ମୁମ୍ବଇ : ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଆଉ ଏକ ବଡ ତଥ୍ୟ ସାମନାକୁ ଆସିଛି । ୨୦୨୦ ନଭେମ୍ବର ୨୩ରେ ଶ୍ରଦ୍ଧା ତାଙ୍କ ପ୍ରେମିକ ଅଫତାବ ଅମିନ ପୁନାୱାଲାଙ୍କ ବିରୋଧରେ ପୁଲିସରେ ହତ୍ୟା ଧମକ ଦେବା ନେଇ ଅଭିଯୋଗ କରିଥିଲେ। ଅଫତାବ ତାଙ୍କୁ ମାରପିଟ୍ କରିବା ସହିତ ହତ୍ୟା କରିବାକୁ ଧମକ ଦେଇଥିବା ନେଇ ଶ୍ରଦ୍ଧା ମହାରାଷ୍ଟ୍ର ପାଲଘର ଜିଲା ତୁଲିଞ୍ଜ ଥାନାରେ ଅଭିଯୋଗ କରିଥିଲେ। ସେତେବେଳେ ମଧ୍ୟ ଶ୍ରଦ୍ଧା ଅଭିଯୋଗ କରିଥିଲେ ଯେ ହତ୍ୟା ପରେ ଅଫତାବ ତାଙ୍କୁ ଖଣ୍ଡଖଣ୍ଡ କରି କାଟିଦେବାକୁ ଧମକ ଦେଇଥିଲା। ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ମାତ୍ର ଅଭିଯୋଗ ଦାୟର କରିବାର କିଛି ଦିନ ପରେ ଶ୍ରଦ୍ଧା ତାଙ୍କ ଅଭିଯୋଗ ପ୍ରତ୍ୟାହାର କରି ନେଇଥିଲେ। ତେଣୁ ମାମଲା ବନ୍ଦ ହୋଇ ଯାଇଥିଲା ବୋଲି ପୁଲିସ କହିଛନ୍ତି। ଅଭିଯୋଗ ପ୍ରତ୍ୟାହାର ସମୟରେ ଶ୍ରଦ୍ଧା ପୁଲିସକୁ ଲିଖିତ ଭାବେ ଜଣାଇଥିଲେ ଯେ ଅଫତାବଙ୍କ ସହିତ ତାଙ୍କର ହୋଇଥିବା ବିବାଦର ସମାଧାନ ହୋଇଯାଇଛି। ପରବର୍ତ୍ତୀ ସମୟରେ ଶ୍ରଦ୍ଧାଙ୍କୁ ଅଫତାବ ହତ୍ୟା କରିବା ସହିତ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ଏଣେତେଣେ ଫିଙ୍ଗି ପ୍ରମାଣ ନଷ୍ଟ କରିଦେଇଥିଲା। ୨୦୧୯ରେ ଅଫତାବ ଓ ଶ୍ରଦ୍ଧାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ପରିବାରର ବିରୋଧ ସତ୍ତ୍ବେ ସେମାନେ ଏକାଠି ରହୁଥିଲେ। ଶେଷରେ ସେମାନେ ମୁମ୍ବଇ ଛାଡି ଦିଲ୍ଲୀ ପଳାଇ ଆସିଥିଲେ। ଦିଲ୍ଲୀରେ ମଧ୍ୟ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଯୁକ୍ତିତର୍କ ଓ ମନୋମାଳିନ୍ୟ ହେଉଥିଲା। ଏହି ଯୁକ୍ତିତର୍କକୁ ନେଇ ୨୦୨୨ ମେ ମାସରେ ଅଫତାବ ଶ୍ରଦ୍ଧାକୁ ହତ୍ୟା କରିଥିଲା। ହତ୍ୟାର ପ୍ରାୟ ୬ମାସ ପରେ ଶ୍ରଦ୍ଧାଙ୍କ ପିତା କରିଥିବା ଅଭିଯୋଗ ଆଧାରରେ ପୁଲିସ ହତ୍ୟାକାଣ୍ଡର ପର୍ଦାଫାସ କରିବା ସହିତ ଅଫତାବକୁ ଗିରଫ କରିଥିଲା। ମାତ୍ର ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡ ସମ୍ପର୍କିତ ସବିଶେଷ ତଥ୍ୟ ପ୍ରମାଣ ପୁଲିସ ଯୋଗାଡ କରିବାରେ ବିଫଳ ହୋଇଛି। ଇତି ମଧ୍ୟରେ ଅଫତାବର ପଲିଗ୍ରାଫ ଟେଷ୍ଟ କରାଯାଇଛି। ଅଫତାବର ପିତାମାତାଙ୍କୁ ମଧ୍ୟ ପୁଲିସ ଜେରା କରିଛି।