ତିନି ଖଣ୍ଡ ହୋଇଯିବ ପାକିସ୍ତାନ

0

ନୂଆଦିଲ୍ଲୀ: କାଶ୍ମୀର ଉପତ୍ୟକାରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ କାର୍ଯ୍ୟକଳାପ ଢେର ବୃଦ୍ଧିପାଇବା ଏବଂ ସଂଖ୍ୟାଲଘୁ ପଣ୍ଡିତ ସମୁଦାୟଙ୍କ ହତ୍ୟା ଘଟଣା ବଢିବା ପରିପ୍ରେକ୍ଷୀରେ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଓସି) ଆରପଟେ ଥିବା ଆତଙ୍କି ଆଡ୍ଡା ଉପରେ ପୁନର୍ବାର ଭାରତ ସର୍ଜିକାଲ ଷ୍ଟ୍ରାଇକ କରିବା ସମ୍ଭାବନା ବୃଦ୍ଧିପାଇଛି। ଚଳିତ ବର୍ଷ ଇତିମଧ୍ୟରେ କାଶ୍ମୀର ଉପ୍ୟତକାରେ ଆତଙ୍କବାଦୀ ଆକ୍ରମଣରେ ୧୬ ଜଣ ପ୍ରାଣ ହରାଇବା ଏବଂ ସେମାନଙ୍କ ମଧ୍ୟରେ ଅଧିକାଂଶ ହିନ୍ଦୁ ଓ ପଣ୍ଡିତ ସମୁଦାୟର ଥିବା ଜଣାଯାଇଛି। ଏଥିସହିତ ସୀମାପାର ଉଗ୍ରବାଦ ଆକ୍ରମଣରେ ଅନେକ ଭାରତୀୟ ଯବାନ ମଧ୍ୟ ସହିଦ ଓ ଆହତ ହୋଇଛନ୍ତି। କେନ୍ଦ୍ର ସରକାର ସଂଖ୍ୟାଲଘୁ ପଣ୍ଡିତଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଅଭିଯୋଗ ଆଣି ପଣ୍ଡିତମାନେ ବହୁସଂଖ୍ୟାରେ କାଶ୍ମୀର ଉପତ୍ୟକା ଛାଡୁଥିବାବେଳେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଜମ୍ମୁ-କାଶ୍ମୀର ସୁରକ୍ଷା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଡକାଇଛନ୍ତି।
ବୈଠକରେ ସେଠାକାର ସୁରକ୍ଷା ଅଧିକାରୀଙ୍କ ସହିତ ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଉପସ୍ଥିତ ରହିବେ। କାଶ୍ମୀର ପରିସ୍ଥିତି କ୍ରମଶଃ ଜଟିଳ ହେଉଥିବା ଏବଂ ପଣ୍ଡିତ ସମୁଦାୟ ଆତଙ୍କବାଦୀଙ୍କ ସହଜ ଆକ୍ରମଣର ଲକ୍ଷ୍ୟ ପାଲଟୁଥିବା ତଥା ସେମାନଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଥିବାରୁ ଆସନ୍ତାକାଲି ବୈଠକ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଏପରିକି ବାଲାକୋଟରେ ଭାରତୀୟ ସେନା ୨୦୧୯ରେ ଜୈଶ ଇ ମହମ୍ମଦ ଆତଙ୍କି ଗୋଷ୍ଠୀ ଶିବିର ଉପରେ କରିଥିବା ସର୍ଜିକାଲ ଷ୍ଟ୍ରାଇକ ଭଳି ପାକିସ୍ତାନ ପଟେ ଥିବା ଆତଙ୍କି ଆଡ୍ଡା ଗୁଡିକ ଉପରେ ପୁନର୍ବାର ଅନୁରୂପ ଆକ୍ରମଣ କରାଯିବା ସମ୍ଭାବନା ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ଭାରତକୁ ଉସୁକାଇବା ଭଳି ମନ୍ତବ୍ୟ ଦେଇ ପାକିସ୍ତାନର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସ୍ଥିତିକୁ ଅଧିକ ଜଟିଳ କରିଦେଇଛନ୍ତି। ସେ କହିଛନ୍ତି, ପାକିସ୍ତାନକୁ ତିନିଭାଗରେ ଭାଗ ଭାଗ କରିବାକୁ ଭାରତ ଯୋଜନା ପ୍ରସ୍ତୁତ କରିସାରିଛି। ଏଥିସହିତ ପାକିସ୍ତାନକୁ ପରମାଣୁ ଅସ୍ତ୍ରଶସ୍ତ୍ରମୁକ୍ତ ଏବଂ ସାମରିକ ବାହିନୀମୁକ୍ତ କରିବାକୁ ମଧ୍ୟ ଭାରତ ମସୁଧା କରୁଥିବା ସେ କହିଛନ୍ତି। ଇମ୍ରାନ କହିଛନ୍ତି, ପ୍ରକୃତ ସମସ୍ୟା ପାକିସ୍ତାନ ଓ ଏହାର ଶାସକଙ୍କ ନିକଟରେ ରହିଛି। ପ୍ରଶାସନ ଯଦି ଠିକ୍‍ ନିଷ୍ପତ୍ତି ନ ନିଏ, ତେବେ ଏହା ବିଭାଜିତ ହେବା ନିଶ୍ଚିତ। ପ୍ରଥମେ ଦେଶର ସାମରିକ ବାହିନୀ ଧ୍ୱସ୍ତବିଧ୍ୱସ୍ତ ହୋଇଯିବ ବୋଲି ଇମ୍ରାନ ଏକ ଟେଲିଭିଜନ୍‌ ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ ଏହା କହିଛନ୍ତି।
ବୁଧବାର ଆତଙ୍କବାଦୀ ମାନେ କାଶ୍ମୀର ଜିଲାର ଆରେହ୍‍ ମୋହନପୋରାଠାରେ ଥିବା ଇଲାକି ବ୍ୟାଙ୍କ ଶାଖା ପରିସରରେ ପଶି ଜଣେ ହିନ୍ଦୁ ବ୍ୟାଙ୍କ ମ୍ୟାନେଜର ବିଜୟ କୁମାରଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ତାହା ପୂର୍ବରୁ ମେ ୩୧ରେ ସାମ୍ବା ଜିଲାର ବାସିନ୍ଦା ଜଣେ ଶିକ୍ଷୟିତ୍ରୀ ରଜନୀ ବାଲାଙ୍କୁ କୁଲଗାମ୍‍ରେ ଗୁଳିକରି ହତ୍ୟା କରାଯାଇଥଲା। ମେ ୨୫ରେ ଟେଲିଭିଜନ ଉପସ୍ଥାପିକା ଆମ୍ରିନ ଭଟ୍ଟଙ୍କୁ ବଡଗାଁଓରେ ଆତଙ୍କବାଦୀ ହତ୍ୟା କରିଥିଲେ। ସେହିଭଳି ମେ’ରେ ୩ ଜଣ ପୁଲିସ କର୍ମଚାରୀ ଆତଙ୍କବାଦୀ ଆକ୍ରମଣରେ ସହିଦ୍‌ ​‌େ​‌ହାଇଥିଲେ। ମେ ୨୩ରେ ଚଦ୍ଦୁରା ତହସିଲ କାର୍ଯ୍ୟାଳୟର ଜଣେ କିରାଣି (କ୍ଲର୍କ) ପଣ୍ଡିତ ସମୁଦାୟର ରାହୁଲ ଭଟ୍ଟଙ୍କର ଆତଙ୍କି ଆକ୍ରମଣରେ ମୃତ୍ୟୁ ଘଟିଥିଲା। ଲଗାତର ହିନ୍ଦୁ ଓ ବିଶେଷକରି ପଣ୍ଡିତ ସମୁଦାୟ ଆତଙ୍କବାଦୀଙ୍କ ନିଶାଣର ଶିକାର ହେଉଥିବାରୁ କାଶ୍ମୀର ଉପତ୍ୟକାରେ ରହୁଥିବା ସଂଖ୍ୟାଲଘୁ ହିନ୍ଦୁ, ବିଶେଷକରି ପଣ୍ଡିତ ସମୁଦାୟ ସୁରକ୍ଷିତ ସ୍ଥାନକୁ ପଳାୟନ କରିବା ଆରମ୍ଭ କରିଦେଇଛନ୍ତି। ବୁଧବାର ଓ ଗୁରୁବାର ଦୁଇଦିନ ମଧ୍ୟରେ ଅନେକ ପଣ୍ଡିତ ଉପତ୍ୟକା ଛାଡିଥିବା ଜଣାଯାଇଛି।

ଜମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ସେଠାରେ ଶାନ୍ତି ସ୍ବାଭାବିକ ହେଉଥିବା କେନ୍ଦ୍ର ସରକାର କହୁଥିବାବେଳେ ଉପତ୍ୟକା ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଥିବା ପିଡିପି ଅଭିଯୋଗ କରିଛି। ତେବେ ପରିସ୍ଥିତି ଉପରେ କେନ୍ଦ୍ର ସରକାର ତୀକ୍ଷ୍ଣ ନଜର ରଖିଛନ୍ତି। ଏନେଇ ଖୁବ୍‌ଶୀଘ୍ର କଠୋର ନିଷ୍ପତ୍ତି ନିଆଯାଇପାରେ ବୋଲି ସୂଚନା ମିଳୁଛି।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More