ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଛି ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସୋମବାର ରାଜ୍ୟର ସମସ୍ତ ଜିଲାକୁ ଛୁଇଁଥିବା ଭୁବନେଶ୍ବର ପାଣିପାଗ କେନ୍ଦ୍ରର ନିର୍ଦେଶକ ଏଚ.ଆର ବିଶ୍ବାସ ସୂଚନା ଦେଇଛନ୍ତି। ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ହଳଦିଆ ସତର୍କତା ଜାରି କରାଯାଇଛି। ସୋମବାର ଅପରାହ୍ଣ ୫.୩୦ ସୁଦ୍ଧା ବୌଦ୍ଧ ଜିଲାରେ ସର୍ବାଧିକ ୧୦୯ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି। ସୋମବାର ପାରାଦ୍ବୀପରେ ୭୫.୭ ମିମି, ସୁବର୍ଣ୍ଣପୁରରେ ୬୫ ମିମି, ପାରଳାଖେମୁଣ୍ଡିରେ ୩୮.୮ମିମି, ନବରଙ୍ଗପୁରରେ ୨୯ମିମି, ଢେଙ୍କାନାଳରେ ୨୮ମିମି, ଭବାନୀପାଟଣା ୨୪.୬ମିମି, ଝାରସୁଗୁଡ଼ାରେ ୧୯.୮ମିମି, ନୟାଗଡ଼, ଯାଜପୁର ଓ ଖୋର୍ଦ୍ଧାରେ ୧୮ ମିମି ଲେଖାଏଁ, ଭୁବନେଶ୍ବରରେ ୧୦.୯ମିମି, କଟକରେ ୪.୨ମିମି ବର୍ଷା ରେକର୍ଡ଼ ହୋଇଛି।
ଗତକାଲି ମଧ୍ୟ ବୌଦ୍ଧରେ ରାଜ୍ୟର ସର୍ବାଧିକ ୭୯ମିମି ବର୍ଷା ରେକର୍ଡ଼ ହୋଇଥିଲା। ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଢେଙ୍କାନାଳ, ଅନୁଗୋଳ, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଏବଂ ମାଲକାନଗିରି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ।
ସେହିପରି ବଜ୍ରପାତ ନେଇ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ ଓ ଗଞ୍ଜାମ ଜିଲାକୁ ହଳଦିଆ ସତର୍କତା ଜାରି କରାଯାଇଛି। ଅନ୍ୟପକ୍ଷରେ ପୂର୍ବ-ପଶ୍ଚିମ ନିମ୍ନଚାପରେଖା ପଶ୍ଚିମ ଉତ୍ତର-ପ୍ରଦେଶରୁ ବାଂଲାଦେଶ ପର୍ଯ୍ୟନ୍ତ ଲମ୍ବି ଥିବାବେଳେ ଆଉ ଏକ ନିମ୍ନ ଚାପରେଖା ଦକ୍ଷିଣ ଛତିଶଗଡ଼ରୁ ଦକ୍ଷିଣ ଉପକୂଳ ଆନ୍ଧ୍ର ପ୍ରଦେଶ ପର୍ଯ୍ୟନ୍ତ ଲମ୍ବି ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।