ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ସ୍ଥାପନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ଧାମ ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପତ୍ର ଲେଖି ଦାବୀ କରିଛନ୍ତି । ଏହି ପ୍ରସ୍ତାବିତ ବିମାନ ବନ୍ଦର ପାଇଁ ପୁରୀରେ ରାଜ୍ୟ ସରକାର ଜମି ଚିହ୍ନଟ କରିଛନ୍ତି ଏବଂ ଏହା ଯେପରି ରେକର୍ଡ ସମୟ ମଧ୍ୟରେ ସଂପୂର୍ଣ୍ଣ ହେବ, ସେଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ପ୍ରତିଶ୍ରୁତି ଦେଇଛନ୍ତି । ଏହା ସହିତ ଏହି ବିମାନ ବନ୍ଦରକୁ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ନାମରେ ନାମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୁରୀ, ହିନ୍ଦୁ ମାନଙ୍କର ପବିତ୍ର ୪ ଧାମ ମଧ୍ୟରୁ ଅନ୍ୟତମ ଏବଂ ସାରା ବିଶ୍ବର ଅନୁକୋଣରୁ ଯାତ୍ରୀମାନେ ପ୍ରତିଦିନ ଏଠାକୁ ଆସିଥାନ୍ତି । ମହାପ୍ରଭୁଙ୍କର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ସମସ୍ତଙ୍କର ଆକର୍ଷଣର କେନ୍ଦ୍ର । ଦେଶ ବିଦେଶରୁ ଯାତ୍ରୀମାନେ ଆସି ରଥଯାତ୍ରା ପାଇଁ ପୁରୀରେ ସମବେତ ହୋଇଥାନ୍ତି । ମହାପ୍ରଭୁଙ୍କ ରଥଯାତ୍ରା ମଧ୍ୟ ବିଶ୍ବର ୧୯୨ଟି ଦେଶରେ ସମାରୋହ ସହକାରେ ପାଳିତ ହୋଇଥାଏ । ତେଣୁ ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ସ୍ଥାପନ କରାଗଲେ, ବିଦେଶରୁ ଯାତ୍ରୀମାନେ ସୁବିଧାରେ ପହଞ୍ଚି ପାରିବେ ଏବଂ ତା ସହିତ ବିଶ୍ବରେ ଜଗନ୍ନାଥ ସଂସ୍କୃତିର ଆହୁରି ପ୍ରଚାର ପ୍ରସାର ଘଟିବ ।
ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ପ୍ରତିଷ୍ଠ ସପକ୍ଷରେ ଦୃଢ ଯୁକ୍ତି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୁରୀ ଠାରୁ ମାତ୍ର ୩୫ କିଲୋମିଟର ଦୂରରେ ୟୁନେସ୍କୋ ବିଶ୍ଵ ଐତିହ୍ୟ ସୁଳ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର କୋଣାର୍କ ରହିଛି । ପୁରୀ-କୋଣାର୍କ ରାସ୍ତାରେ ରାମଚଣ୍ଡୀ-ଚନ୍ଦ୍ରଭାଗା ବେଳାଭୂମି ଜାତୀୟ ଓ ଆନ୍ତର୍ଜାତୀୟ ପର୍ଯ୍ୟଟକ ମାନଙ୍କ ପାଇଁ ଏକ ଅନନ୍ୟ ଅନୁଭବ । ସେହିପରି ପୁରୀ ମଧ୍ୟ ଚିଲିକା ଓ ଭିତରକନିକା ଜାତୀୟ ଉଦ୍ୟାନ ପରି ଦୁଇ ଦୁଇଟି ରାମସାର ସାଇଟ ସହିତ ସିଧାସଳଖ ସଂଯୁକ୍ତ ।