ରାଉରକେଲାକୁ କୋଭିଡମୁକ୍ତ କରିବା ପାଇଁ ଆବଶ୍ୟକ ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଉଛି : କମିଶନର

0

ରାଉରକେଲା,ସରୋଜ କୁମାର ମିଶ୍ର, ରାଜଗାଙ୍ଗପୁର : ରାଉରକେଲା ସହରରେ କୋଭିଡ୍ ସଂକ୍ରମଣର ଚେନ୍ ଭାଙ୍ଗିବାକୁ ଆବଶ୍ୟକ ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଉଛି । ମୁଖ୍ୟତଃ ଯେଉଁସବୁ ଅଞ୍ଚଳରେ ଟେଷ୍ଟିଂ ବେଳେ ଅଧିକ ସଂଖ୍ୟାରେ ପଜିଟିଭ୍ କେସ୍ ଆସୁଛି ସେହି ସ୍ଥାନରେ ସଂକ୍ରମଣକୁ ରୋକିବାକୁ ରାଉରକେଲା ମହାନଗର ନିଗମ ପକ୍ଷରୁ ଏହି ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି କମିଶନର ଦିବ୍ୟଜ୍ୟୋତି ପରିଡ଼ା ।

‘‘ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଲୋକଙ୍କୁ ଭୟଭୀତ କରିବାକୁ କରାଯାଉ ନାହିଁ। ଏହାର ମୂଳ ଲକ୍ଷ୍ୟ ହେଉଛି ବ୍ୟାପୁଥିବା କୋଭିଡ୍ ସଂକ୍ରମଣକୁ ସେହି ସ୍ଥାନରେ ସୀମିତ କରି ରଖିବା । ଘର ଘର ବୁଲି ଟେଷ୍ଟିଂ କରିବା ସହ ଯେଉଁ ଜାଗାରେ ପଜିଟିଭ୍ ମାମଲା ଆସୁଛି ସେମାନଙ୍କୁ ଗୃହସଙ୍ଗରୋଧରେ ରଖିବା । ଏହି ସମୟରେ ମହାନଗର ନିଗମ ପକ୍ଷରୁ ରାପିଡ଼୍ ରେସପନ୍ସ ଟିମ୍ ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ନିୟୋଜିତ କରି ଲୋକଙ୍କୁ ଆବଶ୍ୟକ ଔଷଧ ଏବଂ ସ୍ୱାସ୍ଥ୍ୟ ପରାମର୍ଶ ଦିଆଯାଉଛି । ତେଣୁ ମାଇକ୍ରୋ କଣ୍ଟେନମେଣ୍ଟର ମୂଳ ଲକ୍ଷ୍ୟ ହେଉଛି ସଂପୃକ୍ତ ଅଞ୍ଚଳକୁ ଏକ ପ୍ରକାର ଆବଦ୍ଧ କରି କିଛିଦିନ ମଧ୍ୟରେ ସମ୍ପୂର୍ଣ୍ଣ କୋଭିଡ୍ ମୁକ୍ତ କରିବା’’, କହିଛନ୍ତି କମିଶନର ।

ଗତ କିଛିଦିନ ମଧ୍ୟରେ ମହାନଗର ନିଗମର ବିଭିନ୍ନ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଏହି ଅଞ୍ଚଳରେ ସାଧାରଣ ଲୋକଙ୍କ ଯିବା ଆସିବା ଏବଂ ସାଧାରଣ ପରିବହନ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଉଛି । ତେବେ ଲୋକଙ୍କ ଚିକିତ୍ସା ସହିତ ଜରୁରୀ ଆବଶ୍ୟକତାକୁ ନିଗମ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଉଛି । କଣ୍ଟେନମେଣ୍ଟ ଜୋନରେ ଲୋକମାନେ କିଭଳି ଔଷଧ, ଗ୍ରୋସରି, ପନିପରିବା ଏବଂ ଶିଶୁ ଖାଦ୍ୟ ଭଳି ଜରୁରୀ ସାମଗ୍ରୀ ଦୁଆର ମୁହଁରେ ପାଇପାରିବେ ସେଥିପାଇଁ ନିଗମର ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି ।

ରାଉରକେଲା ସହରକୁ କୋଭିଡମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ‘ବ୍ରେକ୍ ଦ ଚେନ୍’ ଅଭିଯାନ ଆରମ୍ଭ କରାଯାଇଛି। ଏଥିପାଇଁ ଭ୍ରାମ୍ୟମାଣ ଟେଷ୍ଟିଂ ବ୍ୟବସ୍ଥା କରାଯାଉଛି । କୋଭିଡ୍ ପଜିଟିଭ୍ ବାହାରୁଥିବା କିମ୍ବା ସଂକ୍ରମଣର ଆଶଙ୍କା ରହିଥିବା ବ୍ୟକ୍ତିଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଉଛି। ତେଣୁ କଣ୍ଟେନମେଣ୍ଟ ଜୋନ୍ ଭଳି ଅତି ଜରୁରୀ ପ୍ରଶାସନିକ ପଦକ୍ଷେପକୁ ସ୍ୱାଗତ କରିବାକୁ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ନଗରବାସୀଙ୍କୁ ଅପିଲ୍ କରିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More