ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟ୍ବେଣ୍ଟି୨୦

0

ତିରୁୱନନ୍ତପୁରମ୍‌: ଅଷ୍ଟ୍ରେଲିଆ ମାଟିରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଖେଳିବା ପୂର୍ବରୁ ୨ ବଡ଼ ଟାଇଟଲ ଦାବିଦାର ଭାରତ ଓ ଦକ୍ଷିଣ ଆଫ୍ରିକା ଶେଷ ଟ୍ବେଣ୍ଟି୨୦ ଶୃଙ୍ଖଳା ତଥା ଶେଷ ୩ଟି ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି। ବୁଧବାର ତିରୁୱନନ୍ତପୁରମ୍‌ରେ ଉଭୟ ଦଳଙ୍କ ମଧ୍ୟରେ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ। ବିଶ୍ବ ଚମ୍ପିଆନ୍‌ ଅଷ୍ଟ୍ରେଲିଆକୁ ନିଜମାଟିରେ ଟ୍ବେଣ୍ଟି୨୦ ଶୃଙ୍ଖଳାରେ ୨-୧ରେ ହରାଇବା ଭାରତୀୟ ଦଳର ମନୋବଳ ବହୁତ ଉପରେ। ଏବେ ଦକ୍ଷିଣ ଆଫ୍ରିକା ଦଳର ମୁକାବିଲା କରିବାକୁ ଯାଉଛି ଭାରତ। ଅବଶ୍ୟ ଏହି ୩ଟି ଟ୍ବେଣ୍ଟି୨୦ ପରେ ଉଭୟ ଦଳ ୩ ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳା ଖେଳିବେ। ଆଗାମୀ ବିଶ୍ବକପ୍‌କୁ ଦେଖି ଭାରତ ଶିଖର ଧାୱନଙ୍କ ନେତୃତ୍ବରେ ‘ବି’ ଦଳ ଦିନିକିଆ ଶୃଙ୍ଖଳା ଖେଳାଇବ ବୋଲି ଚର୍ଚ୍ଚା ଚାଲିଛି। ହେଲେ ଦକ୍ଷିଣ ଆଫ୍ରିକାର ଟ୍ବେଣ୍ଟି୨୦ ଦଳ ଓ ଦିନିକିଆ ଦଳରେ ବିଶେଷ ପରିବର୍ତ୍ତନ ନାହିଁ। ସେ ଯାହାହେଉ, ଏହି ୩ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଶୃଙ୍ଖଳା ଚୂଡ଼ାନ୍ତ ଏକାଦଶ ନିର୍ଦ୍ଧାରଣ କରିବା ଏବଂ ପରୀକ୍ଷା ନିରୀକ୍ଷା କରିବା ଲାଗି ଶେଷ ସୁଯୋଗ।

