ସୁନ୍ଦରଗଡ଼ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଡିଏମଏଫ ସିଇଓ ରସାଇ ଲାଗୁରୀଙ୍କ ପରଲୋକ

0

ସୁନ୍ଦରଗଡ଼,ସରୋଜ କୁମାର ମିଶ୍ର, ରାଜଗାଙ୍ଗପୁର : ସୁନ୍ଦରଗଡ଼ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ତଥା ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ସିଇଓ ରସାଇ ଲାଗୁରୀଙ୍କର ଗୁରୁବାର ଦିନ ପରଲୋକ ହୋଇଯାଇଛି । ଗତ କିଛିଦିନ ହେଲା ସେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ହୋମ୍ ଆଇସୋଲେସନରେ ରହି ଚିକିତ୍ସାଧୀନ ଥିଲେ । ଗୁରୁବାର ଦିନ ସକାଳୁ ଛାତିରେ ଯନ୍ତ୍ରଣା ସହ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ କୋଭିଡ୍‌ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ସେ ଆଖିବୁଜି ଦେଇଥିଲେ । ପରିବାରରେ ତାଙ୍କ ସ୍ତ୍ରୀ ଏବଂ ଝିଅ ଅଛନ୍ତି । ଶ୍ରୀଯୁକ୍ତ ଲାଗୁରୀଙ୍କ ବିୟୋଗରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, “ଆମ ସମସ୍ତଙ୍କ ପାଇଁ ଏହା ଅତ୍ୟନ୍ତ ଆକସ୍ମିକ ଓ ଦୁର୍ଭାଗ୍ୟଜନକ । ସେ ବାସ୍ତବରେ ଜଣେ ସଚ୍ଚା କୋଭିଡ୍ ଯୋଦ୍ଧା । କାରଣ ଡିଏମଏଫର ସହାୟତାକ୍ରମେ ଜିଲ୍ଲାରେ କୋଭିଡ୍ ଚିକିତ୍ସା ଓ ମୁକାବିଲା ପାଇଁ ବହୁ କାର୍ଯ୍ୟକ୍ରମ ଜାରି ରହିଛି । ଏସବୁ ପଛରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ତେଣୁ ସେ ଜିଲ୍ଲାରେ ଅନେକ ଲୋକଙ୍କୁ କୋଭିଡରୁ ନୂଆ ଜୀବନ ଦେବାରେ ସହାୟକ ହୋଇଥିଲେ ବୋଲି କହିଲେ କିଛି ଭୁଲ୍ ହେବ ନାହିଁ । ତାଙ୍କ ପାଇଁ ଆମେ ଗର୍ବିତ ।’’
ତାଙ୍କ ପରିବାରକୁ ସାନ୍ତ୍ୱନା ଜଣାଇବା ସହ ଏଭଳି ଏକ ଦୁଃଖଦ ସମୟରେ ସେମାନଙ୍କ ପାଖରେ ଠିଆ ହୋଇଥିବା ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ଅନ୍ୟମାନଙ୍କୁ ଜିଲ୍ଲାପାଳ କୃତଜ୍ଞତା ଜଣାଇଛନ୍ତି । ଆଜି ପୂର୍ବାହ୍ନରେ ସୁନ୍ଦରଗଡ଼ର ରାଣୀବଗିଚାସ୍ଥିତ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ସେଠାରେ ସୁନ୍ଦରଗଡ଼ ଏଡିଏମ୍‌ ବିଶ୍ୱଜିତ ମହାପାତ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରାଙ୍କ
ସହ ଡିଏମଏଫର ବହୁ ଅଧିକାରୀ ଉପସ୍ଥିତ ରହି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶ୍ରୀଯୁକ୍ତ ଲାଗୁରୀ ୨୦୧୮ ମସିହା ଏପ୍ରିଲ ମାସରେ ସୁନ୍ଦରଗଡ଼ରେ ଅବସ୍ଥାପିତ ହୋଇଥିଲେ । ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀ ମଧ୍ୟରେ ସେ ଜିଲ୍ଲା ଭୂ-ଅର୍ଜନ ଅଧିକାରୀ ଏବଂ ଓମ୍ବାଡସିର ନୋଡାଲ ଅଫିସର ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ । ଶ୍ରୀଯୁକ୍ତ ଲାଗୁରୀଙ୍କ ବିୟୋଗରେ ସୁନ୍ଦରଗଡ଼ ଜିଲ୍ଲା ଓଏଏସ୍ ସଂଘ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ସଂଘର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର କହିଛନ୍ତି ଯେ, ସେ ଜଣେ ଓଏଏସ୍ ବନ୍ଧୁଙ୍କୁ ଅସମୟରେ ହରାଇଲେ । ଏଭଳି ସ୍ଥିତିରେ ଭଗବାନ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଅସୀମ ଧୈଯ୍ୟ ଓ ଶକ୍ତି ଦିଅନ୍ତୁ । ସଂଘ ପକ୍ଷରୁ ସେ ତାଙ୍କ ପରିବାର ପ୍ରତି ଗଭୀର
ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More