ଇସଲାମାବାଦ: ଘୋର ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନ ଋଣ ଉପରେ ଭରସା କରିରହିଛି। ଏହି କ୍ରମରେ ଚୀନଠାରୁ ୩୦୦ କୋଟି ଡଲାର ଋଣ ଆଣିବାକୁ ପାକିସ୍ତାନ ଯୋଜନା କରିଛି। ଗତମାସରେ ସାଉଦି ଆରବ ଠାରୁ ପାକିସ୍ତାନ ୩୦୦ କୋଟି ଡଲାର (୫୨,୯୦୦ କୋଟି ପାକିସ୍ତାନ ଟଙ୍କା) ଋଣ ଆଣିଥିଲା। ଆସନ୍ତା ମାସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଚୀନ ଗସ୍ତରେ ଯିବାକୁ ଥିବାବେଳେ ଏହି ଋଣ ଆଣିବା ବିଷୟରେ କଥାବାର୍ତ୍ତା କରିବେ। ଋଣ ଆଣିବା ସହିତ ପାକିସ୍ତାନର ଦେବାଳିଆ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକରେ ଚୀନର ପୁଞ୍ଜିନିବେଶ ପ୍ରସଙ୍ଗରେ ମଧ୍ୟ ଇମ୍ରାନ କଥାବାର୍ତ୍ତା କରିବେ।
ଏକ୍ସପ୍ରେସ୍ ଟ୍ରିବ୍ୟୁନ ରିପୋର୍ଟ ଅନୁଯାୟୀ ପାକିସ୍ତାନର ପ୍ରାୟ ୬ଟି ଉଦ୍ୟୋଗରେ ଚୀନ ନିଜର ପୁଞ୍ଜିନିବେଶ କରିବ। ବେଜିଂ ଶୀତକାଳୀନ ଅଲିମ୍ପିକର ଉଦ୍ଘାଟନୀ ଉତ୍ସବରେ ଯୋଗଦେବାକୁ ଫେବୃଆରୀ ୩ରେ ଇମ୍ରାନ ଚୀନ ଗସ୍ତରେ ଯିବେ। ଚୀନ ବର୍ତ୍ତମାନ ସୁଦ୍ଧା ପାକିସ୍ତାନକୁ ୧୧୦୦କୋଟି ଡଲାର ଋଣ ଦେଇସାରିଲାଣି। ବିଦେଶୀ ବିନିମୟ ପାଣ୍ଠି ପାଇଁ ମଧ୍ୟ ୪୦୦କୋଟି ଡଲାର ଋଣ ଦେଇଛି। ବର୍ତ୍ତମାନ ସୁଦ୍ଧା ପାକିସ୍ତାନର ବିଦେଶୀ ବିନିମୟ ଭଣ୍ଡାରରେ ଯେଉଁ ଅର୍ଥ ଜମା ରହିଛି ତା’ର ମୂଳ ଭାଗ ଚୀନର। ଗତ ଆର୍ଥିକ ବର୍ଷରେ ପାକିସ୍ତାନ ସୁଧ ପରିଶୋଧ ନିମନ୍ତେ ଚୀନକୁ ୨୬୦୦ କୋଟି ଟଙ୍କା ଦେଇଥିଲା।