ଚଳିତ ବର୍ଷ ଛାଡ଼ ହେଲା ମାଟ୍ରିକ ପରୀକ୍ଷା ଫି’ : ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର : ଚଳିତ ବର୍ଷ କୌଣସି ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଫି’ଦେବାକୁ ପଡ଼ିବନି I ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ହେବାକୁ ଥିବା ମାଟ୍ରିକ ପରୀକ୍ଷା ନିମନ୍ତେ ପିଲାମାନଙ୍କ ପରୀକ୍ଷା ଫିସ୍‌ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ । ଏ ବାବଦରେ ରାଜ୍ୟ ସରକାର ୨୭ କୋଟି ଟଙ୍କା ବ୍ୟୟଭାର ବହନ କରିବେ । ସୂଚନାଯୋଗ୍ୟ ଯେ ପ୍ରତି ପିଲାଙ୍କୁ ମାଟ୍ରିକ ପରୀକ୍ଷା ନିମନ୍ତେ ୪୨୦ ଟଙ୍କା ଲେଖାଏଁ ଫିସ୍‌ ଦେବାକୁ ପଡିଥାଏ । କରୋନା ମହାମାରୀ ପରିପ୍ରେକ୍ଷୀରେ ୨୦୨୦-୨୧ ଶିକ୍ଷା ବର୍ଷ ବିଶେଷ ଭାବରେ ପ୍ରଭାବିତ ହୋଇଛି । ଦୀର୍ଘ ୯ ମାସ କାଳ ସ୍କୁଲ ବନ୍ଦ ରହିବା ପରେ ଜାନୁଆରୀ ୮ ତାରିଖରୁ କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀକୁ କୋଭିଡ ନିୟମ ପାଳନ କରି ଖୋଲାଯାଇଛି । ପିଲାମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ତଥା ପାଠ୍ୟକ୍ରମରେ ବିଭିନ୍ନ ବିଷୟରେ ଥିବା ସନ୍ଦେହ ଦୂର କରିବା ପାଇଁ କ୍ଲାସ କରାଯାଉଛି । କରୋନା ଯୋଗୁ ବହୁ ଲୋକଙ୍କର ଜୀବନଜୀବିକା ମଧ୍ୟ ପ୍ରଭାବିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପତ୍ତି ଫଳରେ ଅର୍ଥାଭାବରୁ କୌଣସି ପିଲା ପରୀକ୍ଷା ଦେବାରୁ ବଞ୍ଚିତ ହେବେ ନାହିଁ ।
ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନା ମହାମାରୀ ସମୟରେ ଲୋକଙ୍କ ଆର୍ଥିକ ସଙ୍କଟାପନ୍ନ ସ୍ଥିତିରେ ଥିବାରୁ ଅଧିକାଂଶ ଛାତ୍ରଛାତ୍ରୀଙ୍କର ଅଭିଭାବକ ଏ ବର୍ଷ ନିଜ ପିଲାଙ୍କ ପାଇଁ ଦଶମ ବୋର୍ଡ ପରୀକ୍ଷା ଫିଜ ଦାଖଲ କରିବା ଅବସ୍ଥାରେ ନାହାନ୍ତି ଏବଂ ଏଥି ଯୋଗୁ ସଂଖ୍ୟାଧିକ ଛାତ୍ରଛାତ୍ରୀ ଫର୍ମ ପୂରଣ କରିବାରୁ ବଂଚିତ ହେବାର ଆଶଙ୍କା ରହିଛି । କରୋନା ମାଡ଼ରେ କ୍ଷତିଗ୍ରସ୍ତ ଲୋକଙ୍କ ଅବସ୍ଥାକୁ ଦେଖି ମାଟ୍ରିକ ପରୀକ୍ଷା ଫି’ ଛାଡ଼ କରିବାକୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସଭାପତି ଦେବୀ ରଂଜନ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ଚିଠି ଲେଖିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ଘୋଷଣାକୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସ୍ବାଗତ କରାଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More