ବିଦ୍ୟୁତ ଶ୍ରମିକ କର୍ମଚାରୀମାନଙ୍କ ବିଭିନ୍ନ ଦାବି ଉପରେ ଶକ୍ତି ମନ୍ତ୍ରୀଙ୍କ ସହିତ ଆଲୋଚନା କଲେ ଏକତା ମଞ୍ଚ ||
ଖୁବ ଶୀଘ୍ର ଏହାର ସ୍ଥାୟୀ ସମାଧାନ କରିବାକୁ ପ୍ରତିଶୁତି ଦେଲେ ମନ୍ତ୍ରୀ ପ୍ରତାପ କେଶରୀ ଦେବ
ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ ଶ୍ରମିକ ମାନଙ୍କର ସମସ୍ୟାର ସମାଧାନ କରିବା କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଓଡିଶା ବିଦ୍ୟୁତ ଶ୍ରମିକ ଏକତା ମଞ୍ଚ ତରଫରୁ ଗତକାଲି ୧୨/୦୯/୨୦୨୨ ଦିନ ପୂର୍ବ ନିର୍ଧାରିତ ମତେ ଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ କେଶରୀ ଦେବଙ୍କୁ ବିଦ୍ୟୁତ ଶ୍ରମିକ କର୍ମଚାରୀ ମାନଙ୍କ ମଧ୍ୟରେ ଦେଖାଦେଇଥିବା ଶ୍ରମିକ ଅସନ୍ତୋଷର ସ୍ଥାୟୀ ସମାଧାନ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା | ରାଜ୍ୟ ସରକାର ୨୦୨୦ ମସିହାରେ ରାଜ୍ୟର ୪ ଟି ବିଦ୍ୟୁତ ବିତ୍ତରଣ କମ୍ପାନୀର ୫୧ ପ୍ରତିଶତ ଅଂଶଧନକୁ ଟାଟା ପାୱାର କୁ ବିକ୍ରି କରିବା ସମୟରେ ଓଇଆରସି ଦ୍ୱାରା ଯେଉଁ ଭେଷ୍ଟିଙ୍ଗ ଅର୍ଡର ଦେଲେ ସେହି ଭେଷ୍ଟିଙ୍ଗ ଅର୍ଡର ରାଜ୍ୟର ବିଦ୍ୟୁତ ଶ୍ରମିକ କର୍ମଚାରୀ ମାନଙ୍କର ସ୍ୱାର୍ଥପରିପନ୍ଥୀ |
୧୯୯୯ ମସିହାରେ ରାଜ୍ୟସରକାର ପ୍ରଥମେ ଯେତେବେଳେ ଘରୋଇକରଣ କରିଥିଲେ ସେତେବେଳେ ଓଏସଇବି ର ୟାର୍ଡ଼ଷ୍ଟିକ ଅନୁଯାଇ ବିତ୍ତରଣ କମ୍ପାନୀମାନଙ୍କର ଥିବା ୧୪ ଲକ୍ଷ ବିଦ୍ୟୁତ ଗ୍ରାହକଙ୍କ ପାଇଁ ୨୮୮୬୪ ଟି ରେଗୁଲାର ପୋଷ୍ଟ ରହିଥିଲା | କିନ୍ତୁ ଦୁର୍ଭାଗ୍ୟର ବିଷୟ ସେହି ପୋଷ୍ଟ ଗୁଡିକରେ କାର୍ଯ୍ୟ କରୁଥିବା ଶ୍ରମିକ କର୍ମଚାରୀ ଅବସର ନେଉଥିବା ବେଳେ ଖାଲି ପଡୁଥିବା ପଦବୀ ଗୁଡିକ ରେଗୁଲାର କର୍ମଚାରୀ ମାନଙ୍କ ଦ୍ୱାରା ପୂରଣ କରାନଯାଇ ତାଙ୍କ ସ୍ଥାନଗୁଡିକୁ ଫ୍ରାଞ୍ଚାଇଜ ଓ ଆଉଟସୋର୍ସ ମାନଙ୍କ ଦ୍ୱାରା ପୂରଣ କରାଯାଉଥିଲା |
ଏହା ବିରୁଦ୍ଧରେ ଉପୋଭୋକ୍ତା ମହାସଂଘର ସଭାପତି ଶ୍ରୀ ରମେଶ ଶତପଥୀ ଓଇଆରସି ନିକଟରେ ବାରମ୍ବାର ଯୁକ୍ତି ଉପସ୍ଥାପନା କରୁଥିଲେ ମଧ୍ୟ ସେଗୁଡିକ ଉପରେ କର୍ଣ୍ଣପାତ ସରକାର କରୁନଥିଲେ | ଯାହାଫଳରେ ଗତ ୨୦୨୦ ରେ ରାଜ୍ୟ ସରକାର ଓ ଓଇଆରସି ପୁନର୍ବାର ଘରୋଇକରଣ କରି ଚାରୋଟି ଯାକ ବିତ୍ତରଣ କମ୍ପାନୀର ୫୧ ପ୍ରତିଶତ ଅଂଶଧନକୁ ଟାଟା ପାୱାର କୁ ହସ୍ତାନ୍ତର କରିବା ସମୟରେ ପୁନର୍ବାର ମଧ୍ୟ ଏହି ୟାର୍ଡ଼ଷ୍ଟିକ ପୋଷ୍ଟରେ ବିଭିନ୍ନ ଫ୍ରାଞ୍ଚାଇଜ ଓ ବିଜିନେସ ଆସୋସିଏଟ ଜରିଆରେ କାର୍ଯ୍ୟ କରୁଥିବା ଶ୍ରମିକ କର୍ମଚାରୀ ଇଞ୍ଜିନିଅର ମାନଙ୍କୁ ସେହି ୟାର୍ଡ଼ଷ୍ଟିକ ପୋଷ୍ଟରେ ନିଯୁକ୍ତି ନଦେଇ ଭେଷ୍ଟିଙ୍ଗ ଅର୍ଡର ତିଆରି କରି ରାଜ୍ୟର ବିଦ୍ୟୁତ ବିତ୍ତରଣ ଦାୟିତ୍ୱ ଟାଟା ପାୱାରକୁ ହସ୍ତାନ୍ତର କଲେ | ଯାହାଫଳରେ ଆଜି ରାଜ୍ୟର ବିଦ୍ୟୁତ ବିଭାଗରେ ରେଗୁଲାର କର୍ମଚାରୀ ମାନଙ୍କ ସଂଖ୍ୟା କମି କମି ୯୯୦୦ ରେ ପହଁଚିଥିବା ବେଳେ ସାରା ରାଜ୍ୟରେ ୨୪୦୦୦ ରୁ ଅଧିକ ଆଉଟଷୋର୍ସ କର୍ମଚାରୀ ବି.ଏ. ଅଧୀନରେ ସ୍ୱଳ୍ପ ବେତନରେ ଅଧିକ କାର୍ଯ୍ୟ କରୁଛନ୍ତି | କେବେଳ ସେତିକି ନୁହେଁ ସେମାନଙ୍କ ପାଇଁ କୌଣସି ଚାକିରିର ସର୍ତ୍ତାବଳି ନାହିଁ | ରାଜ୍ୟ ସରକାର ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଏକତା ମଞ୍ଚ ଦାବି କରିଛି |
ଏକତା ମଞ୍ଚ ତରଫରୁ ଶକ୍ତି ମନ୍ତ୍ରୀଙ୍କୁ ଦିଆଯାଇଥିବା ଦାବିପତ୍ରରେ ପୁନର୍ବାର ଦାବି କରାଗଲା ଯେ, ଓପିଟିସିଏଲ, ଓଏଚପିସି ଏବଂ ଓପିଜିସି ପରି ସରକାରୀ ସଂସ୍ଥା ମାନଙ୍କରେ ଯେଉଁ ଠିକା କର୍ମଚାରୀମାନଙ୍କୁ ଶ୍ୟାଙ୍କସନ ପୋଷ୍ଟରେ ନିଯୁକ୍ତି ଦିଆହୋଇଛି ସେମାନଙ୍କୁ ତୁରନ୍ତ ରେଗୁଲାର କରାଯାଉ | ଗତ ୨୦୧୮ ମସିହାରେ ସରକାରୀ ଦରମା ସହିତ ସମାନ ଦରମାରେ ଥିବା ଗ୍ରେଡ଼ ପେ ର ତାରତମ୍ୟ ର ସ୍ଥାୟୀ ସମାଧାନ କରିବାକୁ ମଧ୍ୟ ଦାବି ହୋଇଛି | ଟେକ୍ନିକାଲ କର୍ମଚାରୀମାନେ ଆଇନଗତ ଭାବେ ସେମାନଙ୍କ ପ୍ରାପ୍ୟରୁ ବଂଚିତ ହୋଇଥିବାରୁ ତୁରନ୍ତ ଏହାର ସ୍ଥାୟୀ ସମାଧାନର ଆବଶ୍ୟକତା ଅଛି | ଦରମା ନିର୍ଧାରଣ ୨୦୨୦ ରେ ହେବାର ଥିଲେ ମଧ୍ୟ ତୁରନ୍ତ ଏହି ବିଷୟରେ ଫଇସଲା କରିବାପାଇଁ ଦାବି କରାଯାଇଛି | ଏହି ଦାବିପତ୍ର ଉପରେ ହେଉଥିବା ଆଲୋଚନାରେ ଏକତା ମଞ୍ଚର ବରିଷ୍ଠ ଶ୍ରମିକ ନେତା ତଥା ଉପୋଭୋକ୍ତା ମହାସଂଘର ସଭାପତି ଶ୍ରୀ ରମେଶ ଶତପଥୀ, ଶ୍ରମିକ ନେତା ପ୍ରଶାନ୍ତ ମହାପାତ୍ର, ଅକ୍ଷୟ କୁମାର ତ୍ରିପାଠୀ, ସତ୍ୟଜିତ ବାଘ, ଜଗନ୍ନାଥ ମହାରଣା, ଏନ. ଭାସ୍କର ରାଓ, ପ୍ରଣୟ ନାୟକ ପ୍ରମୁଖ ଭାଗ ନେଇଥିଲେ | ମନ୍ତ୍ରୀ ଆଲୋଚନାରେ କହିଥିଲେ ଏହି ସବୁ ସମସ୍ୟାର ସ୍ଥାୟୀ ସମାଧାନ ହେବାର ଆବଶ୍ୟକତା ଅଛି | ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରି ଖୁବ ଶୀଘ୍ର ଆପଣମାନଙ୍କୁ ଡାକି ଯୁକ୍ତିଯୁକ୍ତ ଦାବିଗୁଡିକର ସମାଧାନ କରାଯିବ |