ସାଉଦି ଆରବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସାଉଦି ସରକାରଙ୍କ ନିଷ୍ପତ୍ତିକ୍ରମେ ମହିଳାଙ୍କ ଡ୍ରାଇଭିଂ ଉପରେ ଲଗାଯାଇଥିବା କଟକଣାକୁ ହଟାଇ ଦିଆଯାଇଛି। ସାଉଦି ସରକାର ୪ବର୍ଷ ପୂର୍ବେ ଏହି କଟକଣା ଲାଗୁ କରିଥିଲେ। କିନ୍ତୁ ଏବେ ଏହି କଟକଣାକୁ ପ୍ରତ୍ୟାହାର କରିନିଆଯାଇଛି। ଏଣିକି ସାଉଦିରେ ମହିଳାଙ୍କୁ ଡ୍ରାଇଭିଂ କରିବାର ଦେଖିବାକୁ ମିଳିବ।
ଏପରିକି ଆଗାମୀ ଦିନରେ ସାଉଦି ମହିଳା ବୁଲେଟ୍ ଟ୍ରେନ୍ ଚଲାଉଥିବାର ମଧ୍ୟ ଦେଖିବା ତଥା ଶୁଣିବାକୁ ମିଳିବ। ସାଉଦିର କ୍ରାଉନ୍ ପ୍ରିନ୍ସ ଏବଂ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନ୍ଙ୍କ ଭିଜନ୍-୨ଠ୨୩ ଅନ୍ତର୍ଗତ ମହିଳାଙ୍କ ଏହି ସ୍ୱପ୍ନ ସାକାର ହେବାକୁ ଯାଉଛି। ସାଉଦିଆରବ ରେଲ୍ୱେଜ୍ (ଏସ୍ଏଆର୍) ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଏଥିସହ ଦୁଇ ମହିଳା ବୁଲେଟ୍ ଟ୍ରେନ୍ ଚଳାଉଥିବା ଏକ ଭିଡିଓକୁ ମଧ୍ୟ ରେଲ୍ୱେଜ୍ ପକ୍ଷରୁ ଶେୟାର କରାଯାଇଛି। ୩୨ ମହିଳାଙ୍କ ପ୍ରଥମ ବ୍ୟାଚ୍ ଟ୍ରେନିଂ ସମ୍ପୂର୍ଣ୍ଣ କରିସାରିଛନ୍ତି । ଏମାନଙ୍କୁ ପ୍ରଥମ ନିଯୁକ୍ତି ଭାବେ ବୁଲେଟ୍ ଟ୍ରେନ୍ ଚଳାଇବାକୁ ସୁଯୋଗ ମିଳିବ। ମକ୍କା-ମଦିନା ମଧ୍ୟରେ ଚଳାଚଳ କରୁଥିବା ବୁଲେଟ୍ ଟ୍ରେନ୍ରେ ଏହି ମହିଳାଙ୍କୁ ନିଯୁକ୍ତି ଦିଆଯାଇଛି।
ସାଉଦି ଆରବ ସରକାର ତଥା ରେଲ୍ୱେଜ୍ ପକ୍ଷରୁ ଏ ଯେଉଁ ପଦକ୍ଷେପ ନିଆଯାଇଛି, ତାହା ଦେଶର ଯୁବତୀ, ମହିଳାଙ୍କ ପାଇଁ ଏକ ଭଲ କ୍ୟାରିଅର ସୁଯୋଗ ସୃଷ୍ଟିକରିବ ନିଶ୍ଚିତ। ଏବେ ଅଧିକରୁ ଅଧିକ ଯୁବତୀ ତଥା ମହିଳା ଏ ଦିଗରେ ଆଗଭର ହେବେ।
ସବୁଠୁ ବଡ଼ କଥା ହେଉଛି, ବର୍ତ୍ତମାନ ସମୟରେ ସାଉଦି ମହିଳାମାନେ ଦେଶର ଇକୋନୋମୀ ଅର୍ଥାତ୍ ଅର୍ଥନୀତିକୁ ଏକ ମଜବୁତ୍ ସ୍ଥିତିରେ ପହଞ୍ଚାଇବା ପାଇଁ ବଡ଼ ଯୋଗଦାନ ଦେଉଥିବା ଦେଖିବାକୁ ମିଳୁଛି। ଏହି ପ୍ରକ୍ରିୟା ବହୁ ପୂର୍ବରୁ ହିଁ ଏଠାରେ ଚାଲିଆସୁଛି। ଏବେ ରେଲ୍ୱେ ଡ୍ରାଇଭର୍ ପଦବୀରେ ମହିଳାଙ୍କ ନିଯୁକ୍ତି ନେଇ ଯେଉଁ ନୂଆ ପଦକ୍ଷେପ ସାଉଦି ସରକାର ନେଇଛନ୍ତି, ତାହା ସାଉଦି ଆରବକୁ ଆର୍ଥିକ ସ୍ତରରେ ଆହୁରି ଅଧିକ ସଶକ୍ତ କରି ଗଢ଼ିତୋଳିବ।
୨ଠ୧୮ ପୂର୍ବରୁ ଯେଉଁ ଦେଶରେ ମହିଳାଙ୍କୁ ଡ୍ରାଇଭିଂ ପାଇଁ ଅନୁମତି ନଥିଲା, ଏବେ ସେଠି ମହିଳାଙ୍କୁ ଟ୍ରେନ୍ ଚଲାଇବାକୁ ସୁଯୋଗ ମିଳିଛି। ଏହା ସାଉଦି ମହିଳାଙ୍କ ପାଇଁ ଏକ ବଡ଼ ସଫଳତା। ତେବେ ଆଗାମୀ ଦିନରେ ଏହି ମହିଳାମାନଙ୍କୁ ପ୍ଲେନ୍ ଉଡାଇବାକୁ ମଧ୍ୟ ସୁଯୋଗ ମିଳିବ ବୋଲି ଏକ ନୂଆ ଆଶା ସଞ୍ଚାର ହୋଇଛି।