ପାକିସ୍ତାନ୍ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ତାଙ୍କ ପଦବୀରୁ ହଟାଇବାକୁ ଏବେ ଯୋଜନା କରୁଛି ପାକିସ୍ତାନୀ ସେନା । ସେନାମୁଖ୍ୟ ରାହିଲ ସରିଫ୍ ସିଧାସଳଖ ନିଜେ ଏହି ଗାଦିରେ ବସିବାକୁ ଚାହୁଁନଥିଲେ ମଧ୍ୟ ବିଚାର ବିଭାଗର ସାହାଯ୍ୟ ନେଇ ନୱାଜ୍ଙ୍କୁ ତାଙ୍କ ପଦବୀରୁ ହଟାଇବାକୁ ଚାହୁଁଛି । ଏଭଳି ଚାଂଚଲ୍ୟକର ତଥ୍ୟ ଦେଇଛନ୍ତି ବିଦେଶର ଅନେକ ଗୁଇନ୍ଦା ସଂସ୍ଥା । ଏହି ସଂସ୍ଥାମାନେ ପାକିସ୍ତାନର ଗତିବିଧି ସମ୍ପର୍କରେ ସର୍ବଦା ନଜର ରଖିଥାଆନ୍ତି । ଏହି ସଂସ୍ଥାମାନଙ୍କ କହିବା ଅନୁଯାୟୀ ପାକିସ୍ତାନୀ ସେନା ଆସନ୍ତା ବର୍ଷ ମଧ୍ୟଭାଗ ସୁଦ୍ଧା ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ତାଙ୍କୁ ପଦବୀରୁ ହଟାଯିବାକୁ ଏକ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଲାଣି । ଅବଶ୍ୟ ଏଥର ସେନା ‘ମାର୍ଶାଲ୍ ଲ’ ବ୍ୟବହାର ନ କରି ନୱାଜଙ୍କୁ ହଟାଇବାକୁ ଯୋଜନା କରିଥିବା ସୂଚନା ମିଳିଛି । ପାକ୍ ସେନା ଏଥର ପାକିସ୍ତାନ୍ ବିଚାରପତିଙ୍କ ଉପରେ ଚାପ ପକାଇ ସରିଫଙ୍କୁ ପାନାମା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରିବାକୁ ଯୋଜନା କରିଛି । ଯାହାଫଳରେ ସରିଫଙ୍କୁ ପାକିସ୍ତାନରେ ହେବାକୁ ଥିବା ନିର୍ବାଚନ ଲଢିବାକୁ ଅନୁମତି ମିଳିବନାହିଁ । ଆଉ ଏପଟେ ସରିଫଙ୍କୁ ହଟାଇବାକୁ ବି ଅଂଟା ଭିଡ଼ିଲେଣି ସରିଫଙ୍କ ଅନ୍ୟତମ ବିରୋଧୀ ଇମ୍ରାନ୍ ଖାନ୍ । ଏହାପଛରେ ମଧ୍ୟ ସେନାର ସହଯୋଗ ଥିବା ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି । ଉଭୟ ସେନା ଏବଂ ଇମ୍ରାନ୍ ଖାନ୍ ଏଥର ପାନାମା ଦୁର୍ନୀତିରେ ନୱାଜ୍ ସରିଫଙ୍କୁ ସିଧାସଳଖ ଟାର୍ଗେଟ୍ କରିବେ । ସେହିପରି ପାକିସ୍ତାନୀ ସେନା ଜମ୍ମୁ-କାଶ୍ମୀରରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବାକୁ ନୂଆ ଯୋଜନା ଆପଣାଉଛି । ଦକ୍ଷିଣ କାଶ୍ମୀରର ୪ଟି ଜିଲ୍ଲା ପୁଲୱାମା, ସୋପିଆନ୍, କୁଲଗାମ୍ ଓ ଅନନ୍ତନାଗ ଏବେ ପାକ୍ ସମର୍ଥକଙ୍କ ନିୟନ୍ତ୍ରଣରେ ରହିଛି । ସେଠାକାର ଗ୍ରାମାଂଚଳରେ ପୁଲିସ ଏବଂ ଅର୍ଦ୍ଧସାମରୀକ ବାହିନୀ ପଶି ପାରୁନାହାନ୍ତି । ତେଣୁ ଏହାର ଫାଇଦା ନେବ ପାକ୍ ସେନା । ତେଣୁ ରାହିଲ୍ ପାକିସ୍ତାନର ଶାସକ ହେଲେ କାଶ୍ମୀରରରେ ବିଦେଶୀ ଆତଙ୍କବାଦୀଙ୍କ କବଳରେ ସ୍ଥାନୀୟ ଆତଙ୍କବାଦୀଙ୍କୁ ନିଜର କାର୍ଯ୍ୟକଳାପ ବୃଦ୍ଧି କରିବାକୁ ପ୍ରୋତ୍ସାହନ ମିଳିବ । ସେହିପରି ପୁଲିସ କର୍ମୀଙ୍କଠାରୁ ଅଧିକ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ଲୁଟ୍ କରିବାକୁ ବିଚ୍ଛିନ୍ନତାବାଦୀ ସଙ୍ଗଠନର ସଦସ୍ୟଙ୍କୁ ପାକ୍ ସେନା ନିଦେ୍ର୍ଦଶ ଦେଇଛି । ତେବେ ଏସବୁ କେବଳ ନୱାଜ୍ ସରିଫ ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ସମ୍ଭବ ହୋଇପାରିବ ବୋଲି ସ୍ପଷ୍ଟ ସୂଚନା ମିଳିଛି ।