ସୀମା ବିବାଦକୁ ନେଇ ଭାରତର ଯୁଦ୍ଧ ପ୍ରସ୍ତୁତି

0

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶ ସୀମାରେ ଚୀନ ସେନା ସହିତ ସଂଘର୍ଷ ପରେ ଭାରତ ଏହାର ସୈନ୍ୟ ବାହିନୀକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ପର୍ଯ୍ୟାୟରେ ରଖିଛି। ସେନାର ଯୁଦ୍ଧ ଅଭିଯାନ ପ୍ରସ୍ତୁତି କ୍ରମରେ ଗୁରୁବାର ଠାରୁ ଭାରତ ବାୟୁସେନା ଉତ୍ତର-ପୂର୍ବାଞ୍ଚଳରେ ଦୁଇଦିନିଆ ସମରାଭ୍ୟାସ ଆରମ୍ଭ କରିଛି। ଏହି ସମରାଭ୍ୟାସରେ ବାୟୁସେନାର ସମସ୍ତ ଲଢୁଆ ଯୁଦ୍ଧବିମାନ ସାମିଲ ହୋଇଛି। ସୂଚନା ଅନୁଯାୟୀ ବାୟୁସେନା ଏହାର ପୂର୍ଣ୍ଣ ଯୁଦ୍ଧ ପ୍ରସ୍ତୁତିକୁ ଯାଞ୍ଚ କରିବା ଲାଗି ଏହି ସମରାଭ୍ୟାସ କରିଛି। ଏହି ସମରାଭ୍ୟାସରେ ରାଫେଲ ଯୁଦ୍ଧବିମାନକୁ ମଧ୍ୟ ସାମିଲ କରାଯାଇଛି। ଡିସେମ୍ବର ୯ରେ ଭାରତ-ଚୀନ ସେନା ସଂଘର୍ଷ ଭାରତ ଏହାର ସେନାକୁ ଯୁଦ୍ଧ ଅଭିଯାନ ସ୍ଥିତିରେ ରଖିଛି। ଏହାଦ୍ବାରା ଯେକୌଣସି ମୁହୂର୍ତ୍ତରେ ଯୁଦ୍ଧ ହେଲେ ସେନା ଏହାର ମୁକାବିଲା କରିପାରିବ। ସୀମାର ଆଗୁଆ ଘାଟିଗୁଡିରେ ଥିବା ବାୟୁସେନା ଘାଟିଗୁଡିକରେ ଯୁଦ୍ଧବିମାନ ଅବତରଣ (ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡ) ଏଏଲ୍‌ଜି ବ୍ୟବସ୍ଥାକୁ ପ୍ରସ୍ତୁତ କରାଯାଇଛି। ବିଶେଷ କରି ଉତ୍ତର-ପୂର୍ବାଞ୍ଚଳର ଘାଟିଗୁଡିକରେ ଏଏଲ୍‌ଜି ବ୍ୟବସ୍ଥାକୁ ପ୍ରସ୍ତୁତ ରଖାଯାଇଛି। ତେବେ ବାୟୁସେନାର ଜଣେ ଅଧିକାରୀ କହିଛନ୍ତି ଯେ ଏହି ସମରାଭ୍ୟାସ ପୂର୍ବରୁ ଯୋଜନା କରାଯାଇଥିଲା। ଅରୁଣାଚଳ ତାୱଙ୍ଗ ସେକ୍ଟର ସେନା ସଂଘର୍ଷ ସହିତ ଏହାର କୌଣସି ସମ୍ପର୍କ ନାହିଁ। ସେହିପରି ସ୍ଥଳ ସେନା ମଧ୍ୟ ଉତ୍ତର-ପୂର୍ବାଞ୍ଚଳର ସେନା ଘାଟିଗୁଡିକୁ ଆବଶ୍ୟକ ଖାଦ୍ୟ ସାମଗ୍ରୀ, ପୋଷାକ, ରେସନ, ଅସ୍ତ୍ରଶସ୍ତ୍ର ଆଦି ଯୋଗାଣ ଆରମ୍ଭ କରିଛି। କାରଣ ଆସନ୍ତା ସପ୍ତାହଠାରୁ ଏଠାରେ ବରଫ ପଡିବା ଆରମ୍ଭ କରିବ। ବରଫ ପଡିବା ପରେ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ ବାଧାପ୍ରାପ୍ତ ହେବ।
ଅରୁଣାଚଳ ପ୍ରଦେଶ ସୀମାରେ ଚୀନ ଏହାର ଅବଜରଭେସନ ପୋଷ୍ଟ (ନିରୀକ୍ଷଣ ଶିବିର) ସ୍ଥାପନ କରିବାକୁ ଯୋଜନା କରିଥିଲା ବୋଲି ଭାରତ ସେନା ପକ୍ଷରୁ କୁହାଯାଇଛି। ସେନାର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଆସନ୍ତା ସପ୍ତାହଠାରୁ ତାୱଙ୍ଗ ସେକ୍ଟରରେ ବରଫ ପଡିବା ଆରମ୍ଭ ହେବ। ତେଣୁ ଏଠାରେ ଭାରତ ସେନାର ଗତିବିଧି ଉପରେ ନଜର ରଖିବାକୁ ଚୀନ ଅବଜରଭେସନ ପୋଷ୍ଟ (ଓପି) ସ୍ଥାପନ କରିବାକୁ ଚାହଁୁଥିଲା। ଶୀତ ଋତୁରେ ସୀମା ସୁରକ୍ଷା ନିମନ୍ତେ ଭାରତ କିପରି ପ୍ରସ୍ତୁତ ରହିଛି ତାହା ଜାଣିବାକୁ ଚୀନ ଆଗ୍ରହୀ। ଭାରତ-ଚୀନ ସେନା ସଂଘର୍ଷକୁ ନେଇ ଯେଉଁ ଉତ୍ତେଜନା ପ୍ରକାଶ ପାଇଛି ତାକୁ ଯଥାଶୀଘ୍ର ହାସ କରିବା ଲାଗି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ନିବେଦନ କରିଛନ୍ତି। ଗୁଟେରସଙ୍କ ମୁଖପାତ୍ର ଷ୍ଟିଫାନ ଡୁଜାରିକ କହିଛନ୍ତି ଯେ ଭାରତ-ଚୀନ ସେନା ସଂଘର୍ଷ ସମ୍ପର୍କିତ ରିପୋର୍ଟ ଦେଖିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ ଦୁଇ ଦେଶ ମଧ୍ୟରେ ଯେଉଁ ଉତ୍ତେଜନା ପ୍ରକାଶ ପାଇଛି ତାକୁ ତୁରନ୍ତ ହ୍ରାସ ଦିଗରେ ଉଭୟ ପକ୍ଷ ଉଦ୍ୟମ କରିବା ଦରକାର।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More