ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଶତକ

ଭାରତ ୧୭ ରନ୍‌ରେ ପରାସ୍ତ

0

ବର୍ମିଂହାମ୍‌: ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଶତକ ସତ୍ତ୍ବେ ରବିବାର ୩ୟ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡଠାରୁ ଭାରତ ୧୭ ରନ୍‌ରେ ପରାସ୍ତ ହୋଇଛି। ଇଂଲଣ୍ଡ ସାନ୍ତ୍ବନାମୂଳକ ବିଜୟ ହାସଲ କରିଥିବା ବେଳେ ଭାରତ ୩ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଶୃଙ୍ଖଳାକୁ ୨-୧ରେ ଜିତିଛି। ଏହାସହ ଅଧିନାୟକ ଭାବେ କ୍ରମାଗତ ୧୪ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଜିତିଥିବା ରୋହିତ ଶର୍ମାଙ୍କ ବିଜୟଧାରା ଭାଙ୍ଗିଯାଇଛି। ଡାୱିଡ୍‌ ମଲାନ୍‌ ଓ ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍‌ଙ୍କ ଲଢ଼ୁଆ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଇଂଲଣ୍ଡ ୭ ୱିକେଟରେ ୨୧୫ ରନ୍‌ର ବଡ଼ ସ୍କୋର୍ କରିଥିଲା। ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ସୂର୍ଯ୍ୟକୁମାର ୫ମ ଭାରତୀୟ ଭାବେ ସୂର୍ଯ୍ୟକୁମାର ଆନ୍ତର୍ଜାତିକ ଟି୨୦ ଶତକ ମାରିଥିଲେ ହେଁ ଭାରତ ୯ ୱିକେଟରେ ୧୯୮ ରନ୍‌ କରି ପାରିଥିଲା। ମଙ୍ଗଳବାରଠାରୁ ଦିନିକିଆ ଖେଳାଯିବ।
୨୧୬ ରନ୍‌ ଲକ୍ଷ୍ୟରେ ଭାରତ ବିପର୍ଯ୍ୟୟ ସହ ଇନିଂସ ଆରମ୍ଭ କରିଥିଲା। ୩୧ ରନ୍‌ରେ ଭାରତ ୩ ପ୍ରମୁଖ ବ୍ୟାଟ୍‌ସମ୍ୟାନଙ୍କୁ ହରାଇଥିଲା। ଋଷଭ ପନ୍ତ୍ ୧ ରନ୍‌କରି ଆଉଟ୍‌ ହୋଇଥିବା ବେଳେ ଦୁଇ ବ୍ୟାଟିଂ ମହାରଥୀ ବିରାଟ କୋହଲି ଓ ରୋହିତ ଶର୍ମା ୧୧ ରନ୍‌ ଲେଖାଏଁ କରି ପାରିଥିଲେ। ହେଲେ ସୂର୍ଯ୍ୟକୁମାର ଯାଦବ ତାଙ୍କ ବ୍ୟାଟିଂ ଚମକ ଦେଖାଇଥିବା ବେଳେ ଶ୍ରେୟାସ ଆୟର ତାଙ୍କୁ ସହଯୋଗ କରିଥିଲେ। ୬ ଓଭରରେ ୩୪ ରନ୍‌ କରିଥିବା ଭାରତ ପରବର୍ତ୍ତୀ ୧୩ ଓଭରରୁ ୧୬୧ ରନ୍‌ କରିଥିଲା। ଏହାସତ୍ତ୍ବେ ଭାରତ ଜିତି ପାରିନଥିଲା। ୪ର୍ଥ ୱିକେଟ ପାଇଁ ସୂର୍ଯ୍ୟ ଓ ଆୟର ୧୦ ଓଭରରେ ୧୧୯ ରନ୍‌ ଯୋଡ଼ି ଦଳକୁ ବିଜୟ ଆଶା ଦେଇଥିଲେ। ଆୟର ୨୩ ବଲ୍‌ରୁ ୨ଟି ଛକା ସହ ୨୮ ରନ୍‌କରି ଆଉଟ୍‌ ହୋଇଥିଲେ। ପ​‌େ​‌ର ସୂର୍ଯ୍ୟ ଏକା ଲଢ଼ିଥିଲେ। ମାତ୍ର ୪୮ ବଲ୍‌ରେ ଜୀବନର ପ୍ରଥମ ଟି୨୦ ଶତକ ପୂରଣ କରିଥିଲେ ସୂର୍ଯ୍ୟକୁମାର। ୯ ବଲ୍‌ରୁ ୨୫ ରନ୍‌ ଆବଶ୍ୟକ ଥିବା ବେଳେ ସୂର୍ଯ୍ୟ ଆଉଟ୍‌ ହେବା ସହ ଭାରତର ବିଜୟ ଆଶା ମଉଳି ଯାଇଥିଲା। ସୂର୍ଯ୍ୟକୁମାର ୫୫ ବଲ୍‌ରୁ ୬ଟି ଛକା ଓ ୧୪ଟି ଚୌକା ସହ ବିସ୍ଫୋରକ ୧୧୭ ରନ୍‌ କରିଥିଲେ। ରିସ୍ ଟପ୍‌ଲି ୩ଟି ଏବଂ ଡେଭିଡ୍‌ ୱିଲି ଓ କ୍ରିସ୍ ଜୋର୍ଡାନ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ। ରିସ୍ ଟପ୍‌ଲି ପ୍ଲେୟର ଅଫ୍ ଦି ମ୍ୟାଚ୍‌ ଓ ଭୁବନେଶ୍ବର କୁମାର ପ୍ଲେୟର ଅଫ୍ ଦି ସିରିଜ୍ ହୋଇଥିଲେ।

