ବାତ୍ୟା ‘ଅମ୍ଫାନ’ ନେଲା ୬ ଜୀବନ

0

ଭୁବନେଶ୍ୱର : ଯେତିକି ଅନୁମାନ କରାଯାଉଥିଲା, ‘ଅମ୍ଫାନ’ ରାଜ୍ୟର ସେତିକି କ୍ଷତି ଘଟାଇ ନାହିଁ । ତେବେ ଏହି ବିପର୍ଯ୍ୟୟ ବେଳେ ୬ ଜଣଙ୍କର ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ୩ ଜଣ ଥିବା ବେଳେ ବାଲେଶ୍ବର, ଭଦ୍ରକ ଓ କଟକରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । କେନ୍ଦ୍ରାପଡ଼ାର ରାଜନଗର ବ୍ଲକ୍‌ ସାତଭାୟା ଗ୍ରାମର କୋଇଲି ବେହେରା(୬୫) ଓ ଘଡ଼ିଆମାଳ ପଞ୍ଚାୟତ ଜୁଣଗଡ଼ି ଗ୍ରାମର ଦୁର୍ଯୋଧନ ରାଉଳ(୫୫)ଙ୍କର ଏହି ସମୟରେ ମୃତ୍ୟୁ ଘଟିଛି । କୋଇଲିଙ୍କ ପରିବାର ଲୋକେ ସାତଭାୟାବାସୀଙ୍କ ଥଇଥାନସ୍ଥଳ ବଗପାଟିଆରେ ରହୁଥିଲେ । ବିଧାୟକ ଧ୍ରୁବ ସାହୁ ବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇବା ସହ ୫ ହଜାର ଟଙ୍କାର ସହାୟତା ପ୍ରଦାନ କରିଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା ମଧ୍ୟ ସେଠାରେ ପହଞ୍ଚି କେଉଁ ପରିସ୍ଥିତିରେ ଉଭୟଙ୍କ ମୃତ୍ୟୁ ଘଟିଲା ସେ‌େନଇ ତଦନ୍ତ କରିଛନ୍ତି । ଏହି ଜିଲ୍ଲା ମହାକାଳପଡ଼ା ବ୍ଲକର ବତୀଘର ପଞ୍ଚାୟତର ବଡ଼ଟୁବି ଗ୍ରାମର ଯମୁନା ମଣ୍ଡଳଙ୍କର ମଧ୍ୟ ମୃତ୍ୟୁ ଘଟିଛି । ସେ ସକାଳେ ମାଛ ଧରିବାକୁ ଯାଇଥିଲେ । ଅପରାହ୍ନରେ ତାଙ୍କ ମୃତଦେହ ଟୁବି ନଦୀରୁ ଉଦ୍ଧାର କରାଯାଇଥିଲା ।

ଅଧିକ ପ୍ରଭାବିତ ବାଲେଶ୍ବର ଜିଲ୍ଲାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ବାତ୍ୟା ପବନ ତାଙ୍କୁ ଉଡ଼ାଇ କଚାଡ଼ି ଦେଇଥିଲା । ମହିଳା ଜଣଙ୍କ ହେଲେ ସୁମିତ୍ରା ସିଂହ(୫୫) । ବାତ୍ୟା ପ୍ରକୋପରୁ ବର୍ତ୍ତିବା ପାଇଁ ଉକ୍ତ ମହିଳା ପୁଅ ବିଜୟକୁ ଧରି ଅଚ୍ୟୁତପୁର ପ୍ରାଥମିକ ବିଦ୍ୟାଳୟ ଆଶ୍ରୟସ୍ଥଳକୁ ଚାଲିଆସିଥିଲେ । ସେହିଭଳି, ଭଦ୍ରକର ତିହିଡ଼ି ଅଞ୍ଚଳରେ କାନ୍ଥ ପଡ଼ି ୩ ମାସର ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁ ତିହିଡି ବ୍ଲକ କାଁପଡ଼ା ପଞ୍ଚାୟତ ଦକ୍ଷିଣପାରି ଗ୍ରାମ ବଳରାମ ଦାସଙ୍କ ୩ ମାସର ପୁଅ । ଆଜି ସକାଳୁ ଶିଶୁଟିକୁ ଶୁଆଇ ଦେଇ ମାଆ ବାହାରେ କାମ କରୁଥିଲେ । ଏହି ସମୟରେ ବର୍ଷାରେ ଭିଜିଯାଇଥିବା ଝାଟିମାଟି କାନ୍ଥ ଭାଙ୍ଗିଯାଇ ଶିଶୁ ଉପରେ ପଡ଼ିଯାଇଥିଲା । ସେହିଭଳି ନଡିଆ ବାହୁଙ୍ଗା ପଡି କଟକ ଜିଲ୍ଲା ଦେବୀ-କନ୍ଦଳ ଦ୍ୱିପାଞ୍ଚଳ ଏକବେରୁଁଆ ପଂଚାୟତ ନାଟୀ ଗ୍ରାମର ଖୁଦ ସାବୁତ(୭୧)ଙ୍କର ମୃତ୍ୟୁ ଘଟିଛି । କିନ୍ତୁ ଏହାକୁ ପ୍ରଶାସନ ପକ୍ଷରୁ ଅସ୍ୱୀକାର କରାଯିବା ସହ ଏହା ସ୍ବାଭାବିକ ମୃତ୍ୟୁ ବୋଲି ନିଆଳି ତହସିଲଦାର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More