ବୁମ୍‌ରା ବିଶ୍ବର ୧ନଂ ଦିନିକିଆ ବୋଲର

0

ଦୁବାଇ: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଚମତ୍କାର ପ୍ରଦର୍ଶନ କରିଥିବା ଯଶପ୍ରୀତ ବୁମ୍‌ରା ବିଶ୍ବର ୧ ନମ୍ବର ଦିନିକିଆ ବୋଲରର ମାନ୍ୟତା ପାଇଛନ୍ତି। ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶିତ ଦିନିକିଆ ବୋଲିଂ ମାନ୍ୟତାରେ ବୁମ୍‌ରା ୧ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ବୁମରା ମଙ୍ଗଳବାର ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ୧ ୯ରନ ଦେଇ ୬ଟି ୱିକେଟ ନେଇଥିଲେ। ଏହା ବୁମ୍‌ରାଙ୍କ ଦିନିକିଆରେ ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା। ବୁମ୍‌ରାଙ୍କ ଘାତକ ବୋଲିଂ ବଳରେ ଭାରତ ଉକ୍ତ ମ୍ୟାଚରେ ଇଂଲଣ୍ଡକୁ ୧୦ ୱିକେଟରେ ପରାସ୍ତ କରିବାରେ ସଫଳ ହୋଇଥିଲା। ଉକ୍ତ ସଫଳତା ପରେ ବୁମ୍‌ରା ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍‌ଟଙ୍କୁ ପଛରେ ପକାଇ ୧ ନମ୍ବର ସ୍ଥାନ ହାସଲ କରିଛନ୍ତି। ପୂର୍ବରୁ ବୁମ୍‌ରା ୨୦୧୮ ଫେବୃଆରୀରୁ ୨୦୨୦ ଫେବୃଆରୀ ପର୍ଯ୍ୟନ୍ତ ୭୩୦ ଦିନ ଧରି ୧ ନମ୍ବର ଦିନିକିଆ ବୋଲର ଭାବେ ରହିଥିଲେ। ବିଶ୍ବର ୯ମ ଓ ପ୍ରଥମ ଭାରତୀୟ ଭାବେ ବୁମ୍‌ରା ୨ ବର୍ଷ ଧରି ଦିନିକିଆରେ ୧ ନମ୍ବର ବୋଲର ଭାବେ ରହିଥିଲେ।
ବୋଲ୍‌ଟ ୨୦୨୦ ଫେବୃଆରୀରେ ବୁମ୍‌ରାଙ୍କୁ ପଛରେ ପକାଇ ୧ ନମ୍ବର ଦିନିକିଆ ବୋଲର ମାନ୍ୟତା ହାସଲ କରିଥିଲେ। ବୁମ୍‌ରା ପୁନର୍ବାର ବୋଲ୍‌ଟଙ୍କୁ ହଟାଇ ୧ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। କପିଳ ଦେବ୍‌ଙ୍କ ପରେ ୨ୟ ଭାରତୀୟ ଦ୍ରୁତ ବୋଲର ଭାବେ ଦିନିକିଆ ମାନ୍ୟତାର ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି। ବୁମ୍‌ରା ପୂର୍ବରୁ ଟି୨୦ରେ ବିଶ୍ବର ୧ ନମ୍ବର ବୋଲର ମାନ୍ୟତା ହାସଲ କରିଥିଲେ। ପୂର୍ବରୁ ସ୍ପିନର ମନିନ୍ଦର ସିଂହ, ଅନୀଲ କୁମ୍ବଲେ ଓ ରବୀନ୍ଦ୍ର ଜାଡେଜା ପ୍ରମୁଖ ଦିନିକିଆରେ ୧ ନମ୍ବର ସ୍ଥାନ ହାସଲ କରିଛନ୍ତି। ଦିନିକିଆ ବ୍ୟାଟିଂ ମାନ୍ୟତାରେ ବିରାଟ କୋହଲି ୩ୟ ଓ ଭାରତୀୟ ଅଧିନାୟକ ରୋହିତ ଶର୍ମା ୪ର୍ଥ ସ୍ଥାନରେ ରହିଛନ୍ତି। ରୋହିତ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ୭୬ରନ କରିଥିଲେ ମଧ୍ୟ ମାନ୍ୟତାରେ କୌଣସି ଉନ୍ନତି ହୋଇନାହିଁ। ଅନ୍ୟତମ ଭାରତୀୟ ଓପନର ଶିଖର ଧାୱନ ୧୨ଶ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଇଂଲଣ୍ଡ ଅଧିନାୟକ ଜୋସ୍ ବଟ୍‌ଲର ୨୪ଶ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।

ବାଂଲାଦେଶ ଅଧିନାୟକ ତମିମ ଇକ୍‌ବାଲ ଗୋଟିଏ ସ୍ଥାନ ଉପରକୁ ଉନ୍ନୀତ ହୋଇ ୧୯ଶ, ଆୟରଲାଣ୍ଡର ହ୍ୟାରି ଟେକ୍ଟର ୧୦ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୩୪ତମ, ବାଂଲାଦେଶର ଅଫ୍‌ସ୍ପିନର ମେହ୍‌ଦି ହାସନ ମିରାଜ୍‌ ୨ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୬ଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ଇଂଲଣ୍ଡ ବିପକ୍ଷ ଶେଷ ଟି୨୦ ମ୍ୟାଚରେ ଶତକ ଅର୍ଜନ କରିଥିବ​‌ା ଭାରତୀୟ ବ୍ୟାଟ୍‌ସମ୍ୟାନ ସୂର୍ଯ୍ୟକୁମାର ଯାଦବ ୪୪ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ଟି୨୦ ମାନ୍ୟତାର ୫ତମ ସ୍ଥାନରେ ପହଞ୍ଚିଛନ୍ତି। ବାଂଲାଦେଶ ବିପକ୍ଷ ଦିନିକିଆରେ ଅର୍ଦ୍ଧଶତକ ହାସଲ କରିଥିବା ୱେଷ୍ଟଇଣ୍ଡିଜର ନିକୋଲାସ ପୁରନ୍‌ ୫ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୮ମ ସ୍ଥାନରେ ପହଞ୍ଚିଛନ୍ତି। ଇଂଲଣ୍ଡ ବିପକ୍ଷ ଟି୨୦ ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ବୋଲର ଭୁବନେଶ୍ବର କୁମାର ଜୀବନର ଶ୍ରେଷ୍ଠ ମାନ୍ୟତା ୭ମ ସ୍ଥାନରେ ପହଞ୍ଚିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଯୁଜବେନ୍ଦ୍ର ଚହଲ ୧୯ଶ ଓ ହର୍ଷଲ ପଟେଲ ୨୩ତମ ସ୍ଥାନକୁ ଉନ୍ନୀତ ହେଇଛନ୍ତି।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More