ଆଜି ଭାରତ ବନ୍ଦ : ଦିନ ୧୧ଟା ରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବନ୍ଦ

0

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଆଜି କୃଷକ ସଂଗଠନ ଗୁଡ଼ିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ ୧୨ଦିନ ଧରି କୃଷକଙ୍କ ଆନ୍ଦୋଳନ ପରିପ୍ରେକ୍ଷୀରେ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି । ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ୪ ଘଣ୍ଟା କାଳ ଏହି ବନ୍ଦ ପାଳନ ହେବ । ବନ୍ଦ ବେଳେ ଯେମିତି କିଛି ବିଶୃଙ୍ଖଳା ନ ଉପୁଜେ, ସେଥିପାଇଁ କୃଷକ ନେତାମାନେ ଦେଶବାସୀଙ୍କୁ ନିବେଦନ କରିଛନ୍ତି ।​‌ ବିଶେଷକରି ସର୍ବସାଧାରଣ ଯେମିତି କିଛି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ତା’ଉପରେ ସେମାନେ ଗୁରୁତ୍ବ ଦେଇଛନ୍ତି । ଭାରତ ବନ୍ଦକୁ କଂଗ୍ରେସ ସମେତ ୧୮ଟି ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ବନ୍ଦକୁ କଂଗ୍ରେସ, ଡିଏମ୍‌କେ, ଏନ୍‌ସିପି, ସମାଜବାଦୀ ପାର୍ଟି, ବାମଦଳ, ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି, ଆସାମ ଗଣ ପରିଷଦ, ତେଲେଙ୍ଗାନା ରାଷ୍ଟ୍ର ସମିତି, ଆମ୍‌ ଆଦ୍‌ମି ପାର୍ଟି, ଶିବସେନା ପ୍ରମୁଖ ରାଜନୈତିକ ଦଳମାନେ ସମର୍ଥନ ଘୋଷଣା କରିଛନ୍ତି । ଭାରତୀୟ କିଷାନ ୟୁନିୟନର ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି ଯେ ବନ୍ଦବେଳେ ଯେମିତି ସାଧାରଣ ଜନତା ପ୍ରଭାବିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦିଆଯାଉଛି । ଦେଶର ଅନେକ ସ୍ଥାନରେ ଭାରତ ବନ୍ଦ ସମର୍ଥକ ସଡ଼କ ଉପରକୁ ଆସିଛନ୍ତି , ଏବଂ ଓଡ଼ିଶା , ମହାରାଷ୍ଟ୍ର ସମେତ ଅନେକ ସ୍ଥାନରେ ପ୍ରଦର୍ଶନକାରୀମାନେ ରେଳ ସେବା ପ୍ରଭାବିତ କରିବାକୁ ଚେଷ୍ଟା କରିଛନ୍ତି । କୃଷକ ସମର୍ଥକ ପ୍ରଦର୍ଶନକାରୀଙ୍କର ଭିଡ଼ ଅନେକ ସ୍ଥାନରେ ରେଲୱେ ଷ୍ଟେସନ ଗୁଡ଼ିକରେ ଟ୍ରେନ୍‌ଗୁଡ଼ିକୁ ରୋକି ଦେଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More