ଓଡ଼ିଶା ରାଜନୀତିରେ ପ୍ରଥମ ବ୍ରହ୍ମାସ୍ତ୍ର : କିଏ କାହିକିଁ ଛାଡ଼ିଲେ ପଢନ୍ତୁ ..

0

ଓଡ଼ିଶା ରାଜନୀତିରେ ବ୍ରହ୍ମାସ୍ତ୍ରକୁ ନେଇ ବହୁବାର ଚର୍ଚ୍ଚା ଆରମ୍ଭ ହୋଇଛି । ଏ ବ୍ରହ୍ମାସ୍ତ୍ର ହେଉଛି ରାଜନୀତିର ଅସ୍ତ୍ର । ଯାହାକୁ ପ୍ରୟୋଗ କରି ଅନ୍ୟ ରାଜନୈତିକ ଦଳ ନିଜର ବିରୋଧି ଘାଇଲା କରିଥାଏ । ଠିକ ଏପରି ଏକ ବ୍ରହ୍ମାସ୍ତ୍ର ଛାଡ଼ିଛନ୍ତି ୨୦୧୯ରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଯାହା ଓଡ଼ିଶା ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ରାଜ୍ୟସଭା ଉପ-ନିର୍ବାଚନରେ ୩ଟି ଆସନ ସଂଖ୍ୟା ଦୃଷ୍ଟିରୁ ବିଜେଡ଼ି ଅକ୍ତିଆର କରିଥାନ୍ତା । ହେଲେ ନବୀନ କାହିକିଁ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କଲେ । ଯାହା ଅତି ପାଖରୁ ବିଶେଷ୍କଣ କରାଗଲେ ଅନେକ ଦିଗ ଆସିବ । ଉଭୟ ବିଜେଡ଼ି-ବିଜେପି ରାଜନୈତିକ ସ୍ୱାର୍ଥ କଥା ବି ଉଠିବ । ଦିଲ୍ଲୀ ଓ ଓଡ଼ିଶା ରାଜନୀତିରେ କିଛି ଡ଼ିଲ ହୋଇଥିବା କଥା ବି ମନକୁ ଛୁଇବ । ଚିଟଫଣ୍ଡ, ଖଣି ଦୁର୍ନୀତିରେ କେନ୍ଦ୍ରର ସିବିଆଇ ଛାଟ କଥା ବି । କିଏ କିଏ ତ ୨୦୦୯ରେ ବିଜେଡ଼ି-ବିଜେପି ମେଣ୍ଟର ପୁରୁଣା ପ୍ରେମ ପୁଣି ୨୦୧୯ରେ ଫେରିଛି ବୋଲି କୁହାକୁହି ହେଲେଣୀ । ଆଉ କେଉଁ ରାଜନୈତିକ ସମୀକ୍ଷକ କହିଲେଣୀ ଯେ ଖଣି ପାଇଁ ଉଭୟ ବିଜେଡ଼ି-ବିଜେପି ଗୋଟିଏ ଘାଟରେ ପାଣି ପିଉଛନ୍ତି । ହେଲେ ମୋଦି କେନ୍ଦ୍ରରେ ପୂର୍ଣ୍ଣସଂଖ୍ୟା ଗରିଷ୍ଠତାରେ ସରକାର ଗଠନ କରିବା ଓ ନବୀନ ଓଡ଼ିଶାରେ ପଂଚମ ଥର ମୁଖ୍ୟମନ୍ତ୍ରୀ ହେବା ପରେ କାହିକିଁ ବିଜେଡ଼ି-ବିଜେପି ସର୍ମ୍ପକ ମଧୁର ହେଲା । କାରଣ କଣ? ନବୀନ କଣ ଚାହୁଛନ୍ତି ଓ ମୋଦି-ଶାହା ଯୋଡ଼ି କଣ ଚାହୁଛନ୍ତି ତାହାକୁ ନେଇ ପାୱାର କରିଡ଼ର ଠାରୁ ଆରମ୍ଭ କରି ଚା ଖଟି ଯାଏ ଜୋରଦାର ଚର୍ଚ୍ଚା । ଏକଥା ସତ ଯେ ଭାରତ ରାଜନୀତିରେ ଶାହା ଯେପରି ଗୋଟି ଚାଳନ କରୁଛନ୍ତି ତା ଠାରୁ ଢେଣ ଆଗରେ ରହିବେ ନବୀନ ଗୋଟି ଚାଳନରେ । ନବୀନଙ୍କୁ ରାଜନୈତିକ ଗୋଟି ଚାଳନ ସବୁବେଳେ ସସପେନ୍ସ ଥାଏ । ୨୦୧୪ ନିର୍ବାଚନରେ ପରେ ଧୀରେ ଧୀରେ ରାଜ୍ୟରେ ବିଜେପି ବଢିବାରେ ଲାଗିଛି । ପଂଚାୟତ ନିର୍ବାଚନରେ ଦଳର ଭୋଟ ହାର ବୃଦ୍ଧି ପାଇଲା ଓ ବିଜେପି କଂଗ୍ରେସକୁ ପଛରେ ପକାଇ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବେ ଧୀରେଧୀରେ ଉଭାହେଲା । ଏହାପରେ ୨୦୧୯ ସାଧାରଣ ନିର୍ବାଚନରେ ଆରମ୍ଭ ହୋଇଗଲା ମିଶନ ଓଡ଼ିଶା ବିଜେପିର । ହେଲେ ୨୦୧୯ ନବୀନଙ୍କ ଚତୁର ରାଜନୈତିକ ଗୋଟିଚାଳନା ବିଜେପିର ଅକଲ ଗୁଡ଼ୁମ କଲା । ଦଳ ବିଧାନସଭାରେ ୨୩ ଆସନ ଓ ଲୋକସଭାରେ ୮ଟି ଆସନରେ ବିଜୟ ଲାଭ କଲା । ୨୦୧୪ ଅପେକ୍ଷା ୨୦୧୯ରେ ଦଳ ବେଶ ଭଲ ପ୍ରଦର୍ଶନ କଲା । ବିଧାନସଭାରେ କଂଗ୍ରେସକୁ ହଟାଇ ପ୍ରଥମ ଥର ବିଜେପି ବିରୋଧୀ ଦଳର ଆସନ ଅକ୍ତିଆର କଲା । ଓଡ଼ିଶାରେ ଦଳର ଆଶାଧିକ ଭୋଟହାର ବୃଦ୍ଧି କରିବାରେ ସଫଳ ହେଲା । ଏବେ ଦଳର ସଭ୍ୟ ସଂଖ୍ୟା ୩୪ଲକ୍ଷରୁ ଅଧିକ ଟପିଲାଣୀ । ରାଜ୍ୟରେ ବିଜେଡ଼ିର ବିକଳ୍ପ ଭାବେ ବିଜେପି ବି ଉଭାହେଲା । ତାହା ବିଜେଡ଼ିର ଟେନସନ ବଢାଇଲା । ତେଣୁ ନବୀନ ଦିଲ୍ଳୀ ଯାଇ ମୋଦି ଓ ଶାହାଙ୍କ ପାଖରେ ଶରଣ ନେଲେ । ଆରମ୍ଭ ହେଲା ପୁରୁଣା ପ୍ରେମର କାହାଣୀ । ସମଦୂତରା ଓ କେନ୍ଦ୍ର ଅବହେଳା କଥା କହୁଥିବା ନବୀନ ସମନିକଟତର ହେଲେ ଓ ମୋଦିଙ୍କ ବିିଭିନ୍ନ ନିଷ୍ପତିକୁ ସମର୍ଥନ କଲେ । ଯାହା ରାଜ୍ୟ ବିଜେପି ନେତାଏ ବୁଝିବା ମୁସକିଲ ହେଲା । ଯୁପିଏ ସରକାର ଥିବା ବେଳେ ନବୀନ ଯେପରି ସୋନିଆ,ରାହୂଲଙ୍କ ସହ ସୁ-ସର୍ମ୍ପକ ରଖିଥିଲେ ଠିକ ସେହିପରି ମୋଦି –ଶାହାଙ୍କ ସମ୍ପର୍କ ରଖିବା ଆରମ୍ଭ କଲେ ନବୀନ । ରାଜନୈତିକ ସମୀକ୍ଷକଙ୍କ ମତରେ ଏହାଦ୍ୱାରା ବିଜେପିର ବେଶୀ କ୍ଷତି ହେଲା । ଦଳ ଯେପରି ଆଗକୁ ବଢିବା କଥା ସେପରି ଆଉ ବଢିପାରିବ ନାହିଁ । ଲୋକେ ବିଜେପିକୁ ଆଉ ବିଶ୍ୱାସକୁ ନେବେନି । ଏପରି ନାନା ସମୀକରଣ ଏବେଠାରୁ କଲେଣୀ ରାଜନୈତିକ ସମୀକ୍ଷକମାନେ । ଆଉ ସମୟ ଦେଖି କଂଗ୍ରେସ ବି ମାରିଛି ରାଜନୀତିର ବାଣ । ବିଜେଡ଼ି-ବିଜେପି ଭାଇଭାଇ ଏ କଥା ପୁଣିଥରେ ପ୍ରମାଣିତ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଦଳ କହିଛି ବିଜେପି ବିରୋଧୀ ଦଳ ନୁହେଁ ନବୀନ ସହ ରହି କାମ କରିବାକୁ ଚାହୁଛି । ସେହିପରି ଭୟରେ ମୋଦି-ଶାହାଙ୍କ ପାଖରେ ନବୀନ ନିଜକୁ ସମର୍ପଣ କରିଛନ୍ତି । କଂଗ୍ରେସର ଏପରି କଟାକ୍ଷର ଜବାବ ଦେଇଛି ବିଜେପି । ଦଳର ରାଜ୍ୟଚେହରା ସାଜିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏଥିରେ କାହାର ଲାଭ ଓ କାହାର କ୍ଷତି ହେଉଛି ତାହା ସମୟ କହିବ । ତେବେ ନବୀନଙ୍କ ୨୦୧୯ ରାଜନୀତିର ବ୍ରହ୍ମାସ୍ତ୍ର ଓଡ଼ିଶାରେ ବିରୋଧୀ ଶନ୍ୟ କରିବା ସହ ବିଜେପିର ପ୍ରଗତି ରଥକୁ ଓଡ଼ିଶାରେ ରୋକିବାରେ ଯେ ବେଶ ଫଳପଦ ହୋଇଛି ତାହା ସାଧାରର ଭୋଟଟି ବୋଧେ ବୁଝିପାରିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More