ସମ୍ପତ୍ତି ପାଇଁ ସ୍ତ୍ରୀ ମାରିଲେ ସ୍ୱାମୀଙ୍କୁ

0

ସମ୍ପତ୍ତି ଲୋଭ ଆଗରେ ହାର ମାନିଛି ସବୁ ସମ୍ପର୍କ । ସ୍ୱାମୀ-ସ୍ତ୍ରୀର ପବିତ୍ର ସମ୍ପର୍କକୁ ଜଳାଞ୍ଜଳୀ ଦେଇଛନ୍ତି ସ୍ତ୍ରୀ । ଶେଷରେ ସମ୍ପତ୍ତି ମୋହରେ ସ୍ୱାମୀକୁ ବି ହତ୍ୟା କରିବାକୁ ପଛଘୁଞ୍ଚା ଦେଲେନି । ପୁରୀର ଆଇନଜୀବୀ ତଥା ଲଜ୍ ମାଲିକ ଚନ୍ଦନ ବେହେରାଙ୍କ ହତ୍ୟା ମାମଲାର ଗୁମର ଖୋଲିଛି ପୋଲିସ । ଚନ୍ଦନଙ୍କ ହତ୍ୟା ପଛରେ ଖୋଦ୍ ତାଙ୍କ ପତ୍ନୀଙ୍କ ହାତ ଥିବା କହିଛନ୍ତି ପୁରୀ ଏସପି ସାର୍ଥକ ଷଡଙ୍ଗୀ । ଏଥିପାଇଁ ଚନ୍ଦନଙ୍କ ପତ୍ନୀ ନିବେଦିତା ବେହେରାଙ୍କୁ ସୋମବାର ଗିରଫ କରାଯାଇଛି । ସ୍ୱାମୀ ଚନ୍ଦନଙ୍କ ସମସ୍ତ ସମ୍ପତ୍ତି ହାତେଇବାକୁ ସ୍ତ୍ରୀ ନିବେଦିତା ତାଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର ରଚିଥିଲେ । ଲିଟୁ ଓରଫ ନରେନ୍ଦ୍ରନାଥ ଦାସ, ଜଗା ଭଟ୍ଟ, କପିତ ଦାସ ଓ ବରଜୁ ଦାସ ସହ ମିଶି ସେ ଏହି ଷଡଯନ୍ତ୍ର କରିଥିଲେ । ପରେ ଯୋଜନା ମୁତାବକ ଗତ ଡିସେମ୍ବର ୨୦ତାରିଖରେ ନିବେଦିତା ରାଉରକେଲାରୁ ପୁରୀ ଆସିଥିଲେ । ସେ ସି ସାଇନ୍ ଆପାର୍ଟମେଣ୍ଟରେ ରହୁଥିଲେ । ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ଚାଲିଥିଲା ଦୀର୍ଘ ୧୫ଦିନ ଧରି ଯୋଜନା । ପରେ ଜାନୁଆରୀ ୫ତାରିଖରେ ନିବେଦିତା ରାଉରକେଲା ଚାଲିଯାଇଥିଲେ । ଅଭିଯୁକ୍ତ କପିଳ ଦାସ ତାଙ୍କୁ ଓ ତାଙ୍କ ପିଲାମାନଙ୍କୁ ତପସ୍ୱିନୀ ଏକ୍ସପ୍ରେସରେ ନେଇ ରାଉରକେଲାରେ ଛାଡ଼ିଦେବା ପରେ ୭ତାରିଖରେ ପୁରୀ ଫେରି ଆସିଥିଲେ । ଚନ୍ଦନଙ୍କ ପୁରୀରେ ଯେଉଁ ସମ୍ପତ୍ତି ରହିଥିଲା ତା’ର ପରିଚାଳନା ପାଇଁ ନିବେଦିତା ଅନ୍ୟତମ ଅଭିଯୁକ୍ତ ଲିଟୁ ଓରଫ୍ ନରେନ୍ଦ୍ର ନାଥ ଦାସଙ୍କ ସହ ଏକ ଚୁକ୍ତି ମଧ୍ୟ କରିଥିଲେ । ପରେ ୮ତାରିଖ ସନ୍ଧ୍ୟାରେ ଚନ୍ଦନଙ୍କୁ ତାଙ୍କ ଲଜ ସମ୍ମୁଖ ଫାଟକ ନିକଟରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିଲା । ପୋଲିସ ଏ ଘଟଣାରେ ଏଯାଏଁ ମୋଟ୍ ୫ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ଜଣେ ଫେରାର ଥିବା ଜଣାପଡ଼ିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More