ଟସ୍ ଜିତି ଇଂଲଣ୍ଡ ବ୍ୟାଟିଂ କରିଥିଲା। ପ୍ରଥମ ୱିକେଟ ପାଇଁ ୩୧ ରନ୍‌ର ଭାଗିଦାରୀ ପରେ ଅଧିନାୟକ ଜୋସ୍‌ ବଟ୍‌ଲର ୯ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୮ ରନ୍‌କରି ଆଉଟ୍‌ ହୋଇଥିଲେ। ଜେସନ ରୟ ୨୬ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୭ ରନ୍‌ କରିଥିଲେ। ଫିଲ୍‌ ସଲ୍‌ଟ ୮ ରନ୍‌ କରିଥିଲେ। ୮୪ ରନ୍‌ରେ ୩ଟି ୱିକେଟ ପଡ଼ିଯିବା ପରେ ଡାୱିଡ୍‌ ମଲାନ୍‌ ଓ ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍‌ ମାତ୍ର ୭ ଓଭରରେ ୮୪ ରନ୍‌ ଯୋଗ କରିଥିଲେ। ଏହି ଭାଗିଦାରୀରେ ମଲାନ୍ ପ୍ରାଧାନ୍ୟ ବିସ୍ତାରକରି ବିସ୍ଫୋରକ ଇନିଂସ ଖେଳି ମାତ୍ର ୩୯ ବଲ୍‌ରୁ ୫ଟି ଛକା ଓ ୬ଟି ଚୌକା ସହ ୭୭ ରନ୍‌ କରିଥିଲେ। ମୋଇନ୍ ଅଲୀ ପ୍ରଥମ ବଲ୍‌ରେ ଆଉଟ୍‌ ହୋଇଥିବା ବେଳେ ହ୍ୟାରି ବ୍ରୁକ୍‌ ୯ ବଲ୍‌ରୁ ୧୯ ରନ୍‌ କରିଥିଲେ। କ୍ରିସ୍ ଜୋର୍ଡାନ୍ ୩ଟି ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୧ ରନ୍‌ କରିଥିଲେ। ଲିଭିଙ୍ଗ୍‌ଷ୍ଟୋନ୍‌ ଆକ୍ରମଣ କରି ୨୯ ବଲ୍‌ରୁ ୪ଟି ଛକା ସହ ୪୨ ରନ୍‌କରି ଅପରାଜିତ ଥିଲେ। ହର୍ଷଲ ପଟେଲ ଓ ରବି ବିଷ୍ଣୋଇ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More