ପିସିସି କାର୍ଯ୍ୟକରି ସଭାପତି ପ୍ରଦୀପ ମାଝୀ ଖୁବଶୀଘ୍ର କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ରାଜନୀତି ମହଲରେ ଚର୍ଚ୍ଚା
ଭୁବନେଶ୍ୱର : ପିସିସି କାର୍ଯ୍ୟକରି ସଭାପତି ପ୍ରଦୀପ ମାଝୀ ରାଜ୍ୟ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି I ଏହି ଚର୍ଚ୍ଚା ଗତ କିଛି ମାସ ହେବ ଉଡ଼ି ବୁଲୁଥିବାବେଳେ ଖୋଦ୍ ପ୍ରଦୀପଙ୍କ ଏକ ସାକ୍ଷାତକାର ଏହି ଚର୍ଚ୍ଚାକୁ ଆହୁରି ବଳ ଦେଇଛି । ମିଳିଥିବା ସୂଚନା ଅନୁଯାୟୀ ଦୁର୍ଗାପୂଜା ପରେ ପ୍ରଦୀପ ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇପାରନ୍ତି ।
ନିକଟରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି, କଂଗ୍ରେସ ଓ ବିଜେଡି ଭିତରେ ବିଶେଷ ଆଦର୍ଶଗତ ଫରକ ନାହିଁ । ଏବେ ସେ କଂଗ୍ରେସରେ ଅଛନ୍ତି । ମାତ୍ର ଯଦି କ୍ଷମତାରେ ରହି ଲୋକଙ୍କ ସେବା କରିବାର ସୁଯୋଗ ମିଳେ, ତେବେ ସେ ବିଚାର କରିବେ । ଲୋକଙ୍କ ସେବା କରିବାର ସୁଯୋଗକୁ ହାତଛଡ଼ା କରିବା ଠିକ୍ ନୁହେଁ । ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବା ପୂର୍ବରୁ ପ୍ରଦୀପଙ୍କ ଏଭଳି ବିବୃତି ଆଜି ସୋସିଆଲ ମିଡିଆରେ ଘୂରି ବୁଲୁଛି । ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ରାଜ୍ୟ କଂଗ୍ରେସର ଆଗୁଆ ନେତା ଭିତରୁ ଜଣେ । ବର୍ତ୍ତମାନ ପିସିସିରେ ତାଙ୍କର ବେଶ୍ ପ୍ରଭାବ ରହିଛି ।