୪୪ ଲକ୍ଷରେ ସରପଞ୍ଚ ପଦ ନିଲାମ

lokasakti bureau

0

ବଲାଙ୍ଗିର, (କାର୍ଯ୍ୟାଳୟ): ବଲାଙ୍ଗିର ଜିଲାରେ ତ୍ରିସ୍ତରୀୟ ନିର୍ବାଚନ ପାଇଁ ଆଜି ଥିଲା ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନ। ତେବେ ଗତକାଲି ରବିବାର ବଲାଙ୍ଗିର ଜିଲା ପୁଇଁନ୍ତଲା ବ୍ଲକ ବିଲେଇସର୍ଡା ଗ୍ରାମ ପଞ୍ଚାୟତର ବୈଠକ ବସି ସରପଞ୍ଚ କିଏ ହେବ ସେଥିପାଇଁ ନିଲାମ ଡକାଯିବା ଚର୍ଚ୍ଚାର ବିଷୟ ହୋଇଛି। ଉକ୍ତ ବୈଠକରେ ଅନ୍ୟ କୌଣସି ପ୍ରାର୍ଥୀ ସରପଞ୍ଚ ପଦ ପାଇଁ ନିର୍ବାଚନ ଲଢିବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଜଣେ ସରପଞ୍ଚ ପ୍ରାର୍ଥୀ ପ୍ରଚାର ପ୍ରସାର ପାଇଁ ୨ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ନିୟମ ଥିଲା ବେଳେ ବିଲେଇସର୍ଡା ପଞ୍ଚାୟତରବିଲେଇସର୍ଡା ଗାଁରେ ହୋଇଥିବା ବୈଠକରେ ହିସାବ ଛିଣ୍ଡିଛି ୪୪ ଲକ୍ଷ ୧୦ ହଜାର ଟଙ୍କାରେ ସରପଞ୍ଚ ପଦ। ଆଉ ଏହି ଟଙ୍କା ଗାଁରେ ଥିବା ଜଗନ୍ନାଥ ମନ୍ଦିରର ଉନ୍ନତିକରଣ ତଥା ଅନ୍ୟାନ୍ୟ ଉନ୍ନୟନ କାମରେ ଖର୍ଚ୍ଚ କରାଯିବ। ସୂଚନା ଅନୁସାରେ ବିଲେଇସର୍ଡା ପଞ୍ଚାୟତ ବିଲେଇସର୍ଡା, ବନ୍ଧନକଟା ଓ କଶ୍ରୁପାଲି ଗାଁକୁ ନେଇ ଗଠିତ। ପଞ୍ଚାୟତରେ ୧୫ଟି ୱାର୍ଡ ରହିିଥିବା ବେଳେ ୨ହଜାର ଲୋକ ବସବାସ କରୁଛନ୍ତି। ପଞ୍ଚାୟତର ସରପଞ୍ଚ ପଦ ଅଣସଂରକ୍ଷିତ ଥିବା ବେଳେ ସମିତି ସଭ୍ୟ ପଦ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି। ରବିବାର ବିଲେଇସର୍ଡା ଓ ଅନ୍ୟ ୨ଟି ଗାଁର ପ୍ରମୁଖ ଲୋକଙ୍କୁ ନେଇ ବୈଠକ ବସିଥିଲା। ୭ଲକ୍ଷ ଟଙ୍କାରୁ ସରପଞ୍ଚ ପଦ ପାଇଁ ନିଲାମ ଡକାଯାଇଥିଲା। ୪ଜଣ ଆଶାୟୀ ପ୍ରାର୍ଥୀ ରହିଥିଲେ। ନିଲାମ ଟଙ୍କା ଜଗନ୍ନାଥ ମନ୍ଦିର କମିଟି ପାଣ୍ଠିକୁ ଯିବ ବୋଲି ବିଲେଇସର୍ଡା ଗାଁର ଦୀନବନ୍ଧୁ ଗଡତ୍ୟା ସୂଚନା ଦେଇଛନ୍ତି। ବିଲେଇସର୍ଡାର ସୁଶାନ୍ତ ଛତ୍ରି୍ଆ ସର୍ବାଧିକ ୪୪ଲକ୍ଷ ୧୦ ହଜାର ଟଙ୍କା ନିଲାମ ଡାକି ସରପଞ୍ଚ ପଦ ପାଇଁ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଶ୍ରୀ ଛତ୍ରି୍ଆ କହିଛନ୍ତି ଯେ, ୪୪ ଲକ୍ଷ ନୁହେଁ; ୪୪ ହଜାର ଟଙ୍କାରେ ସେ ନିଲାମ ନେଇଛନ୍ତି। ସରପଞ୍ଚ ପ୍ରାର୍ଥୀ ନିର୍ବାଚନ କମିଶନଙ୍କ ଖର୍ଚ୍ଚ ଠାରୁ ଅଧିକ ଅର୍ଥ ଖର୍ଚ୍ଚ କରୁଥିବାରୁ ଏହାକୁ ବନ୍ଦ କରିବା ପାଇଁ ଏଭଳି କରାଯାଇଥିବା ସେ ଦର୍ଶାଇଛନ୍ତି। ପଞ୍ଚାୟତର ସମସ୍ତ ଲୋକେ ଏକତ୍ରିତ ହୋଇ ଏଭଳି ନିଷ୍ପତ୍ତି ନେଇଛନ୍ତି | ତାଙ୍କୁ ସରପଞ୍ଚ କରିବା ପାଇଁ ପଞ୍ଚାୟତବାସୀ ସହମତି ପ୍ରକାଶ କରିଥିବା ଶ୍ରୀ ଛତ୍ରିଆ ପ୍ରକାଶ କରିଛନ୍ତି |

ସରପଞ୍ଚ ପଦ ପାଇଁ ୪ଜଣ ଆଶାୟୀ ରହିଥିବା ବେଳେ ଶ୍ରୀ ଛତ୍ରିଆ ସର୍ବାଧିକ ନିଲାମ ଡାକି ଏକମାତ୍ର ପ୍ରାର୍ଥୀ ହେବେ ବୋଲି ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଗାଁର ବିରେନ୍ଦ୍ର ପଣ୍ଡା କହିଛନ୍ତି ଯେ, ଜଗନ୍ନାଥ ମନ୍ଦିର କମିଟି ମୁଷ୍ଟିମେୟ ଲୋକଙ୍କ ଦ୍ୱାରା ପରିଚାଳିତ ହେଉଥିବା ବେଳେ ସେମାନଙ୍କ ନିଷ୍ପତ୍ତି ପଞ୍ଚାୟତର ଲୋକେ ପାଳନ କରିବାକୁ ବାଧ୍ୟ ହୋଇପଡିଛନ୍ତି। ଫଳରେ ଭୋଟଦାନ ଅଧିକାର ଓ ଲୋକମତକୁ ଭଣ୍ଡୁର କରିବାକୁ ଯୋଜନା କରାଯାଉଥିବା ଶ୍ରୀ ପଣ୍ଡା କହିଛନ୍ତି | ଏହି ମର୍ମରେ ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣାଙ୍କ ମତ ହେଉଛି ଯେ, ଏ ସମ୍ପର୍କରେ ସେ ଅବଗତ ନୁହନ୍ତି ଘଟଣା ନେଇ ଅନୁସନ୍ଧାନ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଠିକ୍‌ ଭାବେ ନିର୍ବାଚନ ପରିଚାଳନା ଆମ ଦାୟିତ୍ୱ ବୋଲି ଜିଲାପାଳ ଶ୍ରୀ ରାଣା କହିଛନ୍ତି। ସୂଚନାଯୋଗ୍ୟ ଯେ, ରୀତା ବଢିଆ ମଧ୍ୟ ବିନା ପ୍ରତିଦ୍ୱନ୍ଦିତାରେ ୨୦୧୭ରେ ଏଠାରୁ ସରପଞ୍ଚ ନିର୍ବାଚିତ ହୋଇଥିଲେ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More