ଅଷ୍ଟ୍ରେଲିଆ ବିପକ୍ଷରେ ଟ୍ବେଣ୍ଟି୨୦ ଶୃଙ୍ଖଳା ଭାରତ ଜିତିଥିଲେ ହେଁ ସ୍ଲଗ୍‌ ଓଭରରେ ବୋଲିଂ ଏହାର ଏକ ସମସ୍ୟା। ଏହି ସମସ୍ୟା ଦୂରକରିବା ଲାଗି ମଧ୍ୟ ଏହି ଶୃଙ୍ଖଳା ଶେଷ ସୁଯୋଗ। ଏହି ଶୃଙ୍ଖଳାରେ ଭାରତ ତା’ର ୨ ପ୍ରମୁଖ ବୋଲର ହାର୍ଦିକ ପାଣ୍ଡ୍ୟା ଓ ଭୁବନେଶ୍ବର କୁମାରଙ୍କ ବିନା ଖେଳିବ। ହାର୍ଦିକଙ୍କ ବୋଲିଂ ଅପେକ୍ଷା ତାଙ୍କ ବ୍ୟାଟିଂର ଫାଇଦା ଭାରତ ହରାଇବ। ଖାଲି ଏତିକି ନୁହେଁ; ବିଶ୍ବକପ୍‌ ଦଳରୁ ବାଦ୍‌ପଡ଼ିବା ପରେ ୨ଟି ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳିବାର ସୁଯୋଗ ପାଇଥିବା ମହମ୍ମଦ ସାମି ମଧ୍ୟ କରୋନା ଆକ୍ରାନ୍ତହୋଇ ଉଭୟ ଶୃଙ୍ଖଳାରୁ ବାଦ୍‌ ପଡ଼ିଛନ୍ତି। ବହୁତଦିନ ପରେ ଦଳକୁ ଫେରିଥିବା ହର୍ଷଲ ପଟେଲ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ଏହି ଶୃଙ୍ଖଳାରେ ସେ ଓଭର ପିଛା ୧୨ରୁ ଅଧିକ ରନ୍‌ ଦେଇଥିଲେ। ବିଶ୍ବକପ୍‌ ପୂର୍ବରୁ ଅନ୍ତିମ ୩ଟି ମ୍ୟାଚ୍‌ରେ ହର୍ଷଲ ଲୟ ଫେରି ପାଇବାର ପ୍ରୟାସ କରିବେ। ବିଶ୍ବକପ୍‌ ପାଇଁ ଷ୍ଟାଣ୍ଡବାଇ ଥିବା ପେସ୍‌ ବୋଲର ଦୀପକ ଚହରଙ୍କୁ ଏହି ଶୃଙ୍ଖଳାରେ ଖେଳିବାର ସୁଯୋଗ ଦେଇପାରେ। ଅର୍ଶଦୀପ ବୁଧବାରର ମ୍ୟାଚ୍‌ ଖେଳିବା ନିଶ୍ଚିତ।
ଫଳରେ ସ୍ଲଗ୍‌ ଓଭରରେ ଭାରତୀୟ ବୋଲିଂରେ କିଛି ଉନ୍ନତି ହୋଇପାରିବ। ଅଷ୍ଟ୍ରେଲିଆ ଶୃଙ୍ଖଳାରେ ଦଳକୁ ଫେରିଥିବା ଯଶପ୍ରୀତ ବୁମ୍‌ରା ମଧ୍ୟ ଅଧିକ ରନ୍‌ ଦେଇଥିଲେ। ଭାରତର ଏହି ୧ନଂ ବୋଲର ତଥା ମ୍ୟାଚ୍‌ ବିଜେତା ବୁମ୍‌ରା ତାଙ୍କ ଲୟ ଫେରି ପାଇବାର ପ୍ରୟାସ କରିବେ। ବ୍ୟାଟିଂ ଉପଯୋଗୀ ପିଚ୍‌ରେ କିପରି ବୋଲିଂ କରିବାକୁ ହୁଏ; ଯୁଜବେନ୍ଦ୍ର ଚହଲ ତାହା ୩ୟ ଟି୨୦ ମ୍ୟାଚ୍‌ରେ ଦେଖାଇ ପାରିଛନ୍ତି। ବିଶ୍ବକପ୍‌ ପୂର୍ବରୁ ଭାରତୀୟ ଦଳ ପାଇଁ ଏହା ଏକ ଶୁଭ ସୂଚନା। ବିଶ୍ବକପ୍‌ ପୂର୍ବରୁ ୧୫ ଜଣିଆ ଦଳରେ ଥିବା ସମସ୍ତ ଖେଳାଳିଙ୍କୁ ସୁ​‌େ​‌ଯାଗ ଦେବା କଥା ଭୁବନେଶ୍ବର କୁମାର କହିଛନ୍ତି। ତେଣୁ ବରିଷ୍ଠ ଅଫ୍‌ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କୁ ଖେଳିବାର ସୁଯୋଗ ଦେଇପାରେ।

ଏବେ ଦଳର ଦୁଇ ପ୍ରମୁଖ ବ୍ୟାଟ୍‌ସମ୍ୟାନ୍ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଫର୍ମରେ ଥିବା ବେଳେ ଓପ୍‌ନର କେ.ଏଲ୍‌. ରାହୁଲଙ୍କ ବ୍ୟାଟ୍‌ରୁ ବଡ଼ ସ୍କୋର୍‌କୁ ଅପେକ୍ଷା କରିଛି ଭାରତ। ସୂର୍ଯ୍ୟକୁମାର ଯାଦବ ଜୀବନର ଶ୍ରେଷ୍ଠ ଫର୍ମରେ ଅଛନ୍ତି। ଦୀପକ ହୁଡା ଆହତ ହୋଇ ଶୃଙ୍ଖଳାରୁ ବାଦ୍‌ ପଡ଼ିଛନ୍ତି। ତେଣୁ ୫ନଂ ସ୍ଥାନରେ ଋଷଭ ପନ୍ତ୍ ଓ ୭ନଂ ସ୍ଥାନରେ ଫିନିସର ଦିନେଶ କାର୍ତ୍ତିକଙ୍କୁ ଭାରତ ଖେଳାଇପାରେ। ଟ୍ବେଣ୍ଟି୨୦ରେ ଦକ୍ଷିଣ ଆଫ୍ରିକା ବହୁତ ଶକ୍ତିଶାଳୀ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜମାଟିରେ ଭାରତ କୌଣସି ଦ୍ବିପାକ୍ଷିକ ଟି୨୦ ଶୃଙ୍ଖଳା ଜିତିନାହିଁ। ଏହି ଧାରା ଭାଙ୍ଗିବାକୁ ଭାରତ ପ୍ରୟାସ କରିବ। ପୁଣି ୨୦୨୧ ଜୁନ୍‌ରୁ ଅଦ୍ୟାବଧି ଦକ୍ଷିଣ ଆଫ୍ରିକା ୬ଟି ଦ୍ବିପାକ୍ଷିକ ଶୃଙ୍ଖଳା ହାରିନାହିଁ। ତେଣୁ ଏହି ଶୃଙ୍ଖଳା ନିଶ୍ଚୟ ସଂଘର୍ଷପୂର୍ଣ୍ଣ ହେବ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More