ଆଜିଠୁ ଓଡ଼ିଶାରେ 5G ସେବା ଆରମ୍ଭ ହୋଇଛି। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱରରୁ ଏହାକୁ ଲୋକାର୍ପଣ କରିଛନ୍ତି। ଓଡ଼ିଶାରେ 5G ସେବା ଯୋଗାଇବାକୁ ସବୁ ପ୍ରସ୍ତୁତି ସରିଛି। ଏଥିପାଇଁ ୨ ଟେଲିକମ ଅପରେଟର୍ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍ କୁ ଅନୁମତି ମିଳିଛି।ପ୍ରଥମେ ରାଜ୍ୟର ମୁଖ୍ୟ ସହର ଗୁଡ଼ିକ 5G ନେଟଓ୍ୱର୍କ ସହ ଯୋଡ଼ି ହେବାକୁ ଥିବାବେଳେ, ଧୀରେ ଧୀରେ ଗ୍ରାମାଞ୍ଚଳରେ ମଧ୍ୟ ଏହା ଉପଲବ୍ଧ ହେବ ବୋଲି ସୂଚନା ମିଳିଛି।
ଆଜି ଉଭୟ ଜିଓ ଏବଂ ଏୟାରଟେଲ୍ ପକ୍ଷରୁ ଟ୍ୱିନ୍ସିଟି ଭୁବନେଶ୍ୱର ଓ କଟକରେ 5G ସେବା ଆରମ୍ଭ ହୋଇଛି। ଜିଓ କିଛି ସପ୍ତାହ ଭିତରେ ଆଉ ୫ଟି ସହରରେ 5G ଆରମ୍ଭ କରିବ। ଫାଇଭ୍-ଜି ସେବା ଯୋଗାଇଦେବାକୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୧୦ଟି ବିଟିଏସ୍ ବା ବେସ୍ ଟ୍ରାନ୍ସିଭର୍ ଷ୍ଟେସନ ଲଗାଯାଇଛି। କୁହାଯାଉଛି, 4G ତୁଳନାରେ ୧୦ ଗୁଣ ଅଧିକ ରହିବ 5G ଇଣ୍ଟରନେଟ ସ୍ପିଡ୍।