କଟକ: ବାରବାଟୀ ଷ୍ଟାଡିୟମରେ ଜୁନ୍ ୧୨ରେ ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳାଯିବ। ବୁଧବାର ପେଟିଏମ୍ ଆପ୍ ଏବଂ ପେଟିଏମ୍ ଇନ୍ସାଇଡର ଓ ଇନ୍ସାଇଡର .ଇନ୍ ୱେବସାଇଟ୍ରେ ଅନ୍ଲାଇନ ଟିକଟ ବିକ୍ରି ଆରମ୍ଭ ହୋଇଥିଲା। ଦିନ ୧୧ଟାରୁ ଲିଙ୍କ୍ ମିଳିବ ବୋଲି କୁହା ଯାଇଥିବାରୁ କ୍ରିକେଟ୍ପ୍ରେମୀ ମୋବାଇଲ୍ ଫୋନ୍ ଓ କମ୍ପ୍ୟୁଟର ସମ୍ମୁଖରେ କେଇ ଘଣ୍ଟା ଅପେକ୍ଷା କରିଥିଲେ। ଦିନ ପ୍ରାୟ ୧.୪୫ ବେଳକୁ ଲିଙ୍କ୍ ଖୋଲିଥିଲେ ହେଁ ୫ ମିନିଟରୁ କମ୍ ସମୟରେ ସମସ୍ତ ଗ୍ୟାଲେରୀ ଟିକଟ ବିକ୍ରି ହୋଇ ଯାଇଥିଲା। ଏଥିରେ ଥିବା ଗ୍ୟାଲେରୀ ନଂ୨, ନଂ୪ ଓ ନଂ୭ର ମୋଟ ୪୭୨୦ଟି ଟିକଟ ବିକ୍ରି ହୋଇ ଯାଇଥିଲା। ଆଉ କିଛି ମିନିଟ ମଧ୍ୟରେ ଦାମୀ ଟିକଟ; ଅର୍ଥାତ୍; ନ୍ୟୁ ପ୍ୟାଭିଲିୟନର ପ୍ରଥମ ମହଲା, ସ୍ପେଶିଆଲ ଏନକ୍ଳୋଜର ବ୍ଲକ୍-ଏ ଓ ଏସି ବକ୍ସର ଟିକଟ ମଧ୍ୟ ସରି ଯାଇଥିଲା। ଯିଏ ସାମାନ୍ୟ ବିଳମ୍ବରେ ଆପ୍ କିମ୍ବା ୱେବ୍ସାଇଟ୍ ଖୋଲିଥିଲେ; ସେମାନଙ୍କୁ ନିରାଶ ମିଳିଥିଲା; କାରଣ ସେଥିରେ ଲେଖାଥିଲା ‘ସୋଲ୍ଡ ଆଉଟ୍’।
୫ ମିନିଟରେ ଅନ୍ଲାଇନ୍ ଟିକଟ ସରିଯିବାରୁ ସ୍ପଷ୍ଟ ଯେ କଟକର ଟ୍ବେଣ୍ଟି୨୦ ମ୍ୟାଚ୍କୁ ନେଇ ଓଡ଼ିଶା କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ କେତେ ଆଗ୍ରହ ରହିଛି। ପୂର୍ବରୁ ଏପରି କେବେ ବି ଦେଖିବାକୁ ମିଳିନଥିଲା। ଅଢ଼େଇ ବର୍ଷ ପରେ ବାରବାଟୀରେ ଦକ୍ଷିଣ ଆଫ୍ରିକା ପରି ଶକ୍ତିଶାଳୀ ଦଳ ଖେଳିବାକୁ ଆସୁଥିବାରୁ ଫଟାଫଟ୍ କ୍ରିକେଟ୍ ଦେଖିବାକୁ ଓଡ଼ିଶା କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ ଅତ୍ୟନ୍ତ ଉତ୍ସାହ ରହିଛି। ଅନ୍ଲାଇନରେ ଟିକଟ ବୁକ୍ କରୁଥିବା ଗ୍ରାହକ ଜୁନ୍ ୯ରୁ ୧୨ ମଧ୍ୟରେ ଭୁବନେଶ୍ବରର ରେଳବାଇ ଷ୍ଟାଡିୟମ ଓ କଟକର କେମ୍ବ୍ରିଜ୍ ସ୍କୁଲରୁ ଆବଶ୍ୟକ କାଗଜପତ୍ର ଦେଖାଇ ଟିକଟ ସଂଗ୍ରହ କରିପାରିବେ। ବାରବାଟୀ ଷ୍ଟାଡିୟମର କାଉଣ୍ଟରରେ ଜୁନ୍ ୯ ଓ ୧୦ରେ ଅଫ୍ଲାଇନ୍ ଟିକଟ ବିକ୍ରି କରାଯିବ। ଅନ୍ଲାଇନ୍ ଟିକଟ କିଣିବାକୁ ଏପରି ଆଗ୍ରହ ଦେଖିବା ପରେ ଅନୁମାନ କରାଯାଉଛି ଯେ କାଉଣ୍ଟରରୁ ଟିକଟ କିଣିବା ପାଇଁ କେତେ ଭିଡ଼ ଜମିବ।