ଭାରତ-ଅଷ୍ଟ୍ରେଲିଆ ୩ୟ ଟି-୨୦ ଲଢ଼େଇ ଆଜି

0

ହାଇଦରାବାଦ : ବର୍ଷା ବାଧାପ୍ରାପ୍ତ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଅକ୍ଷର ପଟେଲଙ୍କ ଚମତ୍କାର ବୋଲିଂ ଓ ଅଧିନାୟକ ରୋହିତ ଶର୍ମାଙ୍କ ଶକ୍ତିଶାଳୀ ପ୍ରହାର ବଳରେ ଅଷ୍ଟ୍ରେଲିଆକୁ ଭାରତ ପରାସ୍ତ କରିଛି। ୫ ବର୍ଷ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ମାଟିରେ ଭାରତ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ ଜିତି ଶୃଙ୍ଖଳା ପରାଜୟରୁ ବଞ୍ଚିପାରିଛି। ଶୃଙ୍ଖଳା ଏବେ ୧-୧ ସ୍ଥିତିରେ ଥିବା ବେ​‌େ​‌ଳ ନିର୍ଣ୍ଣାୟକ ୩ୟ ଟି-୨୦ ରବିବାର ଏଠା‌ରେ ଖେଳାଯିବ। ବିଶ୍ବକପ୍‌ ପୂର୍ବରୁ ବିଶ୍ବ ଚମ୍ପିଆନ୍ ଅଷ୍ଟ୍ରେଲିଆ ବିପକ୍ଷରେ ୧ନଂ ଦଳ ଭାରତର ଶୃଙ୍ଖଳା ବିଜୟ ଏହା ପାଇଁ ଟନିକ୍‌ ପରି ହେବ। ୪ ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ବେ ଅଦ୍ୟାବଧି ଲଢ଼ୁଆ କ୍ରିକେଟ୍‌ ଖେଳିଥିବା କଙ୍ଗାରୁଦଳ ମଧ୍ୟ ସମାନ ଲକ୍ଷ୍ୟ ରଖିଛି।
୮ ଓଭରର ମ୍ୟାଚ୍‌ରୁ କୌଣସି ଦଳର ସାମର୍ଥ୍ୟ ବା ଦୁର୍ବଳତା ପରଖିବା ସମ୍ଭବ ନୁହେଁ। ଭାରତ ଋଷଭ ପନ୍ତ୍‌ଙ୍କୁ ଅତିରିକ୍ତ ବ୍ୟାଟ୍‌ସମ୍ୟାନ୍‌ ଭାବେ ଖେଳାଇଥିଲେ ହେଁ ତାଙ୍କୁ କ୍ରିଜ୍‌କୁ ଆସିବା ଆବଶ୍ୟକ ପଡ଼ିନଥିଲା। ଭାରତ ୪ ବିଶେଷଜ୍ଞ ବୋଲରଙ୍କୁ ଖେଳାଇଥିବା ବେଳେ ୫ମ ବୋଲର ଥିଲେ ହାର୍ଦିକ ପାଣ୍ଡ୍ୟା। ହେଲେ ୨୦ ଓଭରର ମ୍ୟାଚ୍‌ରେ ଭାରତକୁ ଏହି ରଣନୀତି ମହଙ୍ଗା ପଡ଼ିପାରେ। ଅଷ୍ଟ୍ରେଲିଆ ଅତରିକ୍ତ ବୋଲର ଖେଳାଇଥିଲେ​‌ ହେଁ ଏହା ସଫଳ ହୋଇନଥିଲା। ଅଷ୍ଟ୍ରେଲିଆ ପାଇଁ ଏହା ଖୁସିର ଖବର ଯେ ଅଧିନାୟକ ଆରୋନ୍ ଫିଞ୍ଚ୍‌ ଫର୍ମକୁ ଫେରିଛନ୍ତି ଏବଂ ମାଥ୍ୟୁ ୱେଡ୍‌ ଉଭୟ ମ୍ୟାଚ୍‌ରେ ବିସ୍ଫୋରକ ଇନିଂସ ଖେଳିଛନ୍ତି। ଆଡାମ୍ ଜାମ୍ପା କ୍ରମାଗତ ୨ୟ ମ୍ୟାଚ୍‌ରେ ଚମତ୍କାର ବୋଲିଂ ଦ୍ବାରା ପ୍ରମାଣ କରିଛନ୍ତି ଯେ ସେ ବିଶ୍ବର ୧ନଂ ଲେଗ୍‌ସ୍ପିନର। ତେବେ ଶେଷ ଓଭରର ବୋଲିଂ ଉଭୟ ଦଳର ସମସ୍ୟା। ନାଥାନ୍ ଏଲିସ୍ ଓ କେନ୍ ରିଚାର୍ଡସନ୍ ଆହତ ହେବା ଏବଂ ବିଶ୍ବର ଦୁଇ ଶ୍ରେଷ୍ଠ ଫାଷ୍ଟବୋଲର ଜୋସ୍ ହାଜେଲଉଡ୍‌ ଓ ପ୍ୟାଟ୍‌ କମିନ୍‌ସ ଉଭୟ ମ୍ୟାଚ୍‌ରେ ଅତ୍ୟଧିକ ରନ୍‌ ଦେଇଛନ୍ତି। ପ୍ରଥମ ଟି୨୦​‌େ​‌ର ଭୁବନେଶ୍ବର କୁମାର ଓ ହର୍ଷଲ ପଟେଲ ଶେଷ ଓଭରରେ ଅତ୍ୟଧିକ ରନ୍‌ ଦେଇଥିବା ବେଳେ ନାଗପୁରରେ ହର୍ଷଲ ଦଳର ସବୁଠାରୁ ମହଙ୍ଗା ବୋଲର ପ୍ରମାଣିତ ହୋଇଥିଲେ। ବିଶେଷକରି ହର୍ଷଲଙ୍କ ପାଇଁ ଉଭୟ ମ୍ୟାଚ୍‌ରେ ମାଥ୍ୟୁ ୱେଡ୍‌ ଦୁଃସ୍ବପ୍ନ ପାଲଟିଛନ୍ତି। ୨୦୨୧ ବିଶ୍ବକପ ସେମିଫାଇନାଲରୁ ଅଦ୍ୟାବଧି ଟ୍ବେଣ୍ଟି୨୦ରେ ୱେଡ୍‌ ମାତ୍ର ଥରେ ଆଉଟ୍‌ ହୋଇ ୧୭୮.୧୨ ଷ୍ଟ୍ରାଇକ୍‌ରେଟ୍‌ରେ ରନ୍‌ କରିଛନ୍ତି। କାକରର ପ୍ରଭାବ ହର୍ଷଲଙ୍କ ଉପରେ ପଡ଼ିଛି। ଅବଶ୍ୟ ଅଷ୍ଟ୍ରେଲିଆରେ ଏହି ସମସ୍ୟା ରହିବ ନାହିଁ। ଗତ ୭ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ରୁ କମିନ୍‌ସ ଓଭର୍ ପିଛା ୧୦.୯୧ ରନ୍‌ ବ୍ୟୟ କରିଛନ୍ତି। କେବଳ ଗୋଟିଏ ମ୍ୟାଚ୍‌ରେ କମିନ୍‌ସ ୧୦ରୁ କମ୍‌ ରନ୍‌ ଦେଇଛନ୍ତି। ଅଷ୍ଟ୍ରେଲିଆର ଆଶା ଯେ ଏହାର ଟେଷ୍ଟ ଅଧିନାୟକ କମିନ୍‌ସ ଟି୨୦ କ୍ରିକେଟ୍‌ରେ ବୋଲିଂ ଫର୍ମକୁ ଫେରିବେ। ହାଇଦରାବାଦ ମ୍ୟାଚ୍‌ରେ ଭାରତୀୟ ଏକାଦଶରେ ଏକାଧିକ ପରିବର୍ତ୍ତନ ନିଶ୍ଚିତ। ଋଷଭ ପନ୍ତ୍‌ଙ୍କୁ ତାଙ୍କ ସ୍ଥାନ ଛାଡ଼ିବାକୁ ପଡ଼ିପାରେ। ତାଙ୍କ ସ୍ଥାନରେ ଭୁବନେଶ୍ବର କୁମାର ଫେରିବେ। ପୁଣି ୟୁଜବେନ୍ଦ୍ର ଚହଲ ଅଧିକ ରନ୍‌ ଦେଉଥିବାରୁ ଅଧିକ ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ବିନ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଖେଳିପାରନ୍ତି। ଅଷ୍ଟ୍ରେଲିଆ ଅତିରିକ୍ତ ବ୍ୟାଟ୍‌ସମ୍ୟାନ ଭାବେ ଜୋସ୍‌ ଇଙ୍ଗ୍‌ଲିସଙ୍କୁ ଖେଳାଇବ। ଫଳରେ ଡାନିଏଲ୍‌ ସାମ୍‌ସ କିମ୍ବା ସନ୍ ଆବଟ୍‌ଙ୍କୁ ବସିବାକୁ ପଡ଼ିବ। ତେବେ ଏଲିସ୍‌ ଫିଟ୍‌ ହେଲେ ସାମ୍‌ସ ଓ ଆବଟ୍‌ ଉଭୟେ ବାହାରେ ବସିପାରନ୍ତି। ହାଇଦରାବାଦ ପିଚ୍‌ରେ ବୋଲରଙ୍କ ପାଇଁ କିଛି ନାହିଁ। ପୁଣି ଏକ ବଡ଼ ସ୍କୋର୍‌ର ମ୍ୟାଚ୍‌ ଦେଖିବାକୁ ପଡ଼ିପାରେ। ଏଠାରେ ବିରାଟ କୋହଲିଙ୍କ ଟ୍ବେଣ୍ଟି୨୦ ରେକର୍ଡ ବହୁତ ଭଲ। ୨୮ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟ୍ବେଣ୍ଟି୨୦ ଶୃଙ୍ଖଳା ପୂର୍ବରୁ ଭାରତ ଏହି ଶୃଙ୍ଖଳା ଜିତିବାକୁ ନିଶ୍ଚିତ ଚାହିଁବ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More