ଆସନ୍ତାକାଲିଠାରୁ ଅତି ପ୍ରବଳ ବର୍ଷା

ଦକ୍ଷିଣ ଓଡ଼ିଶା ଉପକୂଳରେ ଲଘୁଚାପ ସକ୍ରିୟ

0

ଭୁବନେଶ୍ବର : ଦକ୍ଷିଣ ଓଡ଼ିଶା ଉପକୂଳରେ ଲଘୁଚାପ ସକ୍ରିୟ ରହିଥିବାରୁ ଆସନ୍ତାକାଲିଠାରୁ ତିନିଦିନ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଗତ ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲାର ଝରିଗାଁରେ ୧୧୮.୬ ମିମି ବର୍ଷା ରେକର୍ଡ କରାଯାଇ ଥିବାବେଳେ ଉମରକୋଟରେ ୧୦୪ ମିମି ଏବଂ ବରଗଡ ଜିଲାର ବରପାଲିରେ ୯୪ ମିମି ବର୍ଷା ହୋଇଛି। ବୁଧବାର ଢେଙ୍କାନାଳରେ ସର୍ବାଧିକ ୪୪.୨ ମିମି ବର୍ଷାଏବଂ ଭୁବନେଶ୍ବରରେ ୨୪.୨ ମିମି ବର୍ଷା ହୋଇଛି। କଟକ, ପାରାଦ୍ବୀପ, ଅନୁଗୋଳ, ବାରିପଦା, ସମ୍ବଲପୁର, ନୟାଗଡ, ବୌଦ୍ଧ, ଯାଜପୁର ଏବଂ ଖୋର୍ଦ୍ଧା ଆଦି ଅଞ୍ଚଳରେ ତୁହାକୁ ତୁହା ବର୍ଷା ହୋଇଥିବା ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ ବିଭାଗର ସୂଚନାନୁଯାୟୀ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ବରଗଡ, ନୂଆପଡା, ବଲାଙ୍ଗୀର, ସୁବର୍ଣ୍ଣପୁର ଏବଂ ବୌଦ୍ଧ ଜିଲାର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। କନ୍ଧମାଳ, ନୟାଗଡ, କଟକ, ଅନୁଗୋଳ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର ଏବଂ କଳାହାଣ୍ଡି ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଉକ୍ତ ଜିଲାଗୁଡିକୁ ବିଭାଗ ପକ୍ଷରୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି। ଅତି ପ୍ରବଳ ବର୍ଷା ଯୋଗୁଁ ଟ୍ରାଫିକ ଭିଡ, ରାସ୍ତା ପାର୍ଶ୍ବରେ ପାଣି ଜମିବା, ତଳିଆ ଅଞ୍ଚଳରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି, କଚ୍ଚା ରାସ୍ତା ଧୋଇ ହୋଇଯିବ ସହ କଚ୍ଚାଘର ନଷ୍ଟ ହେବାର ଆଶଙ୍କା ରହିଛି। ଏଥିପ୍ରତି ସତର୍କ ରହିବା ପାଇଁ ସ୍ବତନ୍ତ୍ର ରିଲିଫ ଆୟୁକ୍ତ (ଏସଆରସି) ଜିଲାପାଳଙ୍କୁ ପରାମର୍ଶ ଦେଇଛନ୍ତି।
ଲଘୁଚାପ ଦ୍ବାରା ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହୁଛି। ୧୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ପ୍ରବେଶ ନ କରିବାକୁ ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ନିର୍ଦେଶ ଦିଆଯାଇଛି।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More