ଅରୁଣାଚଳ ପ୍ରଦେଶ ତଓ୍ୱାଙ୍ଗରେ ଭାରତ-ଚୀନ୍ ସୈନ୍ୟ ମୁହାଁମୁହିଁ ହେବାର ଏକ ଭିଡିଓ ଭାଇରାଲ୍ ହେଉଛି। ଏଥିରେ ଶତାଧିକ ସୈନିକ ସୀମାରେ ମୁହାଁମୁହିଁ ସ୍ଥିତିରେ ଥିବା ଦେଖିବାକୁ ମିଳିଛି। ଏକ ତାର ବାଡ଼ ନିକଟରେ ସୈନିକମାନେ ଠେଲାପେଲା ହେଉଥିବା ଭିଡିଓରେ ନଜର ଆସିଛି। ଖାଲି ସେତିକି ନୁହେଁ ବାଡ଼ିରେ ଉଭୟ ପକ୍ଷର ସୈନ୍ୟ ପରସ୍ପରକୁ ମାର୍ପିଟ୍ କରୁଥିବା ମଧ୍ୟ ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି। ତେବେ ଏନେଇ ସେନା କିମ୍ବା ପ୍ରତିରକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।
ସୂଚନାଥାଉ କି, ଗତ ଡିସେମ୍ବର ୯ ତାରିଖରେ ଚୀନ ସୈନ୍ୟ ଅରୁଣାଚଳ ପ୍ରଦେଶର ତଓ୍ୱାଙ୍ଗରେ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତକାଲି ଲୋକସଭାକୁ ଜଣାଇଥିଲେ, ସ୍ଥିତାବସ୍ଥା ପରିବର୍ତ୍ତନ ପିଏଲଏର ଲକ୍ଷ୍ୟ ଥିଲା। ମାତ୍ର ସଜାଗ ଭାରତୀୟ ସୈନ୍ୟ ଚୀନ ସୈନ୍ୟଙ୍କ ଉଦ୍ୟମକୁ ପଣ୍ଡ କରିଦେଇଥିଲେ। ଏହି ସମୟରେ ଧସ୍ତାଧସ୍ତି ହେବା ଯୋଗୁ ଉଭୟ ପକ୍ଷର କିଛି ସୈନ୍ୟ ଆହତ ହୋଇଛନ୍ତି।
ତେବେ ଭାରତର କେହି ଯବାନ ଗୁରୁତର ଆହତ ହୋଇନଥିବା ରାଜନାଥ ସିଂ ସ୍ପଷ୍ଟ କରିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ଶାସନ କାଳରେ କେହି ବି ଭାରତର ଇଞ୍ଚେ ମାତ୍ର ଜାଗା ନେଇପାରିବେ ନାହିଁ ବୋଲି ଗୃହମନ୍ତ୍ରୀ ଅମିତ୍ ଶାହ କହିଥିଲେ। ସେପଟେ ତଓ୍ୱାଙ୍ଗ ସେକ୍ଟରରେ ଭାରତ-ଚୀନ ସୈନିକ ମୁହାଁମୁହିଁ ଘଟଣା ପରେ ଦେଖାଦେଇଥିବା ସ୍ଥିତି ଉପରେ ଆମେରିକା ତୀକ୍ଷଣ ନଜର ରଖିଛି। ତେବେ ଦୁଇ ଦେଶ ମଧ୍ୟରେ ରହିଥିବା ସୀମା ବିବାଦର ସମାଧାନ ଲାଗି ଦ୍ୱିପାକ୍ଷିକ ଚ୍ୟାନେଲର ବ୍ୟବହାର କରିବା ଲାଗି ଓ୍ୱାଶିଂଟନ୍ ଉଭୟ ବେଜିଂ ଓ ନୂଆଦିଲ୍ଲୀକୁ ପରାମର୍ଶ ଦେଇଛି।