ରହିଛି। ପାକିସ୍ତାନ ଆତଙ୍କବାଦକୁ ସମର୍ଥନ ଦେଉଥିବା ଅଭିଯୋଗ କରି ମିଜିଟୋ କହିଥ​‌ିଲେ ଯେଉଁ ଦେଶ ନିଜ ପଡ଼ୋଶୀଙ୍କ ସହ ଶାନ୍ତିରେ ରହିବାକୁ ଚାହେଁ ସେ ଦେଶ କେବେ ବି ସୀମାପାର ଆତଙ୍କବାଦକୁ ପ୍ରଶ୍ରୟ ଦେବା ଉଚିତ୍‌ ନୁହେଁ। ମୁମ୍ବଇ ଆକ୍ରମଣରେ ଲିପ୍ତ ଆତଙ୍କବାଦୀଙ୍କୁ ପାକିସ୍ତାନ ନିଜ ମାଟିରେ ଲୁଚାଇ ରଖିଥିଲା। ବିଶ୍ବ ସମୁଦାୟ ଚାପରେ ସେମାନଙ୍କ ସଂପର୍କରେ ପରବର୍ତ୍ତୀ ସମୟରେ ମୁହଁ ଖୋଲିଲା ବୋଲି ମିଜିଟୋ କହିଥିଲେ। ପାକିସ୍ତାନ ମାଟିରେ ଚାଲିଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ନେଇ ଭାରତ ଚିନ୍ତିତ ଏବଂ ଯେପର୍ଯ୍ୟନ୍ତ ପାକିସ୍ତାନ ନିଜ ଦେଶରେ ଥିବା ଆତଙ୍କବାଦୀ ସଂଗଠନ ଉପରେ କଡ଼ା କାଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ, ସେପର୍ଯ୍ୟନ୍ତ ଏହି ଦେଶ ସହ ଭାରତ କୌଣସି ପ୍ରକାର ଆଲୋଚନା କରିବ ନାହିଁ ବୋଲି ସେ ଦୋହରାଇଥିଲେ।
ଅନ୍ୟପକ୍ଷରେ ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ମିିଜିଟୋ ଚିନ୍ତାପ୍ରକଟ କରିବା ସହ ଏ ସମ୍ପର୍କରେ ପାକିସ୍ତାନ ସରକାର ମୂକ ପାଲଟିଥିବା ଅଭିଯୋଗ କରିଥିଲେ। ଭାରତ ଉପମହାଦେଶରେ ଶାନ୍ତି ରହୁ ବୋଲି ଚାହାନ୍ତି, ତେବେ ଏଥିପାଇଁ ପାକିସ୍ତାନକୁ ଆତଙ୍କବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ। ଏଥିସହ ପାକିସ୍ତାନରେ ରହୁଥିବା ସଂଖ୍ୟାଲଘୁଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦିଆଯିବା ଉପରେ ସେଠାକାର ସରକାର ଧ୍ୟାନ ଦେବା ସମୟର ଆହ୍ବାନ ବୋଲି ମିଜିଟୋ କହିଥିଲେ। ପ୍ରଥମେ ନିଜ ଦେଶରେ ଥିବା ସମସ୍ୟା ସୁଧାରିବା ଉପରେ ପାକିସ୍ତାନ ସରକାର ଦୃଷ୍ଟି ଦେବା ଉଚିତ୍‌ ବୋଲି ସେ ମତ ଦେଇଥିଲେ। ଉଲ୍ଲେଖଥାଉ କି ୨୦୨୦ ଜାତିସଂଘ ସାଧାରଣ ପରିଷଦ ବୈଠକରେ ତତ୍‌କାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଭାରତ ବିରୋଧୀ ମନ୍ତବ୍ୟ ଦେବାରୁ ମିଜିଟୋ କକ୍ଷତ୍ୟାଗ କରିଥିଲେ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More