ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ସୁନ୍ଦରଗଡ଼ ପୋଲିସର ‘ସିନିୟର ସିଟିଜେନ୍ କନେକ୍ଟ ସେଲ୍‌’

0

ସୁନ୍ଦରଗଡ଼, ସରୋଜ କୁମାର ମିଶ୍ର,ରାଜଗାଙ୍ଗପୁର : ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସହରାଞ୍ଚଳରେ ଘରେ ଏକାକୀ ରହୁଥିବା ବରିଷ୍ଠ ନାଗରିକମାନଙ୍କୁ ସୁରକ୍ଷା ଦେବା ଲାଗି ଏକ ବିଶେଷ ପଦକ୍ଷେପ ନେଇଛି ପୋଲିସ ପ୍ରଶାସନ । ସୁନ୍ଦରଗଡ଼ ପୋଲିସ ପକ୍ଷରୁ ‘ସିନିୟର ସିଟିଜେନ କନେକ୍ଟ ସେଲ’ଗଠନ କରାଯାଇ ଏହି ବର୍ଗର ପ୍ରତ୍ୟେକ ବରିଷ୍ଠ ନାଗରିକଙ୍କୁ ଫଟୋ ପରିଚୟପତ୍ର ବଣ୍ଟନ କରାଯାଉଛି । ସୁନ୍ଦରଗଡ଼ ସହିତ ରାଜଗାଙ୍ଗପୁର ଓ ବୀରମିତ୍ରପୁର ସହରାଞ୍ଚଳରେ ଏହି କାର୍ଯ୍ୟକ୍ରମ କରାଯାଉଛି । ବୁଧବାର ଦିନ ଏସ୍‌ଡିପିଓ ମଧୁସିକ୍ତା ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ସୁନ୍ଦରଗଡ଼ ପୌରପାଳିକାରେ ରହୁଥିବା ବରିଷ୍ଠ ନାଗରିକମାନଙ୍କ ଘରକୁ ଯାଇ ଏହି ପରିଚୟପତ୍ର ବଣ୍ଟନ କାର୍ଯ୍ୟ ଆରମ୍ଭ କରିଥିଲେ । ଆସନ୍ତା ୭ ଦିନ ଭିତରେ ପୋଲିସ ଅଧିକାରୀମାନେ ଜିଲ୍ଲାର ସଂପୃକ୍ତ ୩ଟି ପୌରାଞ୍ଚଳରେ ଘରେ ଏକାକୀ ରହୁଥିବା ବରିଷ୍ଠ ନାଗରିକମାନଙ୍କୁ ଭେଟି ପରିଚୟପତ୍ର ପ୍ରଦାନ କରିବେ । ଏହି ବରିଷ୍ଠ ନାଗରିକମାନେ ଆବଶ୍ୟକ ସମୟରେ ସିଧାସଳଖ ପୋଲିସ ସହ ଯୋଗାଯୋଗ କରିପାରିବେ । ଯଦି କୌଣସି ବ୍ୟକ୍ତି ଏସପିଙ୍କ ସହ ଯୋଗାଯୋଗ କରିବାକୁ ଚାହୁଁଥିବେ ତେବେ କାର୍ଡରେ ଥିବା ହ୍ୱାଟ୍ସଅପ୍ ନମ୍ବରରେ ଭିଡିଓ କଲ୍ କରିପାରିବେ । ଏପରିକି କାହାର ଯଦି କୌଣସି ଅଭିଯୋଗ ଥାଏ ଏବଂ ସେ ଏତାଲା ଦେବାକୁ ଚାହୁଁଥାନ୍ତି ତାଙ୍କୁ ଥାନାକୁ ଆସିବାକୁ ପଡ଼ିବ ନାହିଁ । ସଂପୃକ୍ତ ଥାନାର ଅଧିକାରୀ ତାଙ୍କ ଘରକୁ ଯାଇ ଏଫଆଇଆର୍ ଗ୍ରହଣ କରିବେ । “ସୁନ୍ଦରଗଡ଼ର ସହରାଞ୍ଚଳରେ ଅନେକ ବରିଷ୍ଠ ନାଗରିକ ଏକାକୀ ରହୁଛନ୍ତି । ତେଣୁ ସେମାନଙ୍କ ସୁରକ୍ଷା ସହ ଜରୁରୀକାଳୀନ ସହାୟତା ଦେବା ପାଇଁ ପୋଲିସ ପ୍ରଶାସନ ପ୍ରସ୍ତୁତ ରହିଛି । ଜିଲ୍ଲା ପୋଲିସ ପକ୍ଷରୁ ସେଥିପାଇଁ ଏହି ବିଶେଷ ପଦକ୍ଷେପ ଆରମ୍ଭ କରାଯାଇଛି । ବରିଷ୍ଠ ନାଗରିକମାନଙ୍କ ପାଇଁ ଏହା ବେଶ୍ ସହାୟକ ହେବ ବୋଲି ମୁଁ ଆଶା କରୁଛି’’, କହିଛନ୍ତି ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ । ଏହି ପରିଚୟପତ୍ରରେ ବରିଷ୍ଠ ନାଗରିକଙ୍କ ଫଟୋ, ବ୍ଲଡ୍ ଗ୍ରୁପ ସହ ମୋବାଇଲ ନମ୍ବର ଦିଆଯାଇଛି । ଏହା ସହ ଜିଲ୍ଲା ପୋଲିସର ଅଭିଯୋଗ ପ୍ରକୋଷ୍ଠ ନମ୍ବର ମଧ୍ୟ ଉଲ୍ଲେଖ ରହିଛି । କୋଭିଡ୍ ସମୟରେ ଘରୁ ବାହାରକୁ ନ ଆସିବା ଲାଗି ବରିଷ୍ଠ ନାଗରିକମାନଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଯେଉଁ ବରିଷ୍ଠ ନାଗରିକମାନେ ହୋମ୍ ଆଇସୋଲେସନରେ ଅଛନ୍ତି ସେମାନଙ୍କୁ ଘର ପାଖରେ ଖାଦ୍ୟ ଏବଂ ଔଷଧ ଯୋଗାଇ ଦେବା ପାଇଁ ପୋଲିସ ପଦକ୍ଷେପ ନେଉଛି । ବରିଷ୍ଠ ନାଗରିକଙ୍କ ସୁବିଧା ଅସୁବିଧା ଜାଣିବା ପାଇଁ ପୋଲିସ ସେମାନଙ୍କୁ ସପ୍ତାହରେ ଅନ୍ତତଃ ଥରେ ଭେଟିବେ । ସହାୟତା ପାଇଁ ବରିଷ୍ଠ ନାଗରିକମାନେ ଯେକୌଣସି ସମୟରେ ପୋଲିସକୁ ଦିଆଯାଇଥିବା ସହାୟତା ନମ୍ବରରେ ଯୋଗାଯୋଗ କରିପାରିବେ । ବରିଷ୍ଠ ନାଗରିକଙ୍କ କୌଣସି ସମସ୍ୟା ବା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇଛି । ଏଚଆରପିସିର ଡିଏସପି ପିକେ ବିଶ୍ୱାଳଙ୍କ ନେତୃତ୍ୱରେ ଗଠିତ ଏହି ସେଲର କାର୍ଯ୍ୟକୁ ସୁନ୍ଦରଗଡ ଏସପି ତଦାରଖ କରିବେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More