ଅଙ୍କିତାଙ୍କ ଅନ୍ତିମ ସଂସ୍କାର

ଫାଷ୍ଟ ଟ୍ରାକ୍ କୋର୍ଟରେ ବିଚାର

0

ନୂଆଦିଲ୍ଲୀ : ଅନେକ ବାଦ ବିବାଦ ମଧ୍ୟରେ ଅଙ୍କିତା ଭଣ୍ଡାରୀଙ୍କ ମୃତଦେହକୁ ରବିବାର ଅପରାହ୍ଣରେ ଅଳକାନନ୍ଦା ନଦୀର ଏନଆଇଟି ଘାଟରେ ଅନ୍ତିମ ସଂସ୍କାର କରାଯାଇଛି। ପ୍ରଥମରୁ ଅଙ୍କିତାଙ୍କ ପରିବାର ଲୋକ ଅନ୍ତିମ ସଂସ୍କାର ନିମନ୍ତେ ରାଜି ହୋଇ ନଥିବା ବେଳେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ହସ୍ତକ୍ଷେପ ପରେ ସେମାନେ ରାଜି ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ ଅଙ୍କିତାଙ୍କ ହତ୍ୟା ଘଟଣାର ବିଚାର ଫାଷ୍ଟ୍ର ଟ୍ରାକ କୋର୍ଟରେ କରାଯିବ। ଏହା ସହିତ ଘଟଣାର ତଦନ୍ତ ଏସଆଇଟି ଦ୍ବାରା କରାଯିବ। ଅଙ୍କିତାଙ୍କ ଶବ ବ୍ୟବଚ୍ଛେଦର ଚୂଡାନ୍ତ ରିପୋର୍ଟ ସାର୍ବଜନୀନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହା ପୂର୍ବରୁ ଅଙ୍କିତାଙ୍କ ହତ୍ୟାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରବିବାର ହଜାର ହଜାର ଲୋକ ବଦ୍ରିନାଥ-ଋଷିକେଶ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଏହା ସହିତ ଅଙ୍କିତାଙ୍କ ଶବ ରଖାଯାଇଥିବା ଶବାଗାର ନିକଟରେ ମଧ୍ୟ ସାଧାରଣ ଜନତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅଙ୍କିତାଙ୍କ ମୃତ୍ୟୁ ପ୍ରତିବାଦରେ ଉତ୍ତରାଖଣ୍ଡରେ ଦୋକାନ ବଜାର ବନ୍ଦ ରହିଥିଲା ା ଏପରିକି ଅଙ୍କିତାଙ୍କ ମୃତ୍ୟୁକୁ ନେଇ ଦିଲ୍ଲୀରେ ମଧ୍ୟ ପ୍ରତିବାଦ ଆରମ୍ଭ ହୋଇଛି ା ଅଙ୍କିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ପରିବାର ଲୋକ ବିରୋଧ କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଅଙ୍କିତାଙ୍କ ମୃତ୍ୟୁ ପାଣିରେ ବୁଡିବା ଯୋଗୁଁ ହୋଇଥିବା ଉଲ୍ଲେଖ କରାଯାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ବିରୋଧ କରି ପରିବାର ଲୋକ ଅଙ୍କିତାଙ୍କ ଶବ ସଂସ୍କାର କରିବାକୁ ମନା କରିଥିଲେ। ତେବେ ପ୍ରାଥମିକ ରିପୋର୍ଟ ମୃତ୍ୟୁକୁ ପାଣିରେ ବୁଡିବା ଜନିତ ଦର୍ଶାଇ ଯାଇଥିବାବେଳେ ଏହାର ଚୂଡାନ୍ତ ରିପୋର୍ଟ ପରବର୍ତ୍ତୀ ସମୟରେ ସାର୍ବଜନୀନ କରାଯିବ ବୋଲି କୁହାଯାଇଥିଲା। ଅଙ୍କିତାଙ୍କ ହତ୍ୟାକୁ ନେଇ ସମଗ୍ର ଉତ୍ତରାଖଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଦାବି ହୋଇଛି।
ବିଜେପିର ନିଲମ୍ବିତ ନେତା ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ୍ ଆର୍ଯ୍ୟଙ୍କ ମାଲିକାନାଧୀନ ରିସର୍ଟରେ ଅଙ୍କିତା (୧୯) ରିସେପ୍‌ସନିଷ୍ଟ ଭାବେ କାର୍ଯ୍ୟ କରୁଥିଲେ। ତିନି ଦିନ ତଳେ ସେ ସନ୍ଦେହଜନକ ଭାବେ ନିଖୋଜ ହୋଇ ଯାଇଥିବାବେଳେ ଶନିବାର ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଅଙ୍କିତାଙ୍କୁ ରିସର୍ଟକୁ ଆସୁଥିବା ଗ୍ରାହକଙ୍କ ସହିତ ଅନୈତିକ ସମ୍ପର୍କ ରଖିବାକୁ ମାଲିକ ପୁଲକିତ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। ଅନୈତିକ ସମ୍ପର୍କ ନିମନ୍ତେ ଅଙ୍କିତା ରାଜି ନ ହେବାରୁ ତାଙ୍କୁ ହତ୍ୟା କରି ଏକ କେନାଲରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ ବିଜେପି ପୁଲକିତଙ୍କ ପିତା ବିନୋଦ ଓ ଭାଇକୁ ଦଳରୁ ନିଲମ୍ବନ କରିଛି। ଅନ୍ୟପଟେ ଅଙ୍କିତାଙ୍କ ହତ୍ୟାର ତଦନ୍ତ ନିମନ୍ତେ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ରିସର୍ଟର କର୍ମଚାରୀଙ୍କୁ ପଚରାଉଚରା କରିଛି।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More