ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟ୍ବେଣ୍ଟି୨୦ ଆଜି

0

ମୋହାଲି: ଆସନ୍ତାମାସର ଟ୍ବେଣ୍ଟି୨୦ ବିଶ୍ବକପ୍‌ ଲାଗି ପ୍ରସ୍ତୁତ ହେବା ପାଇଁ ଭାରତ ଆଉ ୬ଟି ଟି୨୦ ମ୍ୟାଚ୍‌ ଖେଳିବ। ଏହା ପୁଣି ବିଶ୍ବର ୨ ଶ୍ରେଷ୍ଠ ଦଳ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ। ଘରୋଇମାଟିରେ ଭାରତ ଏହି ୨ ଦଳଙ୍କ ବିପକ୍ଷରେ ୩ଟି ଲେଖାଏଁ ଟ୍ବେଣ୍ଟି୨୦ ମ୍ୟାଚ୍‌ର ଶୃଙ୍ଖଳା ଖେଳିବ। ମଙ୍ଗଳବାର ବିଶ୍ବ ଚମ୍ପିଆନ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବ। ଏସିଆ କପ୍‌ର ନିରାଶ ପରେ ଲୟକୁ ଫେରିବା ଲାଗି ଭାରତ ନିକଟରେ ଏହା ବଡ଼ ସୁଯୋଗ। ପୁରୁଣା ରେକର୍ଡ ଏବଂ ବର୍ତ୍ତମାନ ଉଭୟ ଦଳର ସାମର୍ଥ୍ୟକୁ ଦେଖିଲେ ଏହି ଶୃଙ୍ଖଳା ଜିତିବା ଲାଗି ଭାରତ ବଡ଼ ଦାବିଦାର। ପୁଣି ଭାରତ ଘରୋଇମାଟିରେ ଖେଳିବାର ସୁବିଧା ମଧ୍ୟ ପାଇବ। ତେବେ ଭାରତକୁ ଚକିତ କରିବାର ଦକ୍ଷତା ଅଷ୍ଟ୍ରେଲିଆର ରହିଛି ବୋଲି ସ୍ବୀକାର କରିବାକୁ ପଡ଼ିବ। ଏକାଧିକ ଟି୨୦ ବିଶେଷଜ୍ଞ ଦଳରେ ଅଛନ୍ତି।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୋଟ ୨୩ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯାଇଛି। ସେଥିରୁ ଭାରତ ୧୩ଟି ଓ ଅଷ୍ଟ୍ରେଲିଆ ୯ଟି ମ୍ୟାଚ୍‌ ଜିତିଛନ୍ତି। ବୋଧହୁଏ ଚଳିତବର୍ଷ ଭାରତ ପୂର୍ଣ୍ଣ ଶକ୍ତିରେ ଏକ ଆନ୍ତର୍ଜାତିକ ଶୃଙ୍ଖଳା ଖେଳିବାକୁ ଯାଉଛି। କେବଳ ଆହତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଦଳରେ ନାହାନ୍ତି। ମହମ୍ମଦ ସାମି କରୋନା ସଂକ୍ରମିତ ହୋଇ ଶୃଙ୍ଖଳାରୁ ବାଦ୍‌ ପଡ଼ିଛନ୍ତି। ହେଲେ ସାମି ବିଶ୍ବକପ୍‌ ଦଳରେ ନଥିବାରୁ ଉକ୍ତ ଟୁର୍ଣ୍ଣାମେଣ୍ଟ ପାଇଁ ମନୋନୀତ ଭାରତୀୟ ଦଳ ଏହି ଶୃଙ୍ଖଳାରେ କଙ୍ଗାରୁ ଦଳର ମୁକାବିଲା କରିବ। ଭାରତ ପୂର୍ଣ୍ଣ ଶକ୍ତିରେ ଥିଲେ ମଧ୍ୟ ବିଶ୍ବକପ୍‌କୁ ଦୃଷ୍ଟିରେ ରଖି ଅଳ୍ପ କିଛି ପରୀକ୍ଷା ନିରୀକ୍ଷା ସମ୍ଭାବନାକୁ ଏଡ଼ାଇ ଦିଆ ଯାଇପାରିବ ନାହିଁ। କିଛି ମ୍ୟାଚ୍‌ରେ ବିରାଟ କୋହଲି ଓପନ୍‌ କରିପାରନ୍ତି। ଏସିଆ କପ୍‌ରେ ଓପନ୍‌ କରି କୋହଲି ଜୀବନର ପ୍ରଥମ ଟ୍ବେଣ୍ଟି୨୦ ଶତକ ମାରିଥିଲେ। ତେବେ ଅଧିନାୟକ ରୋହ​ିତ ଶର୍ମା ସ୍ପଷ୍ଟ କରି ସାରିଛନ୍ତି ଯେ କେ.ଏଲ୍‌. ରାହୁଲ ଦଳର ପ୍ରଥମ ପସନ୍ଦର ଓପ୍‌ନର।
ପୁଣି ଦୀପକ ହୁଡା ନା ଦିନେଶ କାର୍ତ୍ତିକ ମଧ୍ୟକ୍ରମରେ ଖେଳିବେ; ତା’ର ଉତ୍ତର ଏହି ଶୃଙ୍ଖଳାରୁ ପାଇବାକୁ ଭାରତୀୟ ଦଳ ପ୍ରୟାସ କରିବ। ଜାଡ଼େଜାଙ୍କ ଅନୁପସ୍ଥିତିରେ କାର୍ତ୍ତିକଙ୍କୁ ଫିନିସର ଭୂମିକା ଦିଆ ଯାଇପାରେ। ଗତ ଏସିଆ କପ୍‌ରେ ପ୍ରାୟ ବ୍ୟାଟିଂ ପାଇନଥିବା କାର୍ତ୍ତିକ ଏହି ୬ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରି ବିଶ୍ବକପ୍‌ ପାଇଁ ଭାରତୀୟ ଏକାଦଶ​‌େ​‌ର ସ୍ଥାନ ନିଶ୍ଚିତ କରିବାକୁ ଚାହିଁବେ। ଯଶପ୍ରୀତ ବୁମ୍‌ରା ଓ ହର୍ଷଲ ପଟେଲ ଦଳକୁ ଫେରିଥିବାରୁ ଭାରତର ବୋଲିଂ ଆକ୍ରମଣ ମଜ୍‌ଭୁତ ହୋଇଯାଇଛି। ସେମାନଙ୍କ ସହ ଭୁବନେଶ୍ବର କୁମାର ଓ ହାର୍ଦିକ ପାଣ୍ଡ୍ୟା ପେସ୍‌ ବୋଲିଂ ଦାୟିତ୍ବ ସମ୍ଭାଳିବେ। ୟୁଜବେନ୍ଦ୍ର ଚହଲ ଓ ଅକ୍ଷର ପଟେଲ ସ୍ପିନ୍‌ ଆକ୍ରମଣର ଦାୟିତ୍ବ ସମ୍ଭାଳିବେ।

ଅଷ୍ଟ୍ରେଲିଆର ପରିବେଶ ଓ ପିଚ୍‌ ଭାରତଠାରୁ ସମ୍ପୂର୍ଣ୍ଣ ଭିନ୍ନ। ତେଣୁ ଚୂଡ଼ାନ୍ତ ଏକାଦଶ ବାଛିବା ବେଳେ ଭାରତୀୟ ଦଳ ମ୍ୟାନେଜମେଣ୍ଟକୁ ଏହାକୁ ଦୃଷ୍ଟିରେ ରଖିବାକୁ ପଡ଼ିବ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ତା’ର ୪ ପ୍ରମୁଖ ଖେଳାଳିଙ୍କ ବିନା ଭାରତ ଗସ୍ତରେ ଆସିଛି। ଓପ୍‌ନର ଡେଭିଡ୍‌ ୱାର୍ଣ୍ଣର ଶୃଙ୍ଖଳାରୁ ଓହରି ଯାଇଥିବାରୁ ଫାଷ୍ଟବୋଲର ମିଚେଲ ଷ୍ଟାର୍କ ଏବଂ ଦୁଇ ଅଲ୍‌ରାଉଣ୍ଡର ମିଚେଲ ମାର୍ଶ ଓ ମାର୍କସ ଷ୍ଟୋଇନିସ୍‌ ଆହତ ହୋଇ ଭାରତ ଆସିନାହାନ୍ତି। ମାର୍ଶଙ୍କ ସ୍ଥାନରେ ଷ୍ଟିଭେନ୍ ସ୍ମିଥ୍ ଖେଳିପାରନ୍ତି। ତେବେ ସମସ୍ତଙ୍କ ନଜର ରହିବ ଅଧିନାୟକ ଆରୋନ୍ ଫିଞ୍ଚ୍‌ଙ୍କ ଉପରେ। ଦିନିକିଆରୁ ଅବସର ନେଇ ସାରିଥିବା ଫିଞ୍ଚ୍‌ ଫର୍ମରେ ନାହାନ୍ତି। ବିଶ୍ବକପ୍‌ରେ ଫିଞ୍ଚ୍‌ ଦଳର ନେତୃତ୍ବ ନେବାକୁ ଯାଉଥିବା ବେଳେ ସେ କିଛି ରନ୍‌ କରି ଫର୍ମକୁ ଫେରିବାକୁ ଚାହିଁବେ। ଫିଞ୍ଚ୍‌ଙ୍କ ସହ ଜୋସ୍ ଇଙ୍ଗ୍‌ଲିସ୍‌ ଇନିଂସ ଓପନ୍‌ କରିବେ। ସିଙ୍ଗାପୁର ପାଇଁ ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିଥିବା ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍ ଟିମ୍‌ ଡେଭିଡ୍‌ଙ୍କ ଉପରେ ମଧ୍ୟ ନଜର ରହିବ। ଏହି ଶୃଙ୍ଖଳାରେ ଡେଭିଡ୍‌ ଅଷ୍ଟ୍ରେଲିଆ ପାଇଁ ପଦାର୍ପଣ କରିପାରନ୍ତି। ଗ୍ଲେନ୍‌ ମ୍ୟାକ୍ସୱେଲଙ୍କୁ ରୋକିବା ଭାରତ ପାଇଁ ଆହ୍ବାନ ହେବ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More