ଆଶା ଥିଲା ସୁପ୍ରିମକୋର୍ଟରେ ଆଇନଶୃଂଖଳା ଆଳ ଦେଖାଇ ଆବେଦନ କରିବେ, ଆଉ ସର୍ବୋଚ୍ଚ ନ୍ୟାୟାଳୟ ପଦ୍ମାବତ୍ ଫିଲ୍ମ ରିଲିଜ ଉପରେ ରୋକ୍ ଲଗାଇଦେବେ । ଅର୍ଥାତ୍ ଗୋଟିଏ ଗୁଳିରେ ଦୁଇଟି ଶିକାର । ପଦ୍ମାବତକୁ ବିରୋଧ ଓ ରିଲିଜ ହୋଇପାରିବନି । ହେଲେ ସୁପ୍ରିମକୋର୍ଟରେ ହୋଇଥିବା ପୁନଃବିଚାର ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ । ଏଥିସହିତ ପଦ୍ମାବତକୁ ନେଇ ହୋଇଥିବା ସମସ୍ତ ଆବେଦନ ବି ଖାରଜ ହୋଇଛି । ଆବେଦନକାରୀ ରାଜ୍ୟ ରାଜସ୍ଥାନ ଓ ମଧ୍ୟପ୍ରଦେଶକୁ ସର୍ବୋଚ୍ଚ ନ୍ୟାୟାଳୟ ତାଗିତ୍ କରିଛନ୍ତି, ଗତ ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟକୁ ପାଳନ କରିବାକୁ ବି ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧିନରେ ଥିବା ୩ ଜଣିଆ ଜଜ୍ ଏହାର ଶୁଣାଣି କରିଥିଲେ । କୋର୍ଟ ଆବେଦନକାରୀଙ୍କ ପୁନଃବିଚାର ଆବେଦନକୁ ଖାରଜ କରିଛନ୍ତିା ମଧ୍ୟପ୍ରଦେଶ ଓ ରାଜସ୍ଥାନ ସରକାର ବିବାଦୀୟ ସ୍ଥିତି ଓ ବିରୋଧର ଆଳ ଦେଖାଇ ମୁଭି ରିଲିଜକୁ ଏହି ୨ ରାଜ୍ୟରେ ବାରଣ କରିବାକୁ ଅନୁମତି ଚାହିଁଥିଲୋ ହେଲେ ଏଥିରେ ଏବେ ନିରାଶା ମିଳିଛି । କରନୀ ସେନା ବି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ହେଲେ ଚିଫ୍ ଜଷ୍ଟିସ୍ ଦୀପକ ମିଶ୍ରଙ୍କ ନେତୃତ୍ୱରେ ଥିବା ତିନି ଜଣିଆ ଖଣ୍ଡପୀଠ ଏହାକୁ ଖାରଜ କରିଦେଇଛନ୍ତି । ଏହା ସହିତ କୋର୍ଟ ଦେଇଥିବା ପୁରୁଣା ନିର୍ଦ୍ଦେଶ ପାଳନ ପାଇଁ ପରାମର୍ଶ ଦେଇଛନ୍ତିା ଫିଲ୍ମ ରିଲିଜ୍ ହେବାକୁ ଦିଆଯାଉ, କିନ୍ତୁ ଯେଉଁ ରାଜ୍ୟରେ ବିରୋଧ ହେବ ବୋଲି ଆଶା କରାଯାଉଛି, ସେହି ରାଜ୍ୟ ଲୋକଙ୍କୁ ଫିଲ୍ମ ନଦେଖିବାକୁ ପରାମର୍ଶ ଦେବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି । ପୂର୍ବରୁ ରାଜସ୍ଥାନ, ମଧ୍ୟପ୍ରଦେଶ , ହରିୟାଣା ଓ ଗୁଜରାଟ ସରକାର ଏହି ମୁଭିକୁ ରିଲିଜ କରାଯିବ ନାହିଁ ବୋଲି କଟକଣା ଲଗାଇଥିଲେ । ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ମୁଭି ପଦ୍ମାବତ୍ ରିଲିଜର ବାଟ ସଫା ହୋଇଛି । ତେଣୁ ଆସନ୍ତାକାଲି ବଡ ପରଦାକୁ ଆସିବ ପଦ୍ମାବତ୍ । ରାଜପୁତ୍ ଜାତିର ଇତିହାସକୁ ନେଇ ନିର୍ଦ୍ଦେଶକ ସଂଜୟଲୀଲା ଭଁସାଲୀ ଏହି ଚଳଚିତ୍ର କରିଛନ୍ତି । ମୁଖ୍ୟ ଚରିତ୍ରରେ ଅଛନ୍ତି ଦୀପିକା ପାଦୁକୋନ୍, ରଣବୀର୍ ସିଂ ଓ ସାହିଦ୍ କପୁର । ସେପଟେ ମୁଭି ରିଲିଜ ହେଲେ ସିନେମା ହଲ୍ ଜାଳି ଦିଆଯିବ ବୋଲି ଚେତାବନୀ ଦେଇଛି କରନୀ ସେନା । ମୁଭିକୁ ଗତ ୧୮ ତରିଖରେ ସେନସର ବୋର୍ଡ ଗ୍ରୀନ୍ ସିଗନାଲ୍ ବି ଦେଇସାରିଛି । ହେଲେ ଏହା ପରେ ବି ବିବାଦ ଥମୁନି । ଏଭଳି ସ୍ଥିତିରେ ସମସ୍ତଙ୍କ ନଜର ରହିଛି ୨୫ ଜାନୁଆରୀରେ ମୁଭିର ରିଲିଜ ଉପରେ ।