ନଜର ପକାନ୍ତୁ ତିନି ଜୋନରେ କ’ଣ ରହିଛି ବ୍ୟବସ୍ଥା …….

0

ଦେଶର କୋରୋନା ସ୍ଥିତିକୁ ଦେଖି କେନ୍ଦ୍ର ସରକାର ଲକ୍‌ଡ଼ାଉନ୍ ଅବଧିକୁ ଆଉ ଦୁଇ ସପ୍ତାହ ବୃଦ୍ଧି କରିଛନ୍ତି । ସାରା ଦେଶକୁ ତିନୋଟି ଜୋନ୍‌ରେ ବିଭକ୍ତ କରାଯାଇଛି । ରେଡ଼୍ ଜୋନ୍ ବା ହଟସ୍ପଟ, ଅରେଞ୍ଜ ଜୋନ୍ ଓ ଗ୍ରୀନ୍ ଜୋନ୍ । ଅରେଞ୍ଜ ଓ ଗ୍ରୀନ୍ ଜୋନ୍‌ରେ କଟକଣାରେ କିଛି କୋହଳ କରାଯାଇଛି । ଏପର୍ଯ୍ୟନ୍ତ ବା ୨୧ ଦିନ ଧରି କୌଣସି କୋରୋନା ପଜିଟିଭ୍ ରୋଗୀ ବାହରିନଥିବା ଅଂଚଳକୁ ଗ୍ରୀନ ଜୋନ୍ ଭାବେ ଅଭିହିତ କରାଯାଇଛି । ମୋଟ କୋରୋନା ପଜିଟିଭ୍ ରୋଗୀ, ରୋଗୀଙ୍କ ସଂଖ୍ୟା ଦୁଇଗୁଣା ହେବାର ଅବଧି, ଟେଷ୍ଟିଂ ଓ ସର୍ଭିଲାନ୍ସ କ୍ଷେତ୍ରରେ ଜିଲ୍ଲାପାଳଙ୍କ ରିପୋର୍ଟକୁ ଭିତି କରି ରେଡ଼୍ ଜୋନ୍ ଘୋଷଣା ହୋଇଥାଏ । ଯାହା ରେଡ଼୍ ଓ ଗ୍ରୀନ ଜୋନ୍ ଭାବେ ଘୋଷଣା ହୋଇନାହିଁ, ତାହା ଅରେଞ୍ଜ ଜୋନ୍ ଭାବେ ଗଣନା କରାଯିବ । ପ୍ରତି ସପ୍ତାହରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ଥିତିକୁ ଦେଖି ଜୋନ୍‌ର ନିଷ୍ପତି ନେଇଥାନ୍ତି । ଆସନ୍ତୁ ନଜର ପକାଇବା େଉଁ ଜୋନ୍‌ରେ କେଉଁ ସୁବିଧା ମିଳିବ ।
କଂଟେନମେଂଟ ଜୋନ୍‌ରେ ସମସ୍ତଙ୍କ ପାଇଁ ଆରୋଗ୍ୟସେତୁ ଆପ୍ ବାଧ୍ୟତାମୂଳକ କରାଯାଇଛି । ବିମାନ, ରେଳ, ମେଟ୍ରୋ ଏବଂ ଆନ୍ତଃ-ରାଜ୍ୟ ଚଳାଚଳ ବନ୍ଦ । ବିଦ୍ୟାଳୟ, କଲେଜ ଏବଂ ଅନ୍ୟ ଶିକ୍ଷାନୁଷ୍ଠାନ, ଟ୍ରେନିଂ, କୋଚିଂ ଅନୁଷ୍ଠାନ, ହୋଟେଲ, ରେଷ୍ଟୁରାଂଟ, ସିନେମା ହଲ୍‌, ମଲ୍‌, ଜିମ୍ନାସିୟମ୍‌, ସ୍ପୋର୍ଟସ କମ୍ଲେକ୍ସ ଭଳି ଜନ ସମାଗମ ହେଉଥିବା ସ୍ଥାନ, ସାମାଜିକ, ରାଜନୈତିକ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । କିନ୍ତୁ ଗୃହ ମନ୍ତ୍ରାଳୟ ଦ୍ୱାରା ଅନୁମୋଦିତ ଜରୁରୀ କାଳୀନ ସେବା ପାଇଁ ବିମାନ, ରେଳ ଚଳାଚଳ ହୋଇପାରିବ । ବିନା ଜରୁରୀ କାମରେ ସନ୍ଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ କୌଣସି ଲୋକ ବାହାରେ ବୁଲାବୁଲ କରିପାରିବେ ନାହିଁ । ସବୁ ଜୋନ୍‌ରେ ୬୫ବର୍ଷରୁ ଅଧିକ ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ବର୍ଷରୁ କମ୍ ଶିଶୁ ଘରେ ରହିବା ଜରୁରୀ । ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ ରେଡ଼୍‌, ଅରେଞ୍ଜ ଓ ଗ୍ରୀନ ଜୋନ୍‌ରେ ଆଉଟଡ଼ୋର୍ ଖୋଲାରହିବ । ହେଲେ କେଂଟନମେଂଟ ଜୋନ୍‌ରେ ଏହାକୁ ଅନୁମତି ମିଳିବ ନାହିଁ ।
ରେଡ଼୍‌ଜୋନ୍‌ରେ ସାଇକେଲ, ରିକ୍ସା, ଅଟୋ, ଟ୍ୟାକ୍ସି ଆନ୍ତଃ-ଜିଲ୍ଲା କିମ୍ବା ଜିଲ୍ଲା ଭିତରେ ଚଳାଚଳ କରିପାରିବ ନାହିଁ । ସେଲୁନ୍‌, ସ୍ପାକୁ ମଧ୍ୟ ବାରଣ କରାଯାଇଛି । ରେଡ଼୍‌ଜୋନ୍‌ରେ ସାମାଜିକ ଦୁରତ୍ୱ ବଜାୟ ରଖି ବାଇକ୍ ଓ କାର୍ ଚଳାଚଳକୁ ଜରୁରୀ କାମ ପାଇଁ ଅନୁମତି ମିଳିଛି । କାର୍‌ରେ ଚାଳକ ବ୍ୟତୀତ ୨ ଜଣ ଯାଇପାରିବେ । ରେଡ଼୍‌ଜୋନ୍‌ର ସହରାଂଚଳରେ ଥିବା ଏସ୍‌ଇଜେଡ଼୍‌, ଶିଳ୍ପାଂଚଳରେ ଆବଶ୍ୟକୀୟ ଦ୍ରବ୍ୟର ଉତ୍ପାଦନ ଯଥା ଔଷଧ, ମେଡିକାଲ ଉପକରଣ,ଯେଉଁ କାରଖାନାର ଉତ୍ପାଦନ ବନ୍ଦ ହୋଇପାରିବ ନାହିଁ, ଆଇଟି ହାର୍ଡ଼େୱେର କମ୍ପାନୀ, ପ୍ୟାକେଜିଙ୍ଗ ମ୍ୟାଟେରିଆଲ୍ ଭଳି କାରଖାନା ଚାଲିପାରିବ । ବାହାର ଅଂଚଳରୁ ଶ୍ରମିକ ନଆଣି ସହରାଂଚଳରେ ନିର୍ମାଣ କାମକୁ ଅନୁମତି ମିଳିଛି ।
ଘରୋଇ କମ୍ପାନୀ ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟ ଚଲାଇପାରିବେ । ଡ଼ିଫେନ୍ସ ଓ ସୁରକ୍ଷା ସଂସ୍ଥା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପୋଲିସ, ଜେଲ୍‌, ହୋମ୍ ଗାର୍ଡ଼, ସାମାଜିକ ନିରାପତା, ଅଗ୍ନିଶମ ବିଭାଗ, ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ, ନ୍ୟାସନାଲ ଇନ୍‌ଫର୍ମାଟିକ୍ସ ସେଂଟର(ଏନ୍‌ଆଇସି), ଗଣମାଧ୍ୟମ ସଂସ୍ଥା, କଷ୍ଟମ ବିଭାଗ, ଖାଦ୍ୟ ନିଗମ, ଏନ୍‌ସିସି, ନେହରୁ ଯୁବ କେନ୍ଦ୍ର ଏବଂ ମ୍ୟୁନିସିପାଲ ସର୍ଭିସ ବ୍ୟତୀତ ଅନ୍ୟ ସରକାରୀ କାର୍ଯ୍ୟାଳୟ ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିପାରିବ ।
ସେହିପରିି ରେଡ଼୍ ଜୋନ୍‌ର ଗ୍ରାମାଂଚଳରେ ଇଟାଭାଟି, ନରେଗା ଯୋଜନାର କାମ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌, ଶୀତଳ ଭଣ୍ଡାର, ପଣ୍ୟାଗାର ନିଗମ ସହ ସମସ୍ତ କୃଷିଜାତ କାର୍ଯ୍ୟ, ବିଲକାମ ସାଙ୍ଗକୁ ମାର୍କେଟିଙ୍ଗକୁ ଅନୁମତି ମିଳିଛି । ମତ୍ସ୍ୟ ପଶୁପାଳନ କାର୍ଯ୍ୟକ୍ରମକୁ ମଧ୍ୟ ଅନୁମତି ମିଳିଛି । ବନୀକରଣ କାର୍ଯ୍ୟକ୍ରମ, ଆୟୁଷ ସହିତ ସମସ୍ତ ପ୍ରକାରର ସ୍ୱାସ୍ଥ୍ୟ ସେବା, ଆମ୍ବୁଲାନ୍ସ ସେବା ମଧ୍ୟ ଚାଲିପାରିବ । ବ୍ୟାଙ୍କ, ସମବାୟ ସଂସ୍ଥା, ଅଣ ବ୍ୟାଙ୍କିଙ୍ଗ ଆର୍ଥୀକ କାରବାର, ବୀମା କାର୍ଯ୍ୟାଳୟ, କ୍ୟାପିଟାଲ ମାର୍କେଟ ମଧ୍ୟ ଚାଲିପାରିବ । ଶିଶୁ, ବରିଷ୍ଠ ନାଗରିକ, ଅସହାୟ, ମହିଳା ଓ ବିଧବାଙ୍କ ପାଇଁ ଚାଲିଥିବା ଅନୁଷ୍ଠାନ ସହ ଅଙ୍ଗନୱାଡ଼ି କେନ୍ଦ୍ରରେ ମଧ୍ୟ କୌଣସି ବାରଣ ନାହିଁ । ସାଧାରଣ ଲୋକଙ୍କ ସେବା କ୍ୟାଟେଗୋରୀରେ ଆସୁଥିବା ବିଦ୍ୟୁତ, ପାଣି, ସାନିଟେସନ୍‌, ପରିମଳ ବ୍ୟବସ୍ଥା, ଟେଲିଯୋଗାଯୋଗ, ଇଂଟରନେଟ, ପୋଷ୍ଟାଲ ଓ କୋରିଅର୍ ଭଳି ସେବା ଉପଲବ୍ଧ ହୋଇପାରିବ ।
ଅରେଞ୍ଜ ଜୋନ୍‌ରେ ରେଡ଼୍ ଜୋନ୍‌ର ଅନୁମୋଦିତ ଆଇଟମ୍ ସହ ଟ୍ୟାକ୍ସି ଓ କ୍ୟାବ୍ ଜଣେ ଡ଼୍ରାଇଭର ଓ ଜଣେ ପ୍ୟାସେଞ୍ଜର ସହିତ ଚାଲିପାରିବ । ଅନୁମୋଦିତ କାର୍ଯ୍ୟ ପାଇଁ ବ୍ୟକ୍ତି ଓ ଗାଡ଼ି ଆନ୍ତଃ-ଜିଲ୍ଲା ଚଳାଚଳ କରିପାରିବେ ।
ଗ୍ରୀନ୍ ଜୋନ୍‌ରେ ଦେଶସାରା ଲକ୍‌ଡ଼ାଉନ୍ ସମୟରେ ବାରଣ ଥିବା କାର୍ଯ୍ୟକ୍ରମ ବ୍ୟତୀତ ସବୁ ହୋଇପାରିବ । ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ବ୍ୟବହାର ହେଉଥିବା ସବ୍‌ଗୁଡ଼ିକ ମଧ୍ୟ ୫୦ ପ୍ରତିଶତ ଯାତ୍ରୀ ନେଇ ଚଳାଚଳ କରିପାରିବେ । ବସ୍‌ଷ୍ଟାଣ୍ଡ ଗୁଡ଼ିକ ମଧ୍ୟ କ୍ଷମତାର ୫୦ ପ୍ରତିଶତ ଅନୁସାରେ କାର୍ଯ୍ୟକ୍ଷମ ହୋଇପାରିବ ।
ମାଲ ପରିବହନରେ କୌଣସି କଟକଣା କରାଯାଇନାହିଁ । ଆନ୍ତଃ-ଜିଲ୍ଲା, ଆନ୍ତଃ-ରାଜ୍ୟ ଏବଂ ଦେଶ ସୀମାରେ ମଧ୍ୟ ପଡ଼ୋଶୀ ରାଷ୍ଟ୍ରଙ୍କ ସହ ଚୁକ୍ତିି ଅନୁସାରେ ଚଳାଚଳ କରିପାରିବ । ଏଥିପାଇଁ କୌଣସି ପାସ୍‌ର ଆବଶ୍ୟକତା ନାହିଁ । ବାରଣ କରାଯାଇଥିବା କାର୍ଯ୍ୟକ୍ରମ ବ୍ୟତୀତ ଗ୍ରୀନ୍‌ଜୋନ୍‌ରେ ଅନ୍ୟ ସମସ୍ତ କାର୍ଯ୍ୟକଳାପ ହୋଇପାରିବ । କିନ୍ତୁ ସଂପୃକ୍ତ ରାଜ୍ୟଗୁଡ଼ିକ ଆବଶ୍ୟକ ସ୍ଥଳେ, ସ୍ଥିତିକୁ ଦେଖି କୋଭିଡ଼୍‌କୁ ରୋକିବା ପାଇଁ ନିର୍ଦ୍ଧିଷ୍ଟ ନିର୍ଦ୍ଦେଶନାମା ଜାରି କରିପାରିବେ ବୋଲି ଗୃହ ମନ୍ତ୍ରାଳୟ ବିଜ୍ଞପ୍ତିରେ ଦର୍ଶାଇଛି ।
ସେହିପରି ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଏସ୍‌ଓପି ଅନୁସାରେ ବିଦେଶୀ ନାଗରିକଙ୍କ ପାଇଁ ଅସ୍ଥାୟୀ ଶିବିର, କ୍ୱାରେଂଟାଇନ୍ ରୋଗୀଙ୍କୁ ଘରକୁ ଯିବାକୁ ଅନୁମତି, ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକ, ତୀର୍ଥଯାତ୍ରୀ, ଛାତ୍ରଛାତ୍ରୀ ବସ୍‌, କାର ଏବଂ ଟ୍ରେନ୍ ଯୋଗେ ଯିବା ଆସିବା କରିପାରିବେ ।
ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ ଅନୁସାରେ ଲକ୍ ଡ଼ାଉନ୍ ଗାଇଡ଼୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବା ସହ ଏଥିରେ କୌଣସି ଛାଡ଼ ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More