ନୂଆଦିଲ୍ଲୀ : ସାରା ବିଶ୍ୱରେ ଏବେ କରୋନା ଭୂତାଣୁର ନୂଆ ରୂପ ଭୟ ସୃଷ୍ଟି କରୁଛି I ସମୟ ବିତିବା ସହ ରୂପ ବଦଳାଇ ଲୋକଙ୍କୁ ସଂକ୍ରମଣ କରିବାରେ ଲାଗିଛି ମହାମାରୀ କରୋନା ଭାଇରସ । ପୂର୍ବରୁ ବ୍ରିଟେନ୍ରେ କରୋନାର ନୂଆ ରୂପକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଏବେ ଆଉ ଏକ ଷ୍ଟ୍ରେନ୍ ଠାବ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ଏହି ନୂଆ ଷ୍ଟ୍ରେନ୍ ମଧ୍ୟ ଅଧିକ ମାରାତ୍ମକ ଓ ଦ୍ରୁତଗତିରେ ସଂକ୍ରମଣ କରୁଛି । ଏହି ନୂଆ ଷ୍ଟ୍ରେନ ପୁରୁଣା ଷ୍ଟ୍ରେନଠାରୁ ଅଧିକ ସଂକ୍ରାମକ ବୋଲଇ ବ୍ରିଟେନ ସ୍ବାସ୍ଥ୍ୟମନ୍ତ୍ରୀ ମ୍ୟାଟ୍ ହ୍ୟାନ୍କକ୍ ସୂଚନା ଦେଇଛନ୍ତି । ସେମାନଙ୍କଠାରେ ଚିହ୍ନଟ ହୋଇଥିବା ଭୂତାଣୁ ଗତ ସପ୍ତାହରେ ଠାବ ହୋଇଥିବା ଷ୍ଟ୍ରେନଠାରୁ ଭିନ୍ନ, ଯାହା ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି ସେ କହିଛନ୍ତି । ନୂଆ କରୋନା ଭୂତାଣୁ ପାଇଁ ଯେଉଁ ନିୟମ ଲାଗୁ ହୋଇଛି ସେଥିପାଇଁ ଆଜି ଭାରତର ବିଭିନ୍ନ ବିମାନବନ୍ଦରେ ଅଧିକ ଗହଳି ଓ ବିଶୃଙ୍ଖଳା ଦେଖିବାକୁ ମିଳିଛି । ଯାତ୍ରୀମାନଙ୍କୁ ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ବ୍ରିଟେନ୍ ଫେରନ୍ତା ଯାତ୍ରୀମାନଙ୍କୁ ବିମାନବନ୍ଦରରେ ପହଞ୍ଚିବାପରେ ବାଧ୍ୟତାମୂଳକ କୋଭିଡ୍ ଟେଷ୍ଟ୍ କରିବାକୁ ପଡ଼ୁଛି ।