ଅର୍ଶଦୀପ, ଚହରଙ୍କ ଘାତକ ବୋଲିଂ ; ଭାରତ ବିଜୟୀ

0

ତିରୁଅନନ୍ତପୁରମ୍‌ : ନୂଆ ବଲ୍‌ରେ ପେସ୍‌ ବୋଲରଙ୍କ ଘାତକ ବୋଲିଂ ବଳରେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି । ବୁଧବାର ଦକ୍ଷିଣ ଆଫ୍ରିକାକୁ ୮ ୱିକେଟରେ ଭାରତ ପରାସ୍ତ କରିଛି । ପେସ୍‌ ବୋଲିଂ ପାଇଁ ଉପଯୋଗୀ ପିଚ୍‌ରେ ଏହି କମ୍‌ ସ୍କୋର୍‌ ବିଶିଷ୍ଟ ମ୍ୟାଚ୍‌ରେ ଘରୋଇ ଭାରତ ସହଜ ବିଜୟ ହାସଲ କରିଛି। ଫଳରେ ୩ ମ୍ୟାଚ୍‌ର ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ହୋଇଛି । ୯ ରନ୍‌ରେ ୫ଟି ୱିକେଟ୍‌ ହରାଇବା ପରେ କେଶବ ମହାରାଜଙ୍କ ଲଢ଼ୁଆ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଦକ୍ଷିଣ ଆଫ୍ରିକା ୮ ୱିକେଟରେ ୧୦୬ ରନ୍‌ କରି ପାରିଥିଲା। ଭାରତ ସହଳ ୨ଟି ୱିକେଟ ହରାଇଥିଲେ ହେଁ କେ.ଏଲ୍‌. ରାହୁଲ ଓ ସୂର୍ଯ୍ୟକୁମାର ଯାଦବଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୨୦ଟି ବଲ୍‌ ବାକିଥାଇ ୨ ୱିକେଟ ହରାଇ ଭାରତ ଜିତିଥିଲା । ରବିବାର ଗୁଆହାଟୀରେ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ ।
୧୦୭ ରନ୍‌ର ବିଜୟଲକ୍ଷ୍ୟ ନେଇ ଭାରତ ଓହ୍ଲାଇଥିବା ବେଳେ ଦକ୍ଷିଣ ଆଫ୍ରିକା ପେସ୍‌ ବୋଲର ମଧ୍ୟ ପ୍ରଭାବଶାଳୀ ବୋଲିଂ କରିଥିଲେ। ଫଳରେ ୬ ଓଭରର ପାୱରପ୍ଲେରେ ଭାରତ ୧୭ ରନ୍‌ କରିଥିଲା। ଏହି ସ୍କୋର୍‌ରେ ଭାରତ ତା’ର ଦୁଇ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ୱିକେଟ ହରାଇଥିଲା। ରୋହିତ ବିନା ସ୍କୋର୍‌ରେ ଓ କୋହଲି ୩ ରନ୍‌କରି ୱିକେଟ ପଛରେ କ୍ୟାଚ୍‌ ଦେଇଥିଲେ। ଚମତ୍କାର ଫର୍ମରେ ଥିବା ବିଶ୍ବର ୨ନଂ ଟ୍ବେଣ୍ଟି୨୦ ବ୍ୟାଟ୍‌ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ କ୍ରିଜ୍‌କୁ ଆସି ପ୍ରଥମ ୩ଟି ବଲ୍‌ରୁ ୨ଟି ଛକା ମାରିଥିଲେ। ଓପ୍‌ନର କେ.ଏଲ୍‌. ରାହୁଲ ଜଗିରଖି ଖେଳିଥିବା ବେଳେ ସୂର୍ଯ୍ୟକୁମାର ସଟ୍‌ ଖେଳିଥିଲେ। ଫଳରେ ଭାରତ ବିଜୟଲକ୍ଷ୍ୟରେ ପହଞ୍ଚି ପାରିଥିଲା। ଅବିଭାଜିତ ୩ୟ ୱିକେଟ ପାଇଁ ରାହୁଲ ଓ ସୂର୍ଯ୍ୟ ୯୩ ରନ୍‌ ଯୋଡ଼ିଥିଲେ। ରାହୁଲ ୫୬ ବଲ୍‌ରୁ ୪ଟି ଛକା ଓ ୨ଟି ଚୌକା ସହ ୫୧ ଏବଂ ସୂର୍ଯ୍ୟକୁମାର ୩୩ ବଲ୍‌ରୁ ୩ଟି ଛକା ଓ ୫ଟି ଚୌକା ସହ ୫୦ ରନ୍‌କରି ଅପରାଜିତ ଥିଲେ। ଯୁବ ବାମହାତି ପେସ୍‌ ବୋଲର ଅର୍ଶଦୀପ ସିଂହ ଆନ୍ତର୍ଜାତିକ କ୍ରିକେଟ୍‌ ଜୀବନରେ ପ୍ରଥମଥର ପ୍ଲେୟର ଅଫ୍ ଦି ମ୍ୟାଚ୍‌ ପୁରସ୍କାର ପାଇଥିଲେ।
ଭାରତ ଟସ୍ ଜିତି ଫିଲ୍‌ଡିଂ ନେବା ପରେ ଦକ୍ଷିଣ ଆଫ୍ରିକା ଦୟନୀୟ ବ୍ୟାଟିଂ କରିଥିଲା। ପିଚ୍‌ରେ ସାମାନ୍ୟ ଘାସ ଥିବା ବେଳେ ଦୁଇ ଭାରତୀୟ ନୂଆବଲ୍‌ ବୋଲର ଦୀପକ ଚହର ଓ ଅର୍ଶଦୀପ ସିଂହ ବଲ୍‌କୁ ସ୍ବିଙ୍ଗ୍‌ କରାଇଥିଲେ। ଏହାର ଜବାବ ଦକ୍ଷିଣ ଆଫ୍ରିକା ବ୍ୟାଟ୍‌ସମ୍ୟାନଙ୍କ ପାଖରେ ନଥିଲା। ଅଢ଼େଇ ଓଭରରେ ଦକ୍ଷିଣ ଆଫ୍ରିକା ୯ ରନ୍‌ରେ ତା’ର ଅଧା ବ୍ୟାଟ୍‌ସମ୍ୟାନଙ୍କୁ ହରାଇଥିଲା। ଚହର ତାଙ୍କ ପ୍ରଥମ ୨ଟି ଓଭରରେ ୨ଟି ଏବଂ ଅର୍ଶଦୀପ ତାଙ୍କ ପ୍ରଥମ ଓଭରରେ ୩ଟି ୱିକେଟ ନେଇଥିଲେ। ଏହି ୫ ବ୍ୟାଟ୍‌ସମ୍ୟାନଙ୍କ ମଧ୍ୟରୁ କେବଳ କ୍ବିଣ୍ଟନ ଡି କକ୍ (୧) ଖାତା ଖୋଲି ପାରିଥିଲେ। ୬ଷ୍ଠ ୱିକେଟ ପାଇଁ ଐଡେନ ମାର୍କରାମ ଓ ୱେନ୍ ପାର୍ନେଲ ୩୩ ରନ୍‌ ଯୋଡ଼ିଥିଲେ। ମାର୍କରାମ ୨୪ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୫ ରନ୍‌ କରିଥିଲେ। ପାର୍ନେଲ ଓ କେଶବ ମହାରାଜ ୮ମ ୱିକେଟ ପାଇଁ ୩୩ ରନ୍‌ ଯୋଡ଼ିଥିଲେ। ପାର୍ନେଲ ୩୭ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୪ ରନ୍‌ କରିଥିଲେ। ମହାରାଜ ୩୫ ବଲ୍‌ରୁ ୨ଟି ଛକା ଓ ୫ଟି ​ ଚୌକା ସହ ସର୍ବାଧିକ ୪୧ ରନ୍‌ କରିଥିଲେ। ଅର୍ଶଦୀପ ୩ ଓଭରରେ ୧୫ ରନ୍‌ ଦେଇଥିବା ବେଳେ ଶେଷ ଓଭରରୁ ୧୭ ରନ୍‌ ଦେଇଥିଲେ। ଅର୍ଶଦୀପ ୩ଟି ଏବଂ ଦୀପକ ଚହର ଓ ହର୍ଷଲ ପଟେଲ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More