ପୁରୀ : ନୂଆରୂପରେ ସଜେଇ ହୋଇଛି ଶ୍ରୀକ୍ଷେତ୍ର । ଅଠର ନାଳରୁ ଦିଶୁଛି ମେଘନାଦ ପାଚେରୀ । ଚତୁପାଶ୍ୱର୍ ବି ବହୁତ ସୁନ୍ଦର । ବିଶ୍ୱ ଏøତିହର ସହର ହେବା ପୁରୀ । ବଡ ଠାକୁରଙ୍କ ବଡ ଦାଣ୍ଡ ଓ ସବୁଠାରୁ ବଡ ରଥ । ଲକ୍ଷ ଲକ୍ଷ ଭକ୍ତ ବିନା ଦଳଚକଟାରେ ଛିଡା ହୋଇ ତିନି ଠାକୁରଙ୍କ ରଥଯାତ୍ରା ଦେଖିବାରେ ଆଉ ସମସ୍ୟା ହେବନି । ରଥରେ ଶ୍ରୀଜିଉମାନଙ୍କ ଦର୍ଶନରେ ବି ହେବନି ଅସୁବିଧା । ଧିରେ ଧିରେ ଏମିତି ଏକ ପରିବେଶ ସୃଷ୍ଟି ହେବାରେ ଲାଗିଛି । ଶତାବ୍ଦୀ ଧରି ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଥିବା ବଡଦାଣ୍ଡଟି ଏତେ ପ୍ରଶସ୍ତ ଥିଲା ଯେ, ଠାକରଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ଭକ୍ତଙ୍କ ଆଗମନ ଏବଂ ଯାତ୍ରାରେ କୌଣସି ସମସ୍ୟା ହୁଏ ନାହିଁ । କିନ୍ତୁ ସମୟର ପରିବର୍ତ୍ତନରେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ବେଆଇନ ଜବରଦଖଲ ଯୋଗୁଁ ବଡଦାଣ୍ଡଟି ସଂକୁଚିତ ହୋଇଯାଇଥିଲା । ଯାହାଦ୍ବାରା ତିନି ଠାକୁରଙ୍କ ତିନି ରଥ ସହ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଯୋଗୁଁ ପୁରୀର ସାଂସ୍କୃତିକ ପରିବେଶଟି କ୍ଷତିଗ୍ରସ୍ତ ହେଉଥିଲା । ଏବେ କିନ୍ତୁ ପୁରୀରେ ଆସିଛି ବିରାଟ ପରିବର୍ତ୍ତନ । ରଥ ନିର୍ମାଣ ଠାରୁ ନିଳାଦ୍ରିବିଜେ ପର୍ୟ୍ୟନ୍ତ ବଡଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ଯାଆସ ଲାଗି ରହିଥାଏ । ସିଂହ ଦ୍ବାର ସମ୍ମୁଖରେ ତିନି ରଥର ନିର୍ମାଣ ପରେ ରଥଯାତ୍ରା ପାଇଁ ପ୍ରସ୍ତୁତ ତିନି ରଥ ସିଂହଦ୍ବାର ସମ୍ମୁଖରେ ହିଁ ଛିଡା ହୋଇଥାନ୍ତି । ବିଶ୍ବର ଏହି ଏକମାତ୍ର ଦେବତା ଯିଏକି ସବୁ ଧର୍ମ, ବର୍ଣ୍ଣ, ଜାତି ଓ ଗୋତ୍ର ନିର୍ବିଶେଷରେ ସମସ୍ତଙ୍କୁ ଦର୍ଶନ ଦେବାକୁ ରତ୍ନ ସିଂହାସନରୁ ଓହ୍ଲାଇ ଭକ୍ତଙ୍କ ମେଳକୁ ଆସିଥାନ୍ତି । ତେଣୁ ମହାପ୍ରଭୁଙ୍କ ସେହି ଗୋଟିଏ ଝଲକର ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ରଥଯାତ୍ରାରେ ବଡଦାଣ୍ଡରେ ଏକାଠି ହୋଇଥାନ୍ତି ।
ଶ୍ରୀଜିଉମାନଙ୍କ ସୁନା ବେଶ ଓ ନିଳାଦ୍ରିବିଜେରେ ସର୍ବାଧିକ ଭକ୍ତଙ୍କ ସମାଗମ ହୋଇଥାଏ । କିନ୍ତୁ ସିଂହଦ୍ବାର ସମ୍ମୁଖରେ ପର୍ୟ୍ୟାପ୍ତ ସ୍ଥାନର ଅଭାବ ଯୋଗୁଁ ଭକ୍ତମାନେ ତିନି ଠାକୁରଙ୍କ ଏହି ନିଆରା ଲିଳାର ଭରପୂର ମଜା ନେଇପାରିନ୍ତି ନାହିଁ । ତେବେ ବେଆଇନ ଜବରଦଖଲକୁ ହଟାଯାଇପାରିଲେ ଭକ୍ତମାନେ ଏହି ଦୁଇଟି ଦୃଶ୍ୟକୁ ମନଭରି ଦେଖିପାରିବେ । ଜିଲ୍ଲା ଓ ପୋଲିସ ପ୍ରଶାସନକୁ ସେ ସମୟରେ ଭିଡ ପରିଚାଳନା ଅପେକ୍ଷାକୃତ ସହଜ ହେବ । ଏହିସବୁ ଦୃଷ୍ଟିରୁ ପୁରୀର ରୂପାନ୍ତରଣ ପ୍ରକ୍ରିୟାରେ ବେଆଇନ ନିର୍ମାଣ ଏବଂ ବିପଦଶଙ୍କୁଳ ବିଲ୍ଡିଂର ଉଚ୍ଛେଦ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ପୂର୍ବରୁ ଶ୍ରୀମନ୍ଦିର ସମ୍ମୁଖରେ ଥିବା ଖାଲି ସ୍ଥାନା ମଧ୍ୟରୁ ବହୁ ଅଂଚଳକୁ ମଠ ଓ କିଛି ବ୍ୟବସାୟିକ ପ୍ରତିଷ୍ଠାନ ମାଡିବସିଥିଲେ । ହେବେ ଏହିସବୁ ବେଆଇନ ନିର୍ମାଣର ଉଚ୍ଛେଦ ପରେ ବଡଦାଣ୍ଡରେ ପୁଣି ଥରେ ପୂର୍ବଭଳି ବିରାଟ ଖାଲି ଅଂଚଳ ସୃଷ୍ଟି ହୋଇପାରିଛି, ଯେଉଁଠୁ ଭକ୍ତମାନେ ବିନା କୌଣସି ସମସ୍ୟାରେ ଅତି ସୁରୁଖୁରରେ ରତ୍ନବେଦୀ ବାହାରେ ଅନୁଷ୍ଠିତ ହେଉଥିବା ସବୁ ରିତିନୀତିକୁ ଉପଭୋଗ କରିପାରିବେ ।\nଏକକାଳିନ ୪୦ ହଜାର ଲୋକ ଗୋଟିଏ ସ୍ଥାନରୁ ରଥଯାତ୍ରା ଓ ଏହା ସହ ସଂଶ୍ଲିଷ୍ଟ ଅନ୍ୟାନ ରିତିନୀତିକୁ ଦେଖିପାରିବା ଭଳି ଖାଲିସ୍ଥାନ ସୃଷ୍ଟି କରିବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ କରୁଛି । ବର୍ତ୍ତମାନର ରୂପାନ୍ତରଣ ପ୍ରକ୍ରିୟା ସମ୍ପୁର୍ଣ୍ଣ ହେବା ପରେ ପର୍ୟ୍ୟଟକମାନେ ତିରୁପତି ଓ ସ୍ବର୍ଣ୍ଣ ମନ୍ଦିର ଭଳି ପୁରୀରେ ମଧ୍ୟ ଉତ୍ତମ ଧର୍ମୀୟ ପରିବେଶ ପାଇପାରିବେ । ଶ୍ରୀମନ୍ଦିର ଓ ବଡଦାଣ୍ଡ ଭିନ୍ନ ପାରିପାର୍ଶ୍ବିକ ଅଂଚଳର ବିକାଶକୁ ମଧ୍ୟ ସ୍ଥାନୀୟ ବାସିନ୍ଦା ସ୍ବାଗତ କରିଛନ୍ତି ।