କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଗିରଫ । ସିନେମା ହଲରେ ଗଣ୍ଡଗୋଳ କରି ବିଧାୟକଙ୍କ ପୁଅ ସେଜିସିଂ ଗିରଫ ହୋଇଛନ୍ତି । ଆଲିସାନ ସିନେମା ହଲର ମାଲିକଙ୍କ ସହ ପାଟିତୁଣ୍ଡ କରିଥିଲେ ସାଲୁଜାଙ୍କ ପୁଅ ସେଜି ସିଂ । ତେବେ ହଲରେ ଗଣ୍ଡଗୋଳ ସମୟର ଭିଡିଓ ଭାଇରାଲ ହୋଇଥିଲା । ସେଜିସିଂ ଗଣ୍ଡଗୋଳ କରିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ IPCର ଧାରା ୩୮୪, ୫୦୬, ୩୫୩ ଓ ଆର୍ମସ୍ ଆକ୍ଟ ଲାଗିଛି ।
ଗତକାଲି ସାଲୁଜାଙ୍କ ପୁଅ କଣ୍ଟାବାଞ୍ଜିରେ ଥିବା ‘ଆଲିସାନ’ ସିନେମା ହଲ୍କୁ ଫିଲ୍ମ ଦେଖିବା ପାଇଁ ସାଙ୍ଗମାନଙ୍କ ସହ ଯାଇଥିଲେ । କୌଣସି କାରଣ ପାଇଁ ସିନେମା ହଲ୍ ମାଲିକଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା । ଏନେଇ ନେଇ ସିନେମା ହଲ୍ ମାଲିକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲା । ହେଲେ ସେଠାରେ ପୋଲିସ ସହ ମଧ୍ୟ ସାଲୁଜାଙ୍କ ପୁଅର ଯୁକ୍ତିତର୍କ ହୋଇଥିଲା। କିଛି ସମୟ ପୁଲିସ ଓ ସାଲୁଜାଙ୍କ ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଆଉ ସେ ଘରକୁ ପଳାଇ ଯାଇଥିଲେ ।
ପରେ ସେହି ରାତିରେ ସିନେମା ହଲ୍ ମାଲିକ ସାଲୁଜାଙ୍କ ପୁଅଙ୍କ ନାଁ ଥାନାରେ ଅଭିଯୋଗ କରିଥିଲେ । ତଦନ୍ତ କରି ଗତକାଲି ରାତିରେ ସାଲୁଜାଙ୍କ ପୁଅକୁ ଗିରଫ କରିଥିଲା ପୋଲିସ । ଏହାସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ସେଜି ସିଂଙ୍କ ଜିମ୍ରେ ପୁଲିସ ଚଢ଼ାଉ କରି ନଗଦ ୧୯ ଲକ୍ଷ ଟଙ୍କା ଓ ବିଭିନ୍ନ ବ୍ରାଣ୍ଡର ୧୭ ଲିଟର ମଦ ଜବତ କରିଛି ।