ଓଡ଼ିଶା ସରକାରଙ୍କ ଅନୁମୋଦନ କ୍ରମେ ରାଜ୍ୟର ଜନଜାତି ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ୧୬୦ଟି ଏଫ୍‌.ଆର୍‌.ଏ ସେଲ୍‌ ଗଠନ କରାଯାଇଛି

0

ଭୁବନେଶ୍ୱର : ଜଙ୍ଗଲ ଅଧିକାର ଆଇନର ବିଧିବଦ୍ଧ କାର୍ଯ୍ୟକାରିତା ତଥା ଅଗ୍ରଗତି ନିମନ୍ତେ ଓଡ଼ିଶା ସରକାରଙ୍କ ଅନୁମୋଦନ କ୍ରମେ ରାଜ୍ୟର ଜନଜାତି ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ୧୬୦ଟି ଏଫ୍‌.ଆର୍‌.ଏ ସେଲ୍‌ ଗଠନ କରାଯାଇ କାର୍ଯ୍ୟକାରୀ କରାଯାଇଛି । ଏହି ସେଲ୍‌ମାନଙ୍କରେ ନିଯୁକ୍ତ କର୍ମଚାରୀମାନଙ୍କର ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ଏକ ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ ତା.୨୬/୦୮/୨୦୨୧ରିଖ ଦିନ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରାଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି ।
ପ୍ରାରମ୍ଭରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ୍‌ ପ୍ରତିଷ୍ଠାନର ଉପଦେଷ୍ଟା ତଥା ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ସ୍ୱାଗତ ସମ୍ଭାଷଣ ଦେବା ସହିତ ୧୬୦ ଏଫ୍‌.ଆର୍‌.ଏ ସେଲ୍‌ ସଂପର୍କିତ ସୂଚନା ପ୍ରଦାନ କରିଥିଲେ । ଜଙ୍ଗଲ ଅଧିକାର ଆଇନ୍‌ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଆଧାରରେ ଏହାର ସୁଫଳ କିପରି ଜନଜାତି ସମୁଦାୟକୁ ମିଳିପାରିବ ଓ ଏହି ଆଇନକୁ କାର୍ଯ୍ୟକାରୀ କରାଯିବା ଦିଗରେ ଯେପରି କୌଣସି ହିତାଧିକାରୀ ଛାଡ଼ି ହୋଇ ନଯିବେ ସେ ଦିଗରେ ଏଫ୍‌.ଆର୍‌.ଏ ସେଲ୍‌ଗୁଡ଼ିକ ଉଲ୍ଲେଖନୀୟ ଭୂମିକା ସଂପାଦନ କରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ ।
ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା ନିଜର ଅଭିଭାଷଣରେ କହିଥିଲେ ଯେ ଜଙ୍ଗଲ ଅଧିକାର ଆଇନର ଫଳପ୍ରଦ କାର୍ଯ୍ୟକାରିତା ଦିଗରେ ଏଫ୍‌.ଆର୍‌.ଏ ସେଲ୍‌ କର୍ମଚାରୀଙ୍କର ବହୁତ ବଡ଼ ଭୂମିକା ରହିଛି ଓ ଓଡ଼ିଶା ସରକାର ସେମାନଙ୍କ ଉପରେ ଆସ୍ଥା ପ୍ରକଟ କରୁଛନ୍ତି । ଏହି ଦିଗରେ ଉପଯୁକ୍ତ ତଥ୍ୟ ସଂଗ୍ରହ ଓ ପରିଚାଳନା, ଦାବିଗୁଡ଼ିକର ତ୍ୱରିତ ପ୍ରକ୍ରିୟାକରଣ ଓ ସେ ସଂକ୍ରାନ୍ତୀୟ କାର୍ଯ୍ୟଗୁଡ଼ିକୁ ସମୟାନୁବର୍ତ୍ତିତା ଭିତ୍ତିରେ ସଂପାଦନା କରିବା ଦିଗରେ ସେଲ୍‌ର କର୍ମଚାରୀମାନେ ପ୍ରଚେଷ୍ଟା ଜାରି ରଖିବେ ବୋଲି ଆଶା ରଖି ସେମାନଙ୍କର ସଫଳତା କାମନା କରିଥିଲେ ।
ଏହି ତାଲିମ କାର୍ଯ୍ୟକ୍ରମରେ ବୈଷୟିକ ଦିଗଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା । ୱାଇ.ଗିରି ରାଓ, ତୁଷାର ଦାସ, ରାଜକିଶୋର ଦାସ ପ୍ରମୁଖ ଏହି ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଓ ବିଭିନ୍ନ ପ୍ରସଙ୍ଗରେ ଉପସ୍ଥାପନା ଦେଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମକୁ ଶେ୍ୱତା ମିଶ୍ର ପରିଚାଳନା କରିଥିଲେ ।
ଡକଫର ଜ୍ୟୋତିର୍ମତୀ ସାମନ୍ତରାୟ
ସୂଚନା ଅଧିକାରୀ

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More