ଜଳିଗଲା ଗୋବିନ୍ଦର ଶବ; ମମିତା ହତ୍ୟା ମାମଲା ନେବ କେଉଁ ମୋଡ଼ ?

0

ଧର୍ମଗଡ: “ହମ ତୋ ଡୁବେଙ୍ଗେ ସନମ, ତୁମ୍ଭେ ଭି ସାଥ ଲେ ଡୁବେଙ୍ଗେ” କେଉଁ ଏକ ଚଳଚିତ୍ରର ସଂଳାପ ଭଳି ଶେଷରେ ମମିତା ଘଟଣାରେ ଯବନିକା ପଡିଛି । ଜେଲ ଭିତରେ ଅଭିଯୁକ୍ତ ଗୋବିନ୍ଦ ସାହୁର ମୃତ୍ୟୁ ସହ ବହୁଚର୍ଚ୍ଚିତ ମମିତା ମୃତ୍ୟୁ ଘଟଣାର ଶେଷ ଦୃଶ୍ୟ ସମାପ୍ତ ହୋଇଯାଇଛି । ମୋଟାମୋଟି ଏହି ହାଇପ୍ରୋଫାଇଲ ମୃତ୍ୟୁ ଘଟଣାରେ ପୂର୍ଣ୍ଣଛେଦ ପଡି ପୁଣି ଏକ ନୂଆ ପ୍ରସଙ୍ଗ ଚର୍ଚ୍ଚାର ପରିଧିକୁ ଆସିଛି ।
ଗୋବିନ୍ଦ ମଲା କାହିଁକି ? ଗୋବିନ୍ଦର ମୃତ୍ୟୁ ଆତ୍ମହତ୍ୟା ? ଆତ୍ମଗ୍ଲାନି ଗୋବିନ୍ଦକୁ ଆତ୍ମହତ୍ୟା ଭଳି ଚରମ ପନ୍ଥା ନେବାକୁ ବାଧ୍ୟ କରାଗଲା କି ? କୌଣସି ଷଡ଼ଯନ୍ତ୍ରର ଶିକାର ହୋଇ ଗୋବିନ୍ଦ ଆତ୍ମହତ୍ୟା କରି ନାହିଁ ତ ? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ମୃତ ମମିତା ମହାଲିଙ୍ଗ ସ୍ଥିତ ସନସାଇନ ପବ୍ଳିକ ସ୍କୁଲର ଅଧ୍ୟକ୍ଷା ଥିଲେ । ଗତ ୨୦୨୧ ଅକ୍ଟୋବର ୮ତାରିଖରେ ମମିତାଙ୍କୁ ସେଇ ସ୍କୁଲର ପ୍ରତିଷ୍ଠାତା ଗୋବିନ୍ଦ ସାହୁ ହତ୍ୟା କରିବା ନେଇ ଅଭିଯୋଗ ହୋଇଥିଲା । କୌଣସି ଏକ ଘଟଣାକୁ ନେଇ ମମିତା ଓ ଗୋବିନ୍ଦ ମଧ୍ୟରେ ତିକ୍ତତା ବଢିଥିଲା । ସେଥିପାଇଁ କୁଆଡେ଼ ଗୋବିନ୍ଦକୁ ବରବାଦ କରିଦେବି ବୋଲି ମୃତ ମମିତା ଧମକ ଦେବା ନେଇ ସେତେବେଳେ ଚର୍ଚ୍ଚା ହୋଇଥିଲା । ମମିତାଙ୍କ ବାପା ମା’ ମଧ୍ୟ ଏକଥା କହୁଥିଲେ ।

ପୁଲିସ ଏହି ମାମଲାରେ ଗୋବିନ୍ଦଙ୍କୁ ଗିରଫ ପରେ ସେ ଅକ୍ଟୋବର ୧୭ତାରିଖ ଦିନ ଟିଟିଲାଗଡ଼ ଥାନାରୁ ଫେରାର ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଏକ ଆଖୁ କିଆରୀରୁ ଧରାପଡିଥିଲା। ତା ଆର ଦିନ ୧୮ତାରିଖ ରାତିରେ ମହାଲିଙ୍ଗ ଷ୍ଟାଡିୟମକୁ ପୋଲିସ ନିଜ ହେପାଜତକୁ ନେଇଥିଲା ଏବଂ ୧୯ତାରିଖ ସକାଳେ ଜେସିବି ସାହାଯ୍ୟରେ ମାଟି ଖୋଳି ଆଠ ଫୁଟ ତଳୁ ହାଡ଼ ପାଉଁଶ, ପାଉଁଜି ଆଦି ଉଦ୍ଧାର କରାଯାଇଥିଲା। ଏହି ମାମଲାରେ ରାଜ୍ୟର ଶାସକ ଦଳର ଅନେକ ନେତାଙ୍କ ସଂପୃକ୍ତି ନେଇ ବିରୋଧୀ ରାଜରାସ୍ତାକୁ ଓହ୍ଳାଇଥିଲା । ଘଟଣାରେ ଜଣେ ମନ୍ତ୍ରୀଙ୍କ ସଂପୃକ୍ତି ଥିବା ମୃତ ମମିତାଙ୍କ ବାପା ଅଭିଯୋଗ କରିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଥିଲା । କେବଳ କଳାହାଣ୍ଡି ନୁହେଁ ରାଜ୍ୟ ସାରା ପ୍ରତିବାଦର ସ୍ୱର ଶୁଣିବାକୁ ମିଳିଥିଲା । ଅନେକ କେନ୍ଦ୍ରୀୟ ନେତା ବି କଳାହାଣ୍ଡି ଗସ୍ତ କରି ଘଟଣାର ନିନ୍ଦା କରିଥିଲେ । ମାମଲା ବିଚାରାଧୀନ ଥିବାବେଳେ ପ୍ରତିଟି କୋର୍ଟ ହାଜିରାରେ ମମିତାଙ୍କ ପରିବାର ଗୋବିନ୍ଦର ଫାଶୀ ପାଇଁ ନିବେଦନ କରୁଥିଲେ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More