ମୁମ୍ବଇ : ଦେଶର ସର୍ବବୃହତ୍ ବ୍ୟାଙ୍କ ଠକେଇ ଧରାପଡ଼ିଛି। ଦିୱାନ୍ ହାଉସିଂ ଫାଇନାନ୍ସ କର୍ପୋରେସନ୍ ଲିମିଟେଡ୍ ବା ଡିଏଚ୍ଏଫ୍ଏଲ ବ୍ୟାଙ୍କରେ ଏହି ଠକେଇ ହୋଇଛି। ଏହି ଠକେଇର ପରିମାଣ ୩୪ହଜାର ୬୧୪ କୋଟି ଟଙ୍କା। ଏହା ନିରବ ମୋଦି ମାମଲାଠାରୁ ତିନି ଗୁଣ ଅଧିକ। ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆଠାରୁ ଫେବୃଆରୀ ୧୧ରେ ଅଭିଯୋଗ ପାଇବା ପରେ ସିବିଆଇ ପ୍ରଥମ ଏତଲା ଦାୟର ସହ ତଦନ୍ତ ଆରମ୍ଭ କରିଥିଲା। ସିବିଆଇ ବୁଧବାର ସାନି ଏତଲା ଦାୟର କରିବା ସହ ମହାରାଷ୍ଟ୍ରର ୧୨ଟି ସ୍ଥାନରେ ଚଢ଼ଉ କରିଛି।
ଡିଏଚ୍ଏଫ୍ଏଲ ବ୍ୟାଙ୍କର ଦୁଇ ସଂସ୍ଥାପକ କପିଳ ୱାଧୱାନ୍ ଓ ଧୀରଜ ୱାଧୱାନ୍, ବ୍ୟବସାୟୀ ସୁଧାକର ସେଟ୍ଟୀ ଏବଂ ଅନ୍ୟ କେତେଜଣଙ୍କ ନାମରେ ସିବିଆଇ ମାମଲା ରୁଜୁ କରିଛି। ସେମାନେ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ନେତୃତ୍ବରେ ୧୭ଟି ବ୍ୟାଙ୍କକୁ ମିଶାଇ ଏକ ସଂଘ ଗଠନ କରିବା ସହ ଏହା ମାଧ୍ୟମରେ ଗୃହ ଋଣ ନେଇ ଶୁଝି ନ ଥିବା ଏଥିରେ ଦର୍ଶାଯାଇଛି। ସମ୍ପୃକ୍ତ ବ୍ୟାଙ୍କ ସଂଘକୁ ପ୍ରଭାବିତ କରି ଡିଏଚ୍ଏଫ୍ଏଲ ମୋଟ ୪୨ହଜାର ୮୭୧କୋଟି ଟଙ୍କାର ଋଣ ଉଠାଇଛନ୍ତି ଏବଂ ଏହାକୁ ବିନିଯୋଗ କରିବା ଆଳରେ ଆତ୍ମସାତ୍ କରିଛନ୍ତି। ପରବର୍ତ୍ତୀ ସମୟରେ ଋଣ ଶୁଝି ନାହାନ୍ତି। ୨୦୧୦ରୁ ୨୦୧୮ ମଧ୍ୟରେ ସେମାନେ ଏହି କାରବାର ଚଳାଇଥିଲେ। ୨୦୧୯ ମେ’ରେ ସେମାନଙ୍କ ଆକାଉଣ୍ଟ ଏନ୍ପିଏ (ନନ୍ ପରଫର୍ମିଂ ଆସେଟ୍) ବା ଅଚଳ ବୋଲି ଜଣାପଡ଼ିଥିଲା। ଏବେ ସୁଦ୍ଧା ୩୪ହଜାର ୬୧୫ କୋଟି ଟଙ୍କାର ଋଣ ପରିଶୋଧ ହୋଇ ନ ଥିବା ଏତଲାରୁ ଜଣାପଡ଼ିଛି। ଏମିତି କି ୨୦୨୦ ସୁଦ୍ଧା ୱାଧୱାନ୍ଙ୍କ ଭାଇଙ୍କ ଯୋଗୁଁ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର ୪୦ହଜାର ୬୨୩କୋଟି ଟଙ୍କା କ୍ଷତି ହୋଇଥିବା ଅଡିଟ୍ରୁ ଜଣାପଡ଼ିଛି। ଏ ନେଇ
ସିବିଆଇ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛି। କପିଲ ଓ ଧୀରଜ ଯଥାକ୍ରମେ ଏହି ସଂସ୍ଥାର ପରିଚାଳନା ନିର୍ଦେଶକ ଏବଂ ନିର୍ଦେଶକ ଥିଲାବେଳେ ଏହି ଠକେଇ ହୋଇଛି। ଏତଲାରେ ସେମାନଙ୍କ ବ୍ୟତୀତ ସ୍କାଇଲାର୍କ ବିଲ୍ଡକନ୍, ଦର୍ଶନ ଡେଭେଲପର୍ସ, ସିଗ୍ତିଆ କନ୍ଷ୍ଟ୍ରକ୍ସନ୍ସ ବିଲ୍ଡର୍ସ, ଟାଉନ୍ସିପ୍ ଡେଭେଲପର୍ସ, ଶିଶିର ରିୟଲିଟି, ସନ୍ବ୍ଲିଙ୍କ ରିୟଲ ଇଷ୍ଟେଟ୍, ଆମାରିଲିସ୍ ରିୟଲ୍ଟର୍ସ ଇତ୍ୟାଦି ୮ଟି ସଂସ୍ଥା ଓ ଏହାର ମାଲିକଙ୍କ ନାମ ରହିଛି। ସେମାନଙ୍କ ବିରୋଧରେ ଠକେଇ ଓ ଜାଲିଆତି ଦଫା ଲଗାଯାଇଛି।
ନିକଟରେ ସିବିଆଇ ମୁମ୍ବଇର ଏବିଜି ସିପ୍ୟାର୍ଡ ବିରୋଧରେ ୨୨ହଜାର ୮୪୨କୋଟି ଟଙ୍କାର ଠକେଇ ମାମଲା ରୁଜୁ କରିଛି। ଏହା ପୂର୍ବରୁ ୟେସ୍ ବ୍ୟାଙ୍କ ଠକେଇ ମାମଲାର ବିଚାର ଚାଲିଛି। ୟେସ୍ ବ୍ୟାଙ୍କ ସଂସ୍ଥାପକ ରାଣା କପୁରଙ୍କ ସହ ୱାଧୱାନ ଭାଇଙ୍କ ସମ୍ପର୍କ ରହିଥିବା ସିବିଆଇ ଦର୍ଶାଇଛି। ୟେସ୍ ବ୍ୟାଙ୍କ ଦୁର୍ନୀତିରେ ସେମାନେ ସମ୍ପୃକ୍ତ ଥିବା ନେଇ ସିବଆଇ ତଦନ୍ତ ଚାଲିଛି। ଏହି ମାମଲାରେ ସେମାନଙ୍କ ବିରୋଧରେ ୨୧୮ କୋଟି ଟଙ୍କାର ଜାଲିଆତି ଅଭିଯୋଗ ରହିଛି। ଦୁଇ ଭାଇ ସମ୍ପ୍ରତି ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଦ୍ବାରା ଗିରଫ ହୋଇ ଚେନ୍ନଇର ତାଲୋଜା କାରାଗାରରେ ବିଚାରାଧୀନ ବନ୍ଦୀ ଜୀବନ ବିତାଉଛନ୍ତି।