ଦୈତନଗରୀ ଶକ୍ତିପିଠରେ ମାଙ୍କ ଆର୍ବିଭାବ …ଓଡିଶା ଅପଡେଟର ବିଶେଷ ଉପସ୍ଥାପନା

0

କଟକ/ଭୁବନେଶ୍ୱର – ଜଗତଜନନୀ ମାଙ୍କ ଆଗମନରେ ଗାଁ ଠୁ ସହର ଏବେ ସବୁ ଶକ୍ତି ପିଠ ଚଳଚଞ୍ଚଳ । ସୋମବାର ଠାରୁ ସମସ୍ତ ଶକ୍ତି ପିଠରେ ଦେବୀ ମାଙ୍କ ମହାସପ୍ତମୀ ପୁଜା ଆରମ୍ବ ହୋଇଯାଇଛି । ତ୍ରିଦିନାତ୍ମକ ପୁଜା ରେ ଆଜି ପୀଠରେ ମହାଷ୍ଟମୀ ମଙ୍ଗଳବାର ଦିନ ଆସନ୍ତାକାଲି ବୁଧବାର ସନ୍ଧିପୂଜାରେ ବଳିଦାନ । ଆସନ୍ତାକାଲି ସନ୍ଧିପୁଜା ୧୨ ଟା୨ରୁ ଆରମ୍ଭ ହୋଇ ୧୨.୫୦ ମିନଟରେ ସମାପନ ହେବ । ସମସ୍ତ ଶକ୍ତିପିଠରେ ଗୁରୁବାର ଦିନ ବିଶ୍ରାମ ଓ ଶୁକ୍ରବାର ସର୍ବତ୍ର ଦଶହରା ।
ଗିରିଜାଈ ଶକ୍ତିପୀଠ
ଉଚ୍ଚସାହି(କେଶରପୁର)ରେ ଅତି ପ୍ରାଚୀନ ପୀଠ ହେଉଛି ଗିରିଜାଈମଙ୍ଗଳାଙ୍କ ପୀଠ। ତଥ୍ୟ ଅନୁସାରେ ଶତାଧିକ ବର୍ଷ ତଳେ ଏହି ଅଞ୍ଚଳରେ ଥିଲା ପାଞ୍ଚଟି ବଡ଼ ପୋଖରୀ। ଏବେ ଯେଉଁଠି ମହାମାୟା ସ୍କୁଲ ରହିଛି, ସେଠି ଥିଲା ଏକ ଗିରିଙ୍ଗା ଗଛ। ସେହି ଗଛମୂଳେ ମଙ୍ଗଳା ରୂପେ ପୂଜା ପାଉଥିଲେ ମା’ଗିରିଜାଈ। ଶତାଧିକ ଛୋଟ ଛୋଟ ମୁଗୁନି ପଥରକୁ ଖଞ୍ଜି ଦେବୀଙ୍କ ଆକୃତି ଗଢାଯାଇଥିଲା। ତେବେ ଏ ପଥର କେଉଁଠୁ କିଏ ଆଣି ଦେବୀଙ୍କୁ ଗଢିଥିଲା, ତାହାର କୌଣସି ଇତିହାସ ନାହିଁ। ଖୋଲାମେଲାରେ ଦେବୀ ଢେର୍ ଦିନ ପୂଜା ପାଇବା ପରେ ସେ ଅଞ୍ଚଳର ସୁଲୋଚନା ସିଂହ ୧୦ଡେସିମିଲ ଜମି ଦାନ କରିଥିଲେ। ସେହି ଜମିରେ ଦେବୀଙ୍କ ମନ୍ଦିର ତିଆରି ହୋଇ ଠାକୁରାଣୀଙ୍କୁ ସ୍ଥାପନା କରାଗଲା। ଏହି ପୀଠର ସେବକ ହେଉଛନ୍ତି ମନିଆ ମହାନା ଏବଂ ପୂଜକ ଅଛନ୍ତି ଉମାକାନ୍ତ ତ୍ରିପାଠୀ। ଲକ୍ଷ୍ମୀନାରାୟଣ ସିଂ, ମୋହିତ କୁମାର ସାସମଲ ଓ ମନୋରଞ୍ଜନ ନାୟକ ପ୍ରମୁଖ ପୀଠ ପରିଚାଳନାରେ ସହଯୋଗ କରନ୍ତି।

ପାର୍ବତୀ ଶକ୍ତିପୀଠ
ଅମରେଶ୍ୱର ମନ୍ଦିରରେ ରହିଛି ପାର୍ବତୀଙ୍କ ଶକ୍ତିପୀଠ ଏବଂ ଏଠାରେ ଦୁର୍ଗୋତ୍ସବରେ ଦେବୀଙ୍କ ଷୋଡଶ ଉପଚାର ହୁଏ। ଏଠି ପାର୍ବତୀଙ୍କ ଷୋଳବେଶ କିଛିଟା ଅଲଗା। ପାର୍ବତୀ ଏଠି ଦୁର୍ଗା ବେଶ ଧାରଣ କରିବା ସାଙ୍ଗକୁ ଉମା, କାତ୍ୟାୟନୀ, ନାରାୟଣୀ, ସତୀ, କୌମାରୀ, କାଳୀକା ବେଶ ଧାରଣ ପରେ ନବରାତ୍ର ଆରମ୍ଭ ଦିନ ଚଣ୍ଡିକା ରୂପରେ ବେଶ ହୁଅନ୍ତି ଏବଂ ପରେ ପରେ ଅମ୍ବିକା, ବ୍ରହ୍ମାଣୀ, ପାର୍ବତୀ, ଯୋଗିନୀ ଓ ଭଗବତୀ ବେଶ ଧାରଣ କରି ପୀଠେ ମହାଷ୍ଟମୀରେ ତ୍ରିପୁରା ଓ ମହାନବମୀରେ ମଙ୍ଗଳା ସାଜନ୍ତି। ପୁଣି ବିଶ୍ରାମ(ଏଥର ଗୁରୁବାର) ଦିନ ଅବଳା ବେଶ ଧାରଣ କରି ବିଜୟାଦଶମୀରେ ଜୟଦୁର୍ଗା ହେବେ। ଏହି ପାର୍ବତୀ ପୀଠର ଦାୟିତ୍ୱରେ ଅଛନ୍ତି ପୂଜକ ରମେଶ ଚନ୍ଦ୍ର ଦାଶ। ସେ ନିଜେ ଠାକୁରାଣୀଙ୍କୁ ବେଶ କରନ୍ତି। ବଂଶାନୁକ୍ରମେ ଏହା ଗଡି ଆସୁଛି। ପୂର୍ବରୁ ରମେଶଙ୍କ ପିତା ସ୍ୱର୍ଗତ ଗଣେଶ୍ୱର ଦାଶ ଷୋଡଶ ଉପଚାରରେ ପାର୍ବତୀଙ୍କୁ ବେଶ କରୁଥିଲେ ଏବଂ ତାହା ପୂର୍ବରୁ ସେ ଦାୟିତ୍ୱରେ ଥିଲେ ତାଙ୍କ ଜ୍ୟେଷ୍ଠ ଭ୍ରାତା ସ୍ୱର୍ଗତ ମହେଶ୍ୱର ଦାଶ।

ଝାଞ୍ଜିରୀମଙ୍ଗଳା ଶକ୍ତିପୀଠ
ଜନଶ୍ରୁତି ଅନୁସାରେ; ବହୁବର୍ଷ ତଳେ ଏ ଅଞ୍ଚଳ ଯେବେ ଘନଜଙ୍ଗଲ ଥିଲା, ଏବଂ କାଠଯୋଡି ନଦୀକୁ ବାଲିପଥ ଲମ୍ବିଥିଲା; ସେ କାଳରେ ବୈଶାଖର ଝାଞ୍ଜିଖରାରେ ବ୍ୟାଧିଗ୍ରସ୍ତ ଜନୈକ ଆଭିଜାତ୍ୟବଂଶଜ, କୌଣସି ଅଜଣା ଠାକୁରାଣୀଙ୍କ କୃପା ଲଭି ରୋଗମୁକ୍ତ ହେବା ସହ ତାଙ୍କୁ ପ୍ରସ୍ତର ପ୍ରତିମା ରୂପେ ଲାଭ କରିଥିଲେ। ରୋଗମୁକ୍ତ ସେହି ବ୍ୟକ୍ତିଙ୍କ ଦ୍ୱାରା ଏଠି ଏକ ମନ୍ଦିର ତୋଳାଯାଇ ଠାକୁରାଣୀଙ୍କ ପ୍ରତିମା ପ୍ରତିଷ୍ଠା କରାଗଲା ଓ ମଙ୍ଗଲା ରୂପେ ତାଙ୍କୁ ପୂଜା କରାଗଲା। ଝାଞ୍ଜିଖରା ସମୟରେ ସେ ପ୍ରାପ୍ତ ହେତୁ ଝାଞ୍ଜିରୀମଙ୍ଗଳା ନାମରେ ଖ୍ୟାତ ହେଲେ। ଝାଞ୍ଜିରୀମଙ୍ଗଳା, ଭଗତପୁର, ବାମ୍ଫିସାହି, ବଙ୍ଗାଳୀସାହି, ବଢେଇସାହି, ପିଠାପୁର ଓ ଝୋଲାସାହି ଆଦି ସାତସାହିର ଇଏ ଠାକୁରାଣୀ। ଶରତକାଳୀନ ଦୁର୍ଗୋତ୍ସବରେ ଏଠିହୁଏ ମା’ଙ୍କ ଷୋଡ଼ଶୋପଚାର ପୂଜା ଓ ଷୋହଳ ବେଶ। ପୀଠର ନିୟମିତ ପୂଜକ ହେଉଛନ୍ତି ଯୋଗେଶ ରଣା ଓ ଅଭିମନ୍ୟୁ ରଣା। ଷୋଡ଼ଶୋପଚାର ପୂଜା କରିଥାଆନ୍ତି ପଣ୍ଡିତ ଚନ୍ଦ୍ରଶେଖର ଦାଶ ଓ ପଣ୍ଡିତ ବଳରାମ ଦାଶ।

ବିମଳା ଶକ୍ତିପୀଠ
ଏ ମହାନଗରୀରେ ଭରିରହିଥିବା ବିଭିନ୍ନ ଶକ୍ତିପୀଠ ମଧ୍ୟରୁ ବିମଳା ଠାକୁରାଣୀଙ୍କ ପୀଠର କଥା ଅବଶ୍ୟ କିଛିଟା ଭିନ୍ନ। ନୂଆପାଟଣା(ମଙ୍ଗଳାବାଗ)ସ୍ଥିତ ଏହା ଏକ ଏଭଳି ଶକ୍ତିପୀଠ, ଯାହା ମାତ୍ର ୨୦ ବର୍ଷ ତଳେ ସ୍ଥାପିତ ହୋଇଛି। କୋଡିଏ ବର୍ଷ ତଳେ ଜଣେ ସନ୍ଥପୁରୁଷଙ୍କ ଆବିର୍ଭାବ ଘଟିଥିଲା ଚନ୍ଦନ ପଡିଆରେ ଏବଂ ରାଧାମୋହନ ମନ୍ଦିର ପରିସରରେ ବିମଳାଙ୍କ ସ୍ଥାପନା ଓ ପୂଜା ପାଇଁ ସେ ପରାମର୍ଶ ଦେଇଥିଲେ। ପୁରୀରୁ ବିମଳାଙ୍କ ପ୍ରସ୍ତରମୂର୍ତ୍ତି ଆସିବା ପରେ ସମସ୍ତ ଗ୍ରାମବାସୀଙ୍କ ସହାୟତାରେ ବିଶେଷ ରୀତିନୀତିରେ ଦେବୀଙ୍କ ସ୍ଥାପନା ହୋଇଥିଲା। ପ୍ରତି ମଙ୍ଗଳବାର ବିମଳାଙ୍କଠାରେ ପଣାଭୋଗ ଲାଗି ହୋଇଥାଏ ଏବଂ ବହୁ ଭକ୍ତଙ୍କ ସମାଗମ ଘଟେ। ନୂଆପାଟଣାର ରାଧାମୋହନ ମନ୍ଦିର ପରିସରରେ ରହିଛି ବିମଳାଙ୍କ ପୀଠ। ଦେବୀ ଚତୁର୍ଭୁଜା; ଖଡ୍ଗ ଓ ତ୍ରିଶୂଳ ତାଙ୍କର ମୁଖ୍ୟ ଆୟୁଧ। ଶରତକାଳୀନ ଦୁର୍ଗୋତ୍ସବରେ ଦେବୀଙ୍କ ନବଦିନାତ୍ମକ ପୂଜା କରାଯାଇଥାଏ। ବିଜୟାଦଶମୀରେ ଦେବୀଘଟ ବିସର୍ଜିତ ହୋଇଥାଏ।

ଧାକୁଲେଈ ଶକ୍ତିପୀଠ
ଏହି କ୍ରମରେ ଆସୁଛି ପିଠାପୁର ଧାକୁଲେଈଙ୍କ ପୀଠର କଥା। ଏହା ଅତି ପ୍ରାଚୀନ ଶକ୍ତିପୀଠ। ତଥ୍ୟ ଅନୁସାରେ ଶତାଧିକ ବର୍ଷ ତଳେ ଏହି ଅଞ୍ଚଳରେ ଥିଲା ଏକତ୍ର ତିନିଟି ବିଶାଳ କଇଁଆ, ଅଶ୍ୱତ୍ଥ ଓ ବରଗଛ। ସେହି ଗଛତଳେ ଦେବୀ ଧାକୁଲେଈଙ୍କୁ ଏକ ଛୋଟ ଦେଉଳିରେ ପୂଜା କରାଯାଉଥିଲା। ଦେଉଳିଟି ପୁରୁଣା ହୋଇ ଭଗ୍ନପ୍ରାୟ ଅବସ୍ଥାକୁ ଆସିବାରୁ ୨୦୦୦ମସିହାରେ ମନ୍ଦିର ତିଆରି ହୋଇ ମା’ଙ୍କ ପ୍ରତିମା ସ୍ଥାପନା ହେଲା। ଦେବୀ ଚତୁର୍ଭୁଜା। ବୈଷ୍ଣବ ରୀତିରେ ଦେବୀଙ୍କୁ ପୂଜା କରାଯାଏ; ପୀଠରେ ଆମିଷ ପ୍ରବେଶ ହୁଏନାହିଁ। ଶରତକାଳୀନ ଦୁର୍ଗୋତ୍ସବରେ ଧାକୁଲେଈଙ୍କ ଷୋଡ଼ଶୋପଚାର ନବଦିନାତ୍ମକ ପୂଜା କରାଯାଇଥାଏ। ୨୦୦୨ ମସିହାରୁ ଦେବୀଙ୍କ ଷୋହଳ ବେଶ ଆରମ୍ଭ ହୋଇଛି। ଷୋହଳ ଦିନ ଯାଏ ପ୍ରତ୍ୟହ ଚଣ୍ଡୀପାଠ, ହୋମ ଓ ଉପଚାର ପୂଜା କରାଯାଏ। ଭୋର ଚାରିଟାରେ ଦେବୀଙ୍କ ସ୍ନାନକାର‌୍ୟ୍ୟ ପରେ ବେଶ କରାଯାଇଥାଏ।

ନାଣ୍ଡିଆ ଠାକୁରାଣୀ ଶକ୍ତିପୀଠ
ମହାନଗର ନିଗମ ଅଧୀନସ୍ଥ ୫୬ନମ୍ବର ୱାର୍ଡସ୍ଥିତ କାଜିପାଟଣା ଗ୍ରାମରେ ଏହା ଅତି ପ୍ରାଚୀନ ଶକ୍ତିପୀଠ। ନାଣ୍ଡିଆ ଠାକୁରାଣୀ ହେଉଛନ୍ତି ଦେବୀ ମଙ୍ଗଳା। ପ୍ରାୟ ଦୁଇଶହ ବର୍ଷ ତଳେ ଏକ ବରଗଛ ମୂଳେ ଦେବୀ ପୂଜା ପାଉଥିଲେ। ତେବେ କାଠଯୋଡି ନଦୀ କୂଳଖାଇବା ଦୃଷ୍ଟିରୁ କାଜିପାଟଣା ବସତି ଘୁଞ୍ଚିଆସିଲା ଏବଂ ଦେବୀଙ୍କୁ ସେଠାରୁ ଆଣି ବର୍ତ୍ତମାନର ପୀଠରେ ପ୍ରତିଷ୍ଠା କରାଗଲା। ପୂର୍ବ ବରଗଛଟିର ମୂଳଅଂଶ ଏବେ ବି ନଦୀଗର୍ଭରେ ରହିଛି ଏବଂ ପାଣି ଶୁଖିଆସିଲେ ତାହା ପଦାକୁ କଦାକ୍ୱଚିତ୍ ଦୃଶ୍ୟ ହେଉଛି। ଦେବୀ ଚତୁର୍ଭୁଜା; ଖଡ୍ଗ ଓ ତ୍ରିଶୂଳ ତାଙ୍କର ମୁଖ୍ୟ ଆୟୁଧ। ଏବେ ନାଣ୍ଡିଆ ଠାକୁରାଣୀଙ୍କ ପୀଠର ମୁଖ୍ୟପୂଜକ ଅଛନ୍ତି ପଣ୍ଡିତ ବିଦ୍ୟାଧର ପଣ୍ଡା। ପୁଜାରେ ସହାୟତା କରିଥାଆନ୍ତି ପୂଜକ ନରେନ୍ଦ୍ର ପଣ୍ଡା। ଶରତକାଳୀନ ଦୁର୍ଗୋତ୍ସବରେ ଦେବୀଙ୍କ ଏକଦିନାତ୍ମକ ପୂଜା କେବଳ ମହାଷ୍ଟମୀରେ କରାଯାଇଥାଏ। ସନ୍ଧିପୂଜା ପରେ ପ୍ରତ୍ୟୁଷରେ ଦେବୀଘଟ ବିସର୍ଜିତ ହୋଇଥାଏ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More