ଜୁନାଗଡ କଲେଜ ଛାତ୍ରୀ ଗଣଦୁର୍ଷ୍କମ ପ୍ରସଙ୍ଗ, ପୋଲିସ ଖସାଇ ଦେଇଥିବା ମୁଖ୍ୟ ଅଭିଯୁକ୍ତ ହେଉଛି ଜିଲ୍ଲା ବିଜେଡି ସଭାପତିଙ୍କ ଡ୍ରାଇଭର : ବିଜେପି
ଭୁବନେଶ୍ୱର : ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ଗତ ୪ ଦିନ ତଳେ କଳାହାଣ୍ଡି ଜିଲ୍ଲା ଜୁନାଗଡର ଏକ ଜଙ୍ଗଲରେ ଜଣେ କଲେଜ ଛାତ୍ରୀ ସହିତ ୧୦ ଜଣ ଗଣଦୁର୍ଷ୍କମ କରିବା ପରେ ଖୋଦ୍ ପୀଡିତା ଯାହାକୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇଛି ତାକୁ ପୋଲିସ ଛାଡିଦେବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
* ଶାସକ ଦଳ ଚାପରେ ମୁଖ୍ୟ ଅଭିଯୁକ୍ତକୁ ଖଲାସ କରିଛି ପୋଲିସ
* ପାଡିତା ମୁଖ୍ୟ ଅଭିଯୁକ୍ତର ନାଁ ଗଣମାଧ୍ୟମରେ କହିଥିବାବେଳେ ପୋଲିସ ତାକୁ କିପରି ଛାଡିଲା ?
* ମୁଖ୍ୟ ଅଭିଯୁକ୍ତକୁ ଖଲାସ କରିବା ପାଇଁ ହୋଇଛି ଷଡଯନ୍ତ୍ର
* ଶାସକ ଦଳର ପୃଷ୍ଠପୋଷକତାରେ ଅପରାଧୀ ମାନେ ଖୁଲମଖୁଲା ଅପରାଧ ଘଟାଇ ଚାଲିଛନ୍ତି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ସାମନ୍ତସିଂହାର କହିଛନ୍ତି ଯେ, ଗତକାଲି ପୀଡିତା ଗଣମାଧ୍ୟମରେ ସୂଚନା ଦେଇଛି କି, ବସ ଡ୍ରାଇଭର ଲଲିତେନ୍ଦୁ ଶବର ହେଉଛି ମୁଖ୍ୟ ଅଭିଯୁକ୍ତ । ପୀଡିତା ଜଣକ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରୁଥିଲେ ବି ପୋଲିସ ଶାସକ ଦଳ ଚାପରେ ବସ ଡ୍ରାଇଭର ତଥା ମୁଖ୍ୟ ଅଭିଯୁକ୍ତକୁ ଛାଡି ଦେଇଛି । ମୁଖ୍ୟ ଅଭିଯୁକ୍ତ କଳାହାଣ୍ଡି ଜିଲ୍ଲା ବିଜୁଜନତା ଦଳର କାର୍ଯ୍ୟକାରୀ ସଭାପତି ପ୍ରଭୋଦ ରଥଙ୍କ ବସ ଡ୍ରାଇଭର ହୋଇଥିବାରୁ ପୋଲିସ ଜାଣିଶୁଣି ତାକୁ ଛାଡି ଦେଇଛି । କେବଳ ସେତିକି ନୁହେଁ ପ୍ରଭୋଦ ରଥ କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳର ଜଣେ ପ୍ରଭାବଶାଳୀ ନେତା ଏବଂ ଗତ ନିର୍ବାଚନରେ ଜୁନାଗଡ ବିଧାନସଭା କ୍ଷେତ୍ରର ସହ-ସଂଯୋଜକ ଦାୟୀତ୍ୱରେ ଥିଲେ । ରାଜ୍ୟରେ ଅନେକ ଝିଅ ମାନଙ୍କ ସହ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ହେଉଥିବାବେଳେ ଶାସକ ଦଳର ନେତା, ମନ୍ତ୍ରୀ ଓ ମହିଳା କମିଶନ କେବେ ବି ଘଟଣାକୁ ନିନ୍ଦା କରୁନାହାଁନ୍ତି କି ଏଭଳି ଅମାନବୀୟ ଘଟଣା ଉପରେ କୌଣସି ମନ୍ତବ୍ୟ ଦେଉନାହାଁନ୍ତି । କିନ୍ତୁ ଜୁନାଗଡ ଗଣଦୁର୍ଷ୍କମ ଘଟଣାରେ ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଆସି କହିଲେ ଯେ ମୁଁ ଏସ୍ପି ଏବଂ ଡିଆଜିଙ୍କ ସହ କଥା ହେଇଛି ଆଉ ତୁରନ୍ତ ଅଭିଯୁକ୍ତ ମାନେ ଧରାପଡିବେ । ମନ୍ତ୍ରୀଙ୍କ ବୟାନର ଠିକ୍ ପରଦିନ ମହିଳା କମିଶନ ଅଧ୍ୟକ୍ଷା ତୁରନ୍ତ ଜୁନାଗଡ ଯାଇ ପୀଡିତାକୁ ଭେଟିଥିଲେ । ପୂର୍ବରୁ ଅନେକ ଗଣଦୁର୍ଷ୍କମ ଘଟଣାରେ ଚୁପ୍ ବସଥିବା ମହିଳା କମିଶନ ଅଧ୍ୟକ୍ଷା କାହିଁକି ଏବଂ କେଉଁ ଉଦ୍ଦେଶ୍ୟ ରଖି ଜୁନାଗଡ ଯାଇଥିଲେ ତାହା ଆଜି ସ୍ପଷ୍ଟ ହୋଇଛି ବୋଲି ଡ. ସାମନ୍ତସିଂହାର କହିଛନ୍ତି ।ମିଡିଆ ଠାରୁ ନଜର ହଟେଇବା ଏବଂ ଦଳକୁ ସୁରକ୍ଷା ଦେବା ପାଇଁ ଏଭଳି ନାଟକ ରଚାଯାଇଛି । ଆଉ ମୁଖ୍ୟ ଅଭିଯୁକ୍ତକୁ ଖଲାସ କରିବା ପାଇଁ ଏହି ଷଡଯନ୍ତ୍ର ରଚାଯାଇଛି । ଶାସକ ଦଳର ପୃଷ୍ଠପୋଷକତାରେ ଅପରାଧୀ ମାନେ ଖୁଲମଖୁଲା ଅପରାଧ ଘଟାଇ ଚାଲିଛନ୍ତି । ରାଜ୍ୟସରକାର ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବିଜେଡି ଜିଲ୍ଲା ସଭାପତିଙ୍କ ଡ୍ରାଇଭର ନରେନ୍ଦ୍ର ଶବରକୁ ତୁରନ୍ତ ଗିରଫ କରି ପୀଡିତାକୁ ନ୍ୟାୟ ଦିଅନ୍ତୁ ବୋଲି ଡ.ସାମନ୍ତସିଂହାର ଦାବି କରିଛନ୍ତି ।