ଜାଣିନଥିଲି ସବୁ ଭଲ ଲାଗୁଥିଲା ….

0

ଏହାରି ଭିତରେ ମୁଁ ବଡ଼ପିଲା ହୋଇଯାଇଛି । ବୟସ ବି ୩୦ ଟିପିଛି । ଘର ଛାଡ଼ି ରାଜଧାନୀରେ ରହୁଛି । ଯାହା କଲେ ତା ପୂର୍ବରୁ ବହୁକଥା ଭାବିବାକୁ ପଡ଼ୁଛି । ଭୂଲ ଓ ଠିକର ହିସାବ ସବୁବେଳେ ମନକୁ ଆସୁଛି । କଣ ମୁଁ ଦୁନିଆକୁ ଜାଣିନାହିଁ ନା ଦୁନିଆ ମୋ ପାଇଁ ଅଜଣା । ଏତେ କଥା କାହିକିଁ । ବେଳେବେଳେ ତ ମନକୁ ଆସେ ମୁଁ କିଏ , କଣ ମୋ ପରିଚୟ । ଘର ଠାରୁ ଦୂରରେ ରହିଲେ ଏପରି ପ୍ରଶ୍ନ ମନକୁ ଆସେ , ନା ଏହା ଏକ ସ୍ୱଭାବିକ କଥା । ଯାହା ମୋ ଜୀବନରେ ଘଟୁଛି, ତାହା ସଭିଁଙ୍କ ଜୀବନରେ ଆସେ କି । କଣ ସତରେ ମୁଁ ବଡ଼ ହୋଇଯାଇଛି । ଯେଉଁଥି ପାଇଁ ଏକଥା ମୋ ମନକୁ ଆସୁଛି । ପିଲାବେଳେ ଯେତେବେଳେ ମୁଁ ଶୋଉ ନଥୁଲି ସେତେବେଳେ ମାଆ ଡ଼ରେଇ କହୁଥିଲା ବାଘ ମାମୁଁ ଆସିବ ଶୋଇପଡ଼ । ଆଉ କେତେବେଳେ ସ୍ନେହରେ କହୁଥଲା ଆହା ଜହ୍ନମାମୁଁ ସରଗ ଶଶୀ, ମୋ କାହ୍ନୁ ହାତରେ ପଡ଼ରେ ଖସି । ପୁଣି ନଖାଉଥିଲେ ଗୀତ ଗାଇ କହୁଥିଲା ଝୁଲୁରେ ହାତୀ ଝୁଲୁ ବାଆପାଣି ଖାଇ ଫୁଉଲୁ । ଏସବୁ କଥା ଆଜି ଆଉ ବୋଧେ କେଉଁ ମାଆ ତାପୁଅ ପାଇଁ କହୁନାର୍ହି । ମୋବାଇଲ ଏସବୁର ସ୍ଥାନ ନେଇଯାଇଛି ।
ହେଲେ କଥାଟି ହେଉଛି ଯେଉଁ କଥା ଜାଣିନଥିବ ସେକଥା କରିବାକୁ ଭାରି ଭଲଲାଗେ । ଉତ୍ସାହିତ କରେ ମଧ୍ୟ ଆମକୁ ସେ କାମ କରିବା ପାଇଁ । ପର ବାଡ଼ିରୁ ଆମ୍ବ, କରମ୍ବଙ୍ଗା, ପିଜୁଳି,ଆତ, ଫୁଲ ଚୋରି କରିବା , ଟିକେ ସମୟ ମିଳିଲେ ସାଙ୍ଗ ସହ ଖେଳିବା, ବାପା-ମାଆ ଯାହା କହିବେ ସେ କଥା ନମାନି, ସେ କଥାର ବିପରିତ ଦିଗରେ ଯିବା । କୌଣସି ଜିନିଷର ଯତ୍ନ ସଠିକ ନନେବା, ସବୁ ଜିନିଷ ଖାଇବା. ସଭିଁଙ୍କୁ ଭଲ ପାଇବା, ଭେଦଭାବ ନରଖିବା ଏପରି ନାନା କଥା । ମୋଟାମୋଟି କହିବାକୁ ଗଲେ ଯାହା ଇଚ୍ଛା ତାହା ହେଉଥିଲା । ଦୁନିଆ ମୋ ପାଇଁ ମୁଁ ଦୁନିଆ ପାଇଁ ଆସିଛି ସେପରି ଅନୁଭବ ଲାଗୁଥିଲା । ବେଳେ ଭୁବନେଶ୍ୱର ନୟାପଲ୍ଳୀ ଅଂଚଳରେ ଗୋଟିଏ ବରା ଦୋକାନରେ କେହି ଯଦି ଗୋଟେ ବରା ଖାଇବାକୁ ଜାଚୁଚି ସେତେବେଳେ ମନକୁ ପ୍ରଶ୍ନ ଆସୁଛି ଖାଇବି ତ । ଗ୍ୟାସ ହେବ ନି ତ ଏପରି କେତେ କଥା । ହେଲେ ପିଲାଦିନେ କେଉଁ ଅଜଣା ଲୋକ କି ବାପା ଯେତେବେଳେ ଘରକୁ ବରା ଆଣନ୍ତି ମୁଁ କିପରି ଅଧିକ ବରା ଖାଇବି ସେଥିଲାଗି ଗୋଟେ ପ୍ରତିଯୋଗିତା ହେଉଥିଲା । ସେହିପରି ଯେତେବେଳେ ଯାତ୍ରା କଣ ମୁଁ ଜାଣିନଥିଲି ଠିକ ସେ ସେତେବେଳେ ଗାଁ ପଡ଼ିଆରେ ତମ୍ବୁଟେକି ପଶିଯିବାକୁ ଚେଷ୍ଟା କରୁଥିଲି , ଟିକେ ଯାତ୍ରା କଳାକାରମାନଙ୍କୁ ଦେଖିବା ପାଇଁ । ଆଜି ଯ।।ତ୍ର ଟିକେଟ ମାଗଣା ଓ ଯାତ୍ରା କଳାକାରମାନେ ମୋ ପାଖରେ ଛିଡ଼ାହୋଇ କଥା ହେଲେ ବି ମତେ କିଛି ଲାଗୁନାହିଁ । କାରଣ ଯାତ୍ରା ଯେ ଜୀବନ ଯାତ୍ରାର ସତ୍ୟ କାହାଣୀ ଉପରେ ଆଧାରିତ ସେ କଥା ଆଜି ମୁଁ ଜାଣିପାରୁଛି । ସାଙ୍ଗ ସାଥି ମେଳରେ ମେଳା ବୁଲିବା ଓ ସିନେମା ଦେଖିବା ଜୋସ ଆଜି ମୋ ମନରେ ନାହିଁ । କାରଣ ମଜାମସ୍ତିରେ ସେତେବେଳେ ମୁଁ ଏସବୁ କରୁଥିଲି । ନଜାଣି ଆଜି ଯେତେବେଳେ ଜାଣୁଚି ସେଥିପ୍ରତି ଆଗ୍ରହ ହେଉନାର୍ହି । ଯେତେବେଳେ ପ୍ରେମ କଣ ମୁଁ ଜାଣିନଥିଲି ସେତେବେଳେ ଗୋଟେ ଝିଅକୁ ଝରକା ଫାଙ୍କରେ ଦେଖିବାକୁ କେତେ କଷ୍ଟ କରିବାକୁ ପଡ଼ୁଥିଲା , ସ୍କୁଲରେ ତାଙ୍କୁ ଟେରେଇ ଚାହିଁବାକୁ ବି ଇଚ୍ଛା ହେଉଥିଲା , ଯୁଆଡ଼େ ଗଲେ ତା ପ୍ରତି ମନ ଚାଲିଯାଉଥିଲା । ହେଲେ ଆଜି ଯେତେବେଳେ ମୁଁ ପ୍ରେମକୁ ବୁଝୁଛି ଓ ଜାଣୁଛି ଓ ଦୁନିଆ ପ୍ରେମିକକୁ କେମିତି ଦେଖୁଛି ସେତେବେଳେ ଝିଅଟିର କୋଳରେ ବସିଲେ କି ସାଥିରେ ରହିଲେ ବି ପ୍ରେମଭାବ ସେତେଟା ଆସୁନାହିଁ । କଣ ଏସବୁ ସମୟର ଦୋଷ ନା ବୟସର । ଲେଖକ ତ ଭାବେ ଏସବୁ ହେଉଛି ଜାଣିବାର ଦୋଷ । କାରଣ ଜୀବନରେ ଅନେକ କଥା ନଜାଣିବା ଭଲ । ସେଥିପାଇଁ ତିନି ମାଙ୍କଡ଼ ଉଦାହରଣ ଦେଇଛି ଏ ସମାଜ । ଖରାପ କଥା କହିବିନି, ଖରାପ କଥା ଦେଖିବିନି,ଖରାପ କଥା ଶୁଣିବିନି । ତେଣୁ ତ ନଜାଣିନଥିଲି ସବୁ ଭଲ ଲାଗୁଥିଲା ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More