ପାକିସ୍ତାନରେ ପିଆଜ କିଲୋ ୨୨୦, ଅଟା ୧୫୦

0

ପାକିସ୍ତାନରେ ପିଆଜ ଠାରୁ ଆରମ୍ଭ କରି ଅଟା ପର୍ଯ୍ୟନ୍ତ କିଲୋ ପିଛା ଦର ସବୁକିଛିର ମୂଲ୍ୟ ଆକାଶଛୁଆଁ ହୋଇଛି । ଚାଉଳ ମୁଠାଏ କିଣିବା ପାଇଁ ମଧ୍ୟ ସକ୍ଷମ ନୁହଁନ୍ତି ଲୋକେ ।

ବର୍ତ୍ତମାନ ପାକିସ୍ତାନର ଆର୍ଥିକ ସଂକଟକୁ ବର୍ଣ୍ଣନା କରିବା ଲାଗି ଯେ କୌଣସି ବିଶେଷଣ ବ୍ୟବହାର କଲେ ମଧ୍ୟ ତାହା ସ୍ଥିତି ତଥା ଗମ୍ଭୀରତାକୁ ଦର୍ଶାଇବା ଲାଗି ଯଥେଷ୍ଟ ନୁହେଁ । ଖାଦ୍ୟ ସାମଗ୍ରୀର ଘୋର ଅଭାବ ସୃଷ୍ଟି ହୋଇଥିବା ବେଳେ ଅଟା ଓ ଚିନି, ପିଆଜ ଦାମ ଏତେ ବଢିଯାଇଛି ଯେ ଲକ୍ଷ ଲକ୍ଷ ଲୋକ ଭୋକରେ ଶୋଇବାକୁ ବାଧ୍ୟ ହେଉଛନ୍ତି ।
ପାକିସ୍ତାନରେ ଏବେ ଅଟା କିଲୋ ପିଛା ୧୫୦ ଟଙ୍କାରେ ବିକ୍ରି ହେଉଛି । ଦର ଆକାଶଛୁଆଁ ଥିବାବେଳେ ଦେଶର ସମସ୍ତ ବଡ ସହରରେ ଅଟା ପାଇଁ ଉତ୍ତେଜନା ଦେଖାଦେଇଛି । ସୋସିଆଲ ମିଡିଆରେ ପାକିସ୍ତାନର ଅନେକ ଏପରି ଭିଡିଓ ଭାଇରାଲ ହେଉଛି । ଲୋକମାନେ ରୁଟି ପାଇଁ ନିଜ ଜୀବନକୁ ବିପଦରେ ପକାଇବାକୁ ବାଧ୍ୟ ହେଉଛନ୍ତି । ଅଟା ପାଇଁ ଲୋକ ନିଜ ନିଜ ଭିତରେ ମାଡ଼ଗୋଳ ହେଉଛନ୍ତି । କିଛି ଲୋକ ତ ହାତରେ ଟଙ୍କା ଧରି ଅଟା ଯାଉଥିବା ଟ୍ରକ୍‌ ପଛରେ ଦୌଡ଼ୁଥିବାର ଦେଖିବାକୁ ମିଳୁଛି ।
ଦେଶକୁ ଘୋର ଆର୍ଥିକ ଦୁର୍ଦ୍ଦିନରୁ ରକ୍ଷା କରିବା ଲାଗି ଶେହବାଜ୍ ସରିଫ ସରକାର ପାଖରେ କୌଣସି ଯୋଜନା ବି ନାହିଁ । ଋଣ କରି ଦେଶ ଚଳାଇବାର ସେଇ ପୁରୁଣା ଫଣ୍ଡା ଆପଣେଇଛନ୍ତି ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ । ଅଧିକ ଲୋନ୍ ପାଇଁ ମିତ୍ର ରାଷ୍ଟ୍ର ଚୀନ୍ ଓ ସାଉଦି ଆରବର ଦ୍ୱାରସ୍ଥ ହୋଇଛନ୍ତି । ଚୀନ୍ ଆଉ ୧୩ ବିଲିୟନ ଏବଂ ସାଉଦି ଆରବ ୪ ବିଲିୟନ ଲୋନ୍ ଯୋଗାଇ ଦେବାକୁ ରାଜି ହୋଇଛନ୍ତି ।

ତେବେ ଏହାଦ୍ୱାରା ସ୍ଥିତି ସୁଧୁରିବା ଆଶା କମ୍ । କାରଣ ପାକିସ୍ତାନ ମୁଣ୍ଡରେ ଏବେ ୧୩୦ ବିଲିୟନ ଡଲାରରୁ ଅଧିକ ବୈଦେଶିକ ଋଣ ରହିଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ପୁରୁଣା ଲୋନ୍ ବାବଦକୁ ପାକିସ୍ତାନକୁ ୫.୮ ବିଲିୟନ ଏବଂ ବର୍ଷ ଶେଷ ସୁଦ୍ଧା ୩୦ ବିଲିୟନ ଡଲାର ପୈଠ କରିବାକୁ ପଡିବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More