ପ୍ରକାଶ ପାଇଲା ମାଟ୍ରିକ୍ ଫଳ । ପାସ ହାର ୭୦.୭୮ % ହୋଇଥିଲା ବେଳେ ୧୧୮୧ ପରୀକ୍ଷାର୍ଥୀ ଏ-୧ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଥର ପରୀକ୍ଷାରେ ବାଜି ମାରିଛନ୍ତି ଝିଅ । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍, ମଧ୍ୟମା (ସଂସ୍କୃତ ଟୋଲ) ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି ।
କଟକସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ସକାଳ ୯ଟାରେ ଗଣଶିକ୍ଷା ବିଭାଗ କମିସନର ପ୍ରଦୀପ ମହାପାତ୍ର ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି । ଏହି ସମୟରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀ, ବୋର୍ଡ ସଭାପତି ଡକ୍ଟର ଜାହାନ୍ ଆରା ବେଗମ୍ ଉପସ୍ଥିତ ଥିଲେ ।
ଏ ବର୍ଷ ପାସ୍ ହାର ୭୦.୭୮ % ଥିବା ଜଣାଯାଇଛି ।
ଗତ ବର୍ଷ ତୁଳନାରେ ଏଥର କମ୍ ସଂଖ୍ୟକ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ୨୮୯ଟି ହାଇସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ଅପରପକ୍ଷରେ ୮୨ଟି ହାଇସ୍କୁଲରେ କେହି ଜଣେ ବି ପରୀକ୍ଷାର୍ଥୀ ପାସ୍ କରି ନାହାନ୍ତି ।
୧୧୮୧ ପରୀକ୍ଷାର୍ଥୀ A-1 ଗ୍ରେଡ୍ରେ ପାସ୍ କରିଛନ୍ତି ।
ସେହିଭଳି A-2ରେ ୯୯୩୮ ଓ B-1ରେ ୨୪୯୯୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଥିସହ B2ରେ ୪୬,୩୧୯ , Cରେ ୭୬, ୧୩୯, Dରେ ୧, ୧୬, ୨୬୨ , Eରେ ୧,୨୨,୦୬୭, F.ରେ ୧,୬୩,୯୫୪ ପରୀକ୍ଷାର୍ଥୀ ପାସ କରିଛନ୍ତି ।
ଏଥର ପରୀକ୍ଷାରେ ବାଜି ମାରିଛନ୍ତି ଝିଅ । ୧ ଲକ୍ଷ ୯୧ ହଜାର ୬୫୫ ପୁଅ ପାସ୍ କରିଥିବା ବେଳେ ୨ଲକ୍ଷ ୫ହଜାର ୪୭୦ ଝିଅ ଉତ୍ତୀର୍ଣ୍ଣ ହୋଇଛନ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ୱେବ୍ସାଇଟ୍ରେ ଫଳ ଉପଲବ୍ଧ ହୋଇଥିବା ଜଣାପଡ଼ିଛି ।
ଝାରସୁଗୁଡ଼ା ଜିଲ୍ଲାରେ ପାସ୍ ହାର ସର୍ବାଧିକ ୮୫.୪୮% ଥିବା ବେଳେ କୋରାପୁଟ ଜିଲ୍ଲାରେ ପାସ୍ ହାର ସର୍ବନିମ୍ନ ୫୦.୬୧% ରହିଛି । ୭୨.୩୫% ରେଗୁଲାର ପରୀକ୍ଷାର୍ଥୀ ପାସ୍ କରିଥିବା ବେଳେ ଏକ୍ସରେଗୁଲାରରେ ୩୭.୪୩% ପରୀକ୍ଷାର୍ଥୀ ପାସ୍ କରିଛନ୍ ତି। ୧୦ ହଜାର ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ଥିବା ସୂଚନା ମିଳିଛି